କେନ୍ଦ୍ରାପଡା,୨୦/୧୨ – ବିଶିଷ୍ଟ ଜନନେତା ବିଜୟ ମହାପାତ୍ରଙ୍କୁ ସରକାରୀ ବିଧି ବ୍ୟବସ୍ଥା ଅନୁଯାୟୀ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ୧ଲକ୍ଷ୨୫ହଜାର ଟଙ୍କାର ଘରପୋଡ଼ି ସହାୟତାକୁ ଆଜି ଶ୍ରୀମହାପାତ୍ର ଜିଲ୍ଲା ରେଡ଼କ୍ରସକୁ ପ୍ରଦାନ କରିଛନ୍ତି । ଶ୍ରୀମହାପାତ୍ର ସଂଧ୍ୟାରେ ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କୁ ଭେଟି ଏହି ଅର୍ଥରାଶିର ଏକ ଚେକ୍ ପ୍ରଦାନ କରିବା ସହ ଏହାକୁ ଅସହାୟ ତଥା ପ୍ରପୀଡ଼ିତ ଲୋକଙ୍କ କାମରେ ଉପଯୋଗ କରିବା ସକାଶେ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି ।
ସୂଚନାଯୋଗ୍ୟଯେ, ଗତ ପ୍ରାୟ ବର୍ଷକ ତଳେ ଶ୍ରୀମହାପାତ୍ରଙ୍କ ପୈତୃକ ଗ୍ରାମ ଗରଦପୁର ବ୍ଲକ୍ ର ତଳକୁସୁମା ଠାରେ ଥିବା ବାସଘରଟି ଆକସ୍ମିକ ଅଗ୍ନିକାଣ୍ଡରେ ପୋଡ଼ି ଯାଇଥିଲା । ଯାହା ସମଗ୍ର ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଥିଲା । ତେବେ ଏହି ଘରପୋଡ଼ି ସକାଶେ ଶ୍ରୀମହାପାତ୍ର କୌଣସି ସରକାରୀ ଅନୁଦାନ ପାଇଁ ଆବେଦନ କରିନଥିଲେ ହେଁ ସ୍ଥାନୀୟ ରାଜସ୍ୱ ବିଭାଗ ସରକାରୀ ବିଧି ବ୍ୟବସ୍ଥା କ୍ରମେ ତଦନ୍ତ ପୂର୍ବକ ସହାୟତା ରାଶି ମଂଜୁର କରିଥିଲେ । ଗତ ୨ଦିନ ତଳେ ତାଙ୍କ ବ୍ୟାଙ୍କ ଖାତାରେ ଏହି ଅର୍ଥ ଜମା ହୋଇଥିବା ଜାଣିବା ପରେ ଶ୍ରୀମହାପାତ୍ର ଆଜି ଆସି ଜିଲ୍ଲାପାଳଙ୍କୁ ଏହା ପ୍ରଦାନ କରିଥିଲେ । ଏଥିପାଇଁ ଜିଲ୍ଲାପାଳ ଶ୍ରୀମହାପାତ୍ରଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଜିଲ୍ଲାର ବିକାଶ ମୂଳକ କାର୍ଯ୍ୟକ୍ରମ ସଂପର୍କରେ ସେ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଥିଲେ । ଶ୍ରୀମହାପାତ୍ରଙ୍କ ସହିତ ପୂର୍ବତନ ଜିଲ୍ଲା ବିଜେପି ସଭାପତି ସୁକାନ୍ତ କୁମାର ଦ୍ୱିବେଦୀ,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଗଣେଶ ଚନ୍ଦ୍ର ସାମଲ, ଜିଲ୍ଲା ବିଜେପି ଉପସଭାପତି ମନୋରଂଜନ ଉପାଧ୍ୟ. ସାଧାରଣ ସମ୍ପାଦକ ସରୋଜକାନ୍ତ ନାୟକ, କ୍ଷୀତିଶ ଚନ୍ଦ୍ର ଦାସ, ମମତାମୟୀ ସାମଲ, ଦିଲ୍ଲୀପ ଦାସ, ବିକ୍ରମ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ଶ୍ରୀମହାପାତ୍ରଙ୍କ ଏହି ବଦନ୍ୟତାକୁ ଜିଲ୍ଲାର ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି ।