କେନ୍ଦ୍ରାପଡା, ୩୦/୧୨- ଆଜି କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କଂଗ୍ରେସ ଭବନଠାରେ ଅନୁଷ୍ଠିତ ହୋଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ଅଭିଭାଷଣ ଦେଇ ଜିଲ୍ଲା କଂଗ୍ରେସର ମୁଖ୍ୟ ମୁଖପାତ୍ର ପ୍ରଫୁଲ୍ଲ ଦାସ କହିଥିଲେ ଯେ ରାଜ୍ୟ ବିଜେଡି ସରକାର ଆଦିବାସୀଙ୍କ ସ୍ୱାର୍ଥ ପ୍ରତି ସମ୍ପୂର୍ଣ୍ଣ ଉଦାସୀନ । ଅପରପକ୍ଷରେ ଶିଳ୍ପପତିମାନଙ୍କର ସ୍ୱାର୍ଥ ପ୍ରତି ଆଶାତଃ ଭାବେ ଉଦାର । ୨୦୦୬ ମସିହା ଜାନୁଆରୀ ୨ ତାରିଖରେ ଯାଜପୁର ଜିଲ୍ଲାର କଳିଙ୍ଗନଗରଠାରେ ଜମିହରା ନିରୀହ ଆଦିବାସୀଙ୍କ ଉପରେ ଗୁଳିଚାଳନା କରି ୧୩ଜଣଙ୍କୁ ହତ୍ୟା କଲେ । ସମବେଦନା ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀ ଥରୁଟିଏ ହେଲେ ଗଲେନାହିଁ । ଗୁଳିକାଣ୍ଡ ଘଟଣାର ତଦନ୍ତ ପାଇଁ ଯେଉଁ ନ୍ୟାୟମୂର୍ତ୍ତି ପ୍ରଦ୍ୟୁମ୍ନ ମହାନ୍ତିଙ୍କ ନେତୃତ୍ୱରେ କମିଶନ ବସାଇଲେ । ଦୀର୍ଘ ୯ବର୍ଷ ପରେ କମିଶନ ତାଙ୍କ ରିପୋର୍ଟରେ ଗୁଳିକାଣ୍ଡ ଯଥାର୍ଥ ବୋଲି ଉଲ୍ଲେଖ କଲେ । ପୀଡିତ ମୃତକଙ୍କ ପରିବାରକୁ ନ୍ୟାୟ ମିଳିଲା ନାହିଁ, ନ୍ୟାୟ ଉପହସିତ ହେଲା । ଅନୁରୂପ ଭାବରେ ସଦ୍ୟ ସଂଗଠିତ ଆଉ ଏକ ଘଟଣା ସରକାରଙ୍କ ଆଦିବାସୀ ବିରୋଧୀ ଆଭିମୁଖ୍ୟର ପରିଚୟ ଦେଉଛି । ଆଦିବାସୀଙ୍କ ଜମିକୁ ଅଣଆଦିବାସୀଙ୍କୁ ହସ୍ତାନ୍ତର ନିଷିଦ୍ଧ କରାଯାଇ ୧୯୫୬ ମସିହାରେ ପ୍ରଣିତ ଆଇନର ସଂଶୋଧନ ଓ ୨ଦିନ ପରେ କ୍ୟାବିନେଟ୍ର ସ୍ଥଗିତ ଆଦେଶ ନିଷ୍ପତ୍ତି ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ସରକାରଙ୍କର ସାମାନ୍ୟ ଦରଦ ଥିଲେ ଏ ସଂଶୋଧନ ବ୍ୟବସ୍ଥାର ପ୍ରତ୍ୟାହାର କରିପାରି ଥାଆନ୍ତେ । କିନ୍ତୁ କଲେନାହିଁ । ସୁତରାଂ ଏହା ଆଦିବାସୀ ଶୋଷଣ ଓ ଶିଳ୍ପପତି ଶୋଷଣ ବ୍ୟତୀତ କ’ଣ ହୋଇପାରେ ? କଂଗ୍ରେସ କିନ୍ତୁ ଆଦିବାସୀ ସ୍ୱାର୍ଥର ସୁରକ୍ଷା ପାଇଁ ଅଙ୍ଗୀକାର ବଦ୍ଧ । ୨୦୦୬ ଜାନୁୟାରୀ ୨ ଗୁଳିକାଣ୍ଡ ଘଟଣାରେ କଂଗ୍ରେସ ମ୍ରିୟମାଣ ହେବାସହ ପ୍ରଦେଶ କଂଗ୍ରେସ କମିଟି ସଭାପତି, ଏ.ଆଇ.ସି.ସି. ସଭାପତି ସୋନିଆ ଗାନ୍ଧି ଘଟଣାସ୍ଥଳ ପରିଦର୍ଶନ କରିବା ସହ ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି କଂଗ୍ରେସ ତରଫରୁ ୧ଲକ୍ଷ ଓ କେନ୍ଦ୍ରର ଉପସରକାରଙ୍କ ତରଫରୁ ୫ଲକ୍ଷ ଟଙ୍କା ଲେଖାଏଁ ପ୍ରତ୍ୟେକ ପରିବାରକୁ ଦିଆଯାଇଥିଲା । ମାତ୍ର ଦୁର୍ଭାଗ୍ୟ ଯେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି, ବିଜେଡି ମେଣ୍ଟ ସରକାର କଳିଙ୍ଗ ନଗରର ଆଦିବାସୀମାନଙ୍କ ପୀଡା ଲାଘବ କରିବା ପାଇଁ ସାମାନ୍ୟତମ ଦରଦ ଦେଖାଇ ନଥିଲେ । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆସନ୍ତା ଜାନୁୟାରୀ ୨ତାରିଖ ମଙ୍ଗଳବାର ସନ୍ଧ୍ୟା ୫ଘଟିକାରୁ ୬ଘଟିକା ମଧ୍ୟରେ ସମସ୍ତ ବ୍ଲକ ଓ ମୁନିସିପାଲଟି ସଦର ମହକୁମାରେ ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ୧୩ଜଣ ଆଦିବାସୀଙ୍କ ପାଇଁ ମହମବତୀ ଶୋଭାଯାତ୍ରା, ନୀରବପ୍ରାର୍ଥନା ସହ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯିବ ବୋଲି ସୂଚନା ଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟିର ମୁଖ୍ୟ ମୁଖପାତ୍ର ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ଜିଲ୍ଲା କଂଗ୍ରେସର କୋଷାଧ୍ୟକ୍ଷ ଉମାଶଙ୍କର ଜେନା, ସାଧାରଣ ସମ୍ପାଦକ ସିଦ୍ଧାର୍ଥ ଜେନା, ମୁକ୍ତାର ଖାଁ ଓ ଜ୍ୟୋତିରଞ୍ଜନ ପ୍ରଧାନ ଉପସ୍ଥିତ ଥିଲେ ।