ଦଳିତ ମହିଳାଙ୍କ ଅଗୋଚରରେ କୋଇଲିପୁର ପ୍ୟାକ୍ସରେ ଋଣ ଉଠାଣ ଅଭିଯୋଗ


କେନ୍ଦ୍ରାପଡ଼ା,୨ା୧: ଜନୈକ ଦଳିତ ମହିଳାଙ୍କ ଅଗୋଚରରେ ତାଙ୍କ ନାମରେ ରାଜନଗର ବ୍ଲକ ଅନ୍ତର୍ଗତ କୋଇଲିପୁର ପ୍ରାଥମିକ ସମବାୟ ସମିତିରେ ଋଣ ଉଠାଣ ହୋଇଥିବା ନେଇ ସଂପୃକ୍ତ ମହିଳା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । କେନ୍ଦ୍ରାପଡା ଜିଲ୍ଲାର ରାଜନଗର ଥାନା ଅନ୍ତର୍ଗତ ବସନ୍ତପୁର ଗ୍ରାମର ରବିନ୍ଦ୍ର ସେଠୀଙ୍କ ପତ୍ନୀ ପ୍ରମିଳା ସେଠୀ ଜିଲ୍ଲାପାଳଙ୍କ ନିକଟରେ କରିଥିବା ଅଭିଯୋଗ ଅନୁଯାୟୀ ସେ କୋଇଲିପୁର ପ୍ୟାକ୍ସରେ ଗତ ୨୦୧୮ମସିହାରେ ୧୦ହଜାର ୭ଶହ ଟଙ୍କା କୃଷି ଋଣ କରି ଶୁଝି ଦେଇଥିଲେ । ଏହାପରେ ସେହି ସମିତିର ସମ୍ପାଦକଙ୍କୁ ବାରମ୍ବାର ନିବେଦନ କରିଥିଲେ ବି ତାଙ୍କୁ କୈାଣସି ଋଣ ପ୍ରଦାନ କରାଯାଇନଥିଲା । ଶ୍ରୀମତୀ ସେଠୀ ପରବର୍ତ୍ତୀ ସମୟରେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ରାଜନଗର ଶାଖାରୁ ତାଙ୍କ ଆକାଉଣ୍ଟ ବହିର ଏକ ନକଲ ହାସଲ କରିବା ପରେ ଜାଣିବାକୁ ପାଇଥିଲେ ଯେ ତାଙ୍କ ନାମରେ ଗତ ୨୫.୦୩.୨୦୧୯ରିଖରେ ୩୫ହଜାର ଟଙ୍କା, ୩୦.୧୨.୨୦୧୯ରେ ୬୧ହଜାର ଟଙ୍କା, ୩୦.୦୯.୨୦୨୦ରିଖରେ ୬୪ହଜାର ୨୫୦, ୧୫.୦୭.୨୦୨୧ରେ ୬୫ହଜାର ୬୮୦, ୩.୦୭.୨୦୨୩ରିଖରେ ୬୮ହଜାର ୫ଶହ ଓ ୭.୧୨.୨୦୨୩ରିଖରେ ୬୮ହଜାର ୫ଶହ ଟଙ୍କା କୃଷି ଋଣ ଉଠାଇ ନିଆଯାଇଛି । ଏହି ଋଣ ସମିତିର ସମ୍ପାଦକ ଉଠାଇ ନେଇଥିବା ସେ ଅଭିଯୋଗ କରିଛନ୍ତି । ଏସମ୍ପର୍କରେ ସେ ସମିତିର ସମ୍ପାଦକଙ୍କୁ ପଚାରିବାରେ ସମ୍ପାଦକ ତାଙ୍କୁ ଜାତିଆଣ ଆଖେପ କରିବା ସହ ଗାଳିଗୁଲଜ କରିଥିବା ସେ ଅଭିଯୋଗ କରିଛନ୍ତି । ଏସମ୍ପର୍କରେ ସେ ରାଜନଗର ଥାନାରେ ଲିଖିତ ଅଭିଯୋଗ କରିଥିବା ସୂଚନା ଦେଇଛନ୍ତି । ଜଣେ ଦଳିତ ମହିଳାଙ୍କ ନାମରେ ତାଙ୍କ ଅଗୋଚରରେ ଋଣ କରି ଅର୍ଥ ଉଠାଇନେବା ଏବଂ ଗାଳିଗୁଲଜ କରିଥିବା ଅଭିଯୁକ୍ତଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସେ ଦାବି କରିଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading