ଗଣ୍ଡକୂଳରେ ରାଜ୍ୟସ୍ତରୀୟ ନିଗମାନନ୍ଦ ସମ୍ମିଳନୀ ପାଇଁ ପ୍ରସ୍ତୁତି ଜୋରଦାର



ନୀଳାଚଳ ସାରସ୍ୱତ ସଂଘ ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଡିହାପଡା ପଂଚାୟତ ଗଣ୍ଡକୂଳ ଠାରେ ରାଜ୍ୟ ସ୍ତରୀୟ ନିଗମାନନ୍ଦ ସମ୍ମିଳନୀ ଆୟୋଜନ ପାଇଁ ପ୍ରସ୍ତୁତି ଜୋରଦାର ହୋଇଚାଲିଛି । କେନ୍ଦ୍ରାପଡ଼ା ବିଧାୟକ ପୂର୍ବତନମନ୍ତ୍ରୀ ଶଶୀଭୁଷଣ ବେହେରା ଗଣ୍ଡକୁଳ ଜୟଗୁରୁ ଆଶ୍ରମରେ ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରସ୍ତୁତିର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ । ରାଜ୍ୟ ସ୍ତରୀୟ ସମ୍ମିଳନୀକୁ ସଫଳ କରିବା ପାଇଁ ଆବଶ୍ୟକ ସମସ୍ତ ପଦକ୍ଷେପ ନେବାକୁ ବିଧାୟକ ବେହେରା ଉପସ୍ଥିତ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ । ବିଧାୟକଙ୍କ ସମୀକ୍ଷା ବୈଠକ ପରେ ପ୍ରସ୍ତୁତି କାର୍ଯ୍ୟକ୍ରମ ଜୋରଦାର ହୋଇଛି । ଗଣ୍ଡକୁଳ ଜୟଗୁରୁ ଆଶ୍ରମ ସଭାପତି ସମାଜସେବୀ ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଶହ ଶହ ଭକ୍ତ ଓ ଆଶ୍ରମ କର୍ମଚାରୀ ଦିନରାତି ଏକ କରି ଲାଗି ପଡିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମ୍ରିତ ଋତୁରାଜ ରାଜ୍ୟସ୍ତରୀୟ ନିଗମାନନ୍ଦ ସମ୍ମିଳନୀ ସଫଳ କରିବାକୁ ସମସ୍ତ ସହଯୋଗ ଯୋଗାଇ ଦେବାକୁ ପଟ୍ଟାମୁଣ୍ଡାଇ ଅଂଚଳର ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି । ପୂର୍ବତନ ସାଂସଦ ବୈଷ୍ଣବ ପରିଡାଙ୍କ ଠାରୁ ଆରମ୍ଭ କରି ବହୁ ପୂର୍ବତନ ବିଧାୟକ ଓ ସାଂସଦ ଗଣ୍ଡକୂଳ ଜୟଗୁରୁ ଆଶ୍ରମ ଉନ୍ନତି ପାଇଁ ସରକାରୀ ଅନୁଦାନ ଯୋଗାଇ ଦେଇଛନ୍ତି । ଯାହାଫଳରେ ଜୟଗୁରୁ ଆଶ୍ରମର ନବ କଳେବର ହୋଇଛି । ଆଶ୍ରମ ମଧ୍ୟରେ ସାରସ୍ୱତ ସଂଘ ସଭାପତି, ସମ୍ପାଦକ ଓ କର୍ମକର୍ତା ରହିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି । ସାରା ଓଡିଶାରୁ ଆସୁଥିବା ଭକ୍ତ ମାନଙ୍କ ରହିବା ପାଇଁ ଆଶ୍ରମ ମଧ୍ୟରେ କୋଠରୀ ରହିଛି । ମହିଳା ଭକ୍ତମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭକ୍ତମାନେ ଶୋଇବା ପାଇଁ ଶତାଧିକ ଖଟ ନିର୍ମାଣ ସହିତ ଏକାଧିକ ପାଇଖାନା ଓ ଗାଧୁଆ ଘର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । କେନ୍ଦ୍ରାପଡ଼ା ଏସ ପି ସମ୍ବିତ ସମ୍ପଦ ମଦକର ଆଶ୍ରମ ପରିସରରେ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେବାକୁ ପଟ୍ଟାମୁଣ୍ଡାଇ ଏସଡିପିଓ କ୍ଷମା ସାଗର ପଣ୍ଡା ଓ ଆଦର୍ଶ ଥାନା ଆଇଆଇସି ରଂଜିତ ମହାନ୍ତି ଓ ଗ୍ରାମାଂଚଳ ଥାନା ଆଇଆଇସି ପଦ୍ମାଳୟା ପ୍ରଧାନଙ୍କୁ ନିର୍ଦେଶ ଦେଇଛନ୍ତି । ଆସନ୍ତା ଫେବୃଆରୀ ୨୩,୨୪,୨୫ ତାରିଖ ୩ ଦିନ ଦିନ ଧରି ଗଣ୍ଡକୂଳ ଜୟଗୁରୁ ଆଶ୍ରମରେ ରାଜ୍ୟ ସ୍ତରୀୟ ନିଗମାନନ୍ଦ ଭକ୍ତ ସମ୍ମିଳନୀ ଅନୁଷ୍ଠିତ ହେଉଥିବାରୁ ଏହାକୁ ସଫଳ କରିବା ପାଇଁ ସରକାର ଓ ପ୍ରଶାସନ ସଂପୂର୍ଣ୍ଣ ସହଯୋଗ ଯୋଗାଇ ଦେବାକୁ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମନ୍ତ୍ରୀ ପ୍ରତାପ ଦେବ, ମନ୍ତ୍ରୀ ଅତନୁ ସବ୍ୟସାଚି ନାୟକଙ୍କ ସମେତ ଜିଲ୍ଲାର ସମସ୍ତ ବିଧାୟକ ସହଯୋଗ କରିବାକୁ ଗଣ୍ଡକୂଳ ଜୟ ଗୁରୁ ସମ୍ମିଳନୀ ସଭାପତି ସମ୍ପାଦକ ଓ ସ୍ଥାନୀୟ ଅଧିବାସୀ ନିବେଦନ କରିଛନ୍ତି ।

 


Discover more from

Subscribe now to keep reading and get access to the full archive.

Continue reading