
କେନ୍ଦ୍ରାପଡ଼ା ଜିଲ୍ଳାପାଳଭାବେ କାର୍ଯ୍ୟକରୁଥିବା ଅମ୍ରିତ୍ ଋତୁରାଜ ଶ୍ରମ କମିଶନ ଭାବେ ବଦଳି ହୋଇଛନ୍ତି । ରବିବାର ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନଙ୍କ ପକ୍ଷରୁ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିଲୁ ମହାପାତ୍ର ଜିଲ୍ଲାପାଳ ଭାବେ ଅମ୍ରିତ୍ ଋତୁରାଜଙ୍କର କାର୍ଯ୍ୟକାଳରେ ଜିଲ୍ଲା ପାଇଁ ହୋଇଥିବା ବିକାଶ ଲାଗି ସମସ୍ତେ ତାଙ୍କୁ ମନେ ରଖିବେ । ନିଜର ୩ବର୍ଷର କାର୍ଯ୍ୟକାଳ ମଧ୍ୟରେ ସେ ସମସ୍ତଙ୍କୁ ନେଇ କାର୍ଯ୍ୟ କରିବା, ପ୍ରତ୍ୟେକ କାର୍ଯ୍ୟକୁ ଉତ୍ସାହ ଓ ଆନ୍ତରିକତାର ସହ ପ୍ରତିପାଦିତ କରି ତାଙ୍କୁ ଉପଭୋଗ କରିବାର କଳା ତାଙ୍କ ଠାରୁ ଶିଖିବାର ଅଛିବୋଲି କହିଥିଲେ । ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀମାନେ ଜିଲ୍ଲାପାଳ ଅମ୍ରିତ୍ ଋତୁରାଜଙ୍କର ବହୁମୁଖୀ ପ୍ରତିଭା କାର୍ଯ୍ୟ କ୍ଷେତ୍ରରେ ଅଧିକାରୀ ଓ କର୍ମଚାରୀଙ୍କ ପ୍ରତି ସହାନୁଭୂତି ପୂର୍ଣ୍ଣ ବ୍ୟବହାର ସଂପର୍କରେ ମତବ୍ୟକ୍ତ କରିଥିଲେ ।ଶ୍ରୀଋତୁରାଜ ୮/୧/୨୦୨୧ରେ କେନ୍ଦ୍ରାପଡ଼ାରେ ଜିଲ୍ଲାପାଳଭାବେ ଯୋଗ ଦେଇଥିଲେ । ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ କଲେକ୍ଟୋରେଟ୍ ଷ୍ଟାଫ୍ କମିଟିର କର୍ମକର୍ତାମାନେ ଜିଲ୍ଲାପାଳଙ୍କ ସହ କାଟିଥିବା ମଧୁର ସ୍ମୃତିର ଅବତାରଣା କରୁକରୁ ଭାବବିହ୍ୱଳ ହୋଇପଡ଼ିଥିଲେ । କେବଳ ଜଣେ ବିଚକ୍ଷଣ ପ୍ରଶାସକ ନୁହେଁ ବରଂ ଜଣେ ବିବେକୀ, ଦରଦୀ ମଣିଷଭାବେ ତାଙ୍କର ସୁନାମ ରହିଛି ବୋଲ ଉପସ୍ଥିତ କର୍ମକର୍ତା ଓ ପ୍ରଶାସନିକ ଅଧିକାରୀମାନେ କହିଥିଲେ ।
ନିଜ ବକ୍ତବ୍ୟରେ ଜିଲ୍ଲାପ୍ରତି ନିଜର ଭଲପାଇବା ଓ କୃତଜ୍ଞତା ଜଣାଇ ଶ୍ରୀଋତୁରାଜ ଭାବୁକ ହୋଇ ଉଠିଥିଲେ । ଲୁହ ଝରା ଆଖିରେ କେନ୍ଦ୍ରାପଡା ଜିଲ୍ଲା ତାଙ୍କ ଚାକିରୀ ଜୀବନର ଏକ ସ୍ୱତନ୍ତ୍ର ଓ ସ୍ମରଣୀୟ ସ୍ଥାନ ହୋଇ ରହିବ । ଆଶଙ୍କା ସହ ଆସିଥିଲି କିନ୍ତୁ ଯାଉଛି ଆଶୀର୍ବାଦ ନେଇ । ଜିଲ୍ଲାପାଳଭାବେ ଆସିଥିଲି କିନ୍ତୁ ଯାଉଛି କବିଟିଏର ପରିଚୟ ନେଇ । ପ୍ରଭୁ ବଳଦେବଜୀଉଙ୍କ ଆଶୀର୍ବାଦ ଓ ସମସ୍ତଙ୍କ ଭଲ ପାଇବା ତାଙ୍କୁ ନୂଆ ଜୀବନ ଦେଇଛି । କିନ୍ତୁ ସାଧାରଣ ଲୋକଙ୍କ ଜିଲ୍ଲାପାଳ ଭାବେ ସେ ଅଧିକ ପସନ୍ଦ କରନ୍ତି ଓ କେନ୍ଦ୍ରାପଡା ପାଇଁ ତାଙ୍କର ଏକ ସ୍ୱତନ୍ତ୍ର ଆକର୍ଷଣ ସଦା ସର୍ବଦା ରହିବା ସହ କେନ୍ଦ୍ରାପଡ଼ାର ସ୍ୱର୍ଣ୍ଣିମ ସ୍ମୃତି ମୋ ପ୍ରଫେସନାଲ୍ କ୍ୟାରିୟର୍ରେ ଚିରକାଳ ଝଟକୁଥିବ ବୋଲି ବିଦାୟକାଳୀନ ସ୍ମୃତିସଭାରେ ଯୋଗଦେଇ ଭାବବିହ୍ୱଳ କଣ୍ଠରେ ଶ୍ରୀ ଋତୁରାଜ କହିଥିଲେ ।
ତାଙ୍କ କାର୍ଯ୍ୟକାଳରେ ଲ୍ୟାଣ୍ଡ୍ ଡିଜିଟାଲାଇଜେସନ୍, ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲା ‘ଭୂମି ସମ୍ମାନ’ରେ ସମ୍ମାନୀତ ହୋଇ ଭାରତର ମହାମହିମ ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ଗ୍ରହଣ କରିଛି । ଭିନ୍ନକ୍ଷମ ସଶକ୍ତିକରଣ ବର୍ଗରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି କେନ୍ଦ୍ରାପଡ଼ା । ସୁକନ୍ୟା ସମୃଦ୍ଧି ଯୋଜନାରେ ସର୍ବାଧିକ ଝିଅଙ୍କ ନାମରେ ବ୍ୟାଙ୍କ ଖାତା ଖୋଲି ପୁରସ୍କୃତ ହୋଇଛି । ପୁରୁଣା ମେଡିକାଲ୍ ପରିସରରେ ଗଢ଼ିଉଠିଛି “ଭିନ୍ନକ୍ଷମ ଥଇଥାନ କେନ୍ଦ୍ର” ଯାହାକି ଦିବ୍ୟାଙ୍ଗମାନଙ୍କ ଜୀବନରେ ଆଣିପାରିବ ବୈପ୍ଲବିକ ପରିବର୍ତନ । ଜିଲ୍ଲାର ମା’ ଭଉଣୀମାନଙ୍କୁ ସଶକ୍ତ କରିବା ପାଇଁ ୨୦୨୩-୨୪ ଆର୍ଥିକ ବର୍ଷରେ ୭୦୦କୋଟିର ବ୍ୟାଙ୍କ ଋଣ ମିଶନ ଶକ୍ତି ଜରିଆରେ ପ୍ରଦାନ କରାଯାଇଛି । ସିକିମ୍ ସତ୍ୱ ଜମି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ସାଜିଛି ପଥ ପ୍ରଦର୍ଶକ । ତାଙ୍କ ଦୂରଦୃଷ୍ଟି ଓ ପ୍ରଶାସନିକ ବିଚକ୍ଷଣତା ଯୋଗୁ ଶିଳ୍ପବିହୀନ କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ାଠାରେ ପ୍ରତିଷ୍ଠା ହେବାକୁ ଯାଉଛି ବୃହତ ଇସ୍ପାତ୍ ଶିଳ୍ପ । ବଗପାଟିଆଠାରେ ଏକ ଥଇଥାନ କେନ୍ଦ୍ର ପ୍ରତିଷ୍ଠା ହୋଇପାରିଛି ବିସ୍ଥାପିତ ଜନସାଧାରଣଙ୍କ ପାଇଁ । ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ଇଛାପୁର ନିକଟରେ ପ୍ରତିଷ୍ଠା ହୋଇଛି ନୂତନ ମେଡିକାଲ କ୍ୟାମ୍ପସ୍ । ତାଙ୍କ ସମୟରେ ଜିଲ୍ଲା ସଂସ୍କୃତି ଭବନ କାର୍ଯ୍ୟକାରୀ ହୋଇପାରିଛି ବୋଲି ଉପସ୍ଥିତ ପ୍ରଶାସନିକ ଅଧିକାରୀମାନେ କହିଥିଲେ ।
ଏହି ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ପୀତାମ୍ବର ସାମଲ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡା, ଉପଜିଲ୍ଲାପାଳ ରବିନ୍ଦ୍ର କୁମାର ପ୍ରଧାନ, ଡେପୁଟି କଲେକ୍ଟର, ବିଭିନ୍ନ ତହସିଲ୍ ଓ ବ୍ଲକ୍ର ତହସିଲଦାର ଓ ବିଡିଓ, ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ବିଭିନ୍ନ ଲାଇନ ଡିପାର୍ଟମେଂଟର ନିର୍ବାହୀ ଯନ୍ତ୍ରୀ, କଲେକ୍ଟୋରେଟ୍ ଷ୍ଟାଫ୍ କମିଟିର କର୍ମକର୍ତା ପ୍ରମୂଖ ଉପସ୍ଥିତ ଥିଲେ ।










