
ଏକ ବିକଶିତ ସମୃଦ୍ଧ ନୂତନ ଓଡିଶା ଗଠନ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ବିଭିନ୍ନ ମହାବିଦ୍ୟାଳୟରେ ଆୟୋଜନ ପରେ ଗ୍ରାମାଂଚଳର ବିଭିନ୍ନ ପଂଚାୟତ ଓ ପୌରାଂଚଳର ବିଭିନ୍ନ ୱାର୍ଡରେ ଆରମ୍ଭ ହୋଇଛି । ଏହି କ୍ରମରେ ମଙ୍ଗଳବାର କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ବଳଭଦ୍ରପୁର ପଂଚାୟତରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ବିଭିନ୍ନ ପ୍ରକଳ୍ପ ବାବଦରେ ୫୦ ଲକ୍ଷ ଟଙ୍କା ସରକାରୀ ଅନୁଦାନ ଯୋଗାଇ ଦିଆଯାଇଛି । ଏହି ଅନୁଦାନରେ ଯୁବବିକାଶ କେନ୍ଦ୍ର, ମିଶନଶକ୍ତି ଗୃହ ନିର୍ମାଣ, ଦେବାଦେବୀ ମନ୍ଦିର ଉନ୍ନତିକରଣ, ଗୋଷ୍ଠୀ କେନ୍ଦ୍ର ନିର୍ମାଣ, ସ୍କୁଲ ଗୃହ ଉନ୍ନତିକରଣ ଆଦି ବିଭିନ୍ନ ପ୍ରକଳ୍ପ ହାତକୁ ନିଆଯାଇଛି । ବଳଭଦ୍ରପୁର ପଂଚାୟତରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ସହିତ ରାଜ୍ୟରେ ପଂଚାୟତରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ବିକାଶମୂଳକ ସରକାରୀ ଯୋଜନାର ବାର୍ତା ଘରେ ଘରେ ପହଁଚାଇବା ପାଇଁ ଏକ ସଭା ଆୟୋଜନ କରାଯାଇଥିଲା । ବଳଭଦ୍ର ପୁର ପଂଚାୟତ ସରପଂଚ ପ୍ରିୟବ୍ରତ ଓଝାଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ଯୋଗ ଦେଇ ଗ୍ରାମାଂଚଳ ବିକାଶ ପାଇଁ ଆମ ଓଡିଶା ନବୀନ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୁଗାନ୍ତକାରୀ ପଦକ୍ଷେପ ହୋଇଥିବାରୁ ଏହି ଯୋଜନାରେ ମଂଜୁର ଅର୍ଥ ବିନିଯୋଗ କରି ବଳଭଦ୍ରପୁର ପଂଚାୟତକୁ ଏକ ସମୃଦ୍ଧ ସଶକ୍ତ ଓ ବିକଶିତ ପଂଚାୟତରେ ପରିଣତ କରିବା ସହିତ ନବୀନ ସରକାରଙ୍କ ସଫଳତାର ବାର୍ତା ଘରେ ଘରେ ପହଁଚାଇବା ଦିଗରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଏହି ସଭାରେ ସମିତିସଭ୍ୟ କୈଳାଶ ପରିଡା କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ ରାଉତ, ସମବାୟସମିତି ନିର୍ଦେଶକ ଅଶୋକ ମଲିକ, ସମାଜସେବୀ ସୂର୍ଯ୍ୟକାନ୍ତ ରାଉତ,ପିଇ ଓ ରାମକୃଷ୍ଣ ହାଲଦାର ,ଜି ଆର ଏସ ପ୍ରଶାନ୍ତ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇ ଆମ ଓଡିଶା ନବୀନ ଓଡିଶା ଲକ୍ଷ୍ୟ ଓ ଆଭିମୁଖ୍ୟ ତଥା ବିଭିନ୍ନ ସରକାରୀ ଯୋଜନା ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବଳଭଦ୍ରପୁର ପଂଚାୟତର ବହୁ ସଂଖ୍ୟକ ମହିଳା ପୁରୁଷ ଓ ଯୁବକ ମାନେ ଯୋଗ ଦେଇଥିଲେ ।











