କେନ୍ଦ୍ରାପଡ଼ା, ୧୪ା୨: କେନ୍ଦ୍ରାପଡା ସହର ଉପକଣ୍ଠ ଗୁଲନଗର ପଞ୍ଚାୟତର ସୁଜାନଗର ଗ୍ରାମରେ ଥିବା ବାଲିଯାତ୍ରା ପଡିଆରେ ଏନ୍.କେ. ରୋଲେକ୍କ ସର୍କସ ଉଦଘାଟନ ହୋଇଯାଇଛି । ଏହାକୁ ମୁଖ୍ୟ ଅତିଥି ଭାବରେ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ଯୋଗଦେଇ ଉଦ୍ଘାଟିତ କରି କହିଲେ ଯେ ଆଧୂନିକ ଯୁଗରେ ସର୍କସର ଚାହିଦା କମିଆସୁଥିବା ବେଳେ ଏହା ବର୍ତ୍ତମାନ ଇତିହାସ ପାଲଟି ଯାଇଛି । ଏହି ସର୍କସ କେନ୍ଦ୍ରାପଡା ସହର ଓ ଆଖପାଖ ଅଞ୍ଚଳର ଲୋକମାନଙ୍କୁ ଆମୋଦିତ କରିବ । କେନ୍ଦ୍ରାପଡା ଜିଲ୍ଲା ପରିଷଦର ସଭାପତି ଗୀତା ସେଠୀ, ପୌରାଧ୍ୟକ୍ଷା ସରିତା ସାହୁ, ସମାଜସେବୀ ରଞ୍ଜିତ ସାହୁ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ଏହି ସର୍କସ ପ୍ରତିଦିନ ତିନୋଟି ଶୋ ତଥା ଅପରାହ୍ନ ୧ଟା, ୪ଟା ଓ ୭ଟା ସମୟରେ କରାଯିବ ଓ ଏଥିରେ ମଣିପୁର, ପଶ୍ଚିମବଙ୍ଗ ଭଳି ରାଜ୍ୟର କଳାକାରମାନେ ସେମାନଙ୍କ କଳା ପ୍ରଦର୍ଶନ କରିବେ । କଣ୍ଟା ଉପରେ ଶୋଇବା, ଛୁରୀ ଉପରେ ଶୋଇବା ଓ ଚାଲିବା, ଏକ ଚକ ବିଶିଷ୍ଟ ସାଇକେଲ ଚାଳନା, ପାଟି ଭିତରେ ୫ଟି ଜିଅନ୍ତା ସିଙ୍ଗି ମାଛ ପୁରାଇ ବାହାର କରିବା, ଶାଢୀଖେଳ, ଗ୍ଲୋବ ଭିତରେ ମଟର ସାଇକେଲ ରେସ, ମୁଣ୍ଡ ଓ ଜିଭରେ ନଟୁର ଖେଳ, ଜୋକର ଖେଳ, ଦୋଳି ଖେଳ, ପ୍ରଭୁତି ୨୬ଟି ଖେଳ ପଦର୍ଶିତ କରାଯିବ । ଏଥିରେ ମଣିପୁର କଳାକାରମାନଙ୍କ ପଦର୍ଶନ ଉଚ୍ଚ କୋଟିର ହୋଇଛି ବୋଲି ଦର୍ଶକମାନେ ମତ ଦେଇଥିଲେ । ଏକ ମାସ ଧରି ଚାଲିବ ବୋଲି ସର୍କସର ମ୍ୟାନେଜର ମୁଲ୍ଲା ସାଦିକ ରହେମନ ସୂଚନା ଦେଇଛନ୍ତି । ସୂଚନା ଯୋଗ୍ୟ ଯେ କେନ୍ଦ୍ରାପଡା ସହର ଓ ଆଖପାଖ ଅଞ୍ଚଳରେ ଦୀର୍ଘ ୧୨ବର୍ଷ ହେବ କୌଣସି ସର୍କସ ପଡି ନଥିଲା । ୨୦୧୧ମସିହା ଫେବୃୟାରୀ ମାସରେ କେନ୍ଦ୍ରାପଡା ସହରର ହାଇସ୍କୁଲ ପଡିଆରେ ଏକ ସର୍କସ ପଡିଥିଲା । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବ୍ଲକ ସଭାପତି ପ୍ରଦୀପ ମହାନ୍ତି, କପାଳେଶ୍ୱର ସରପଞ୍ଚ କଳ୍ପନା ମହାନ୍ତି, ପୂର୍ବତନ ସରପଞ୍ଚ ପିତବାସ ବେହେରା, ମୃତ୍ୟୁଞ୍ଜୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
Posted inଆସନ୍ତୁ ଭାବିବା ରାଜ୍ୟ
କେନ୍ଦ୍ରାପଡାରେ ଉଦ୍ଘାଟତି ହେଲା ସର୍କସ
