ଜିଲ୍ଲାରେ ପ୍ରଥମ ଥର ନିମନ୍ତେ ଅବସରଦିନ ଫାଇନାଲ ପେନସନ ମଞ୍ଜୁରୀପତ୍ର ପାଇଲେ ଶିକ୍ଷୟିତ୍ରୀ


କେନ୍ଦ୍ରାପଡ଼ା,୨୯ା୨ : କେନ୍ଦ୍ରାପଡା ଜିଲ୍ଲାରେ ପ୍ରଥମ ଥର ନିମନ୍ତେ ଜନୈକ ଶିକ୍ଷୟିତ୍ରୀ ଅବସର ଦିନ ଫାଇନାଲ ପେନସନ ମଞ୍ଜୁରୀପତ୍ର ପାଇଥିବା ଦେଖାଯାଇଛି । କେନ୍ଦ୍ରାପଡା ମଣ୍ଡଳ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ଭରତପୁର ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶାନ୍ତିଲତା ବାରିକ ଆଜି କାର୍ଯ୍ୟରୁ ଅବସର ନେଇଥିବା ବେଳେ ତାଙ୍କୁ ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସଭାଗୃହରେ ଫାଇନାଲ ପେନସନ ପ୍ରଦାନ କରାଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଏକ ଉତ୍ସବରେ କେନ୍ଦ୍ରାପଡା ମଣ୍ଡଳ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର ଦଳାଇ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଶ୍ରୀମତୀ ବାରିକଙ୍କୁ ପୁଷ୍ପଗୁଛ ଓ ଉପଢୈାକନ ପ୍ରଦାନ ପୂର୍ବକ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରି ତାଙ୍କୁ ଫାଇନାଲ ପେନସନ ମଞ୍ଜୁରୀ କାଗଜପତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ନୋଡାଲ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ଦାସ, ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀ ଅଞ୍ଜନା ସ୍ୱାଇଁ, ପ୍ରାଥମିକ ଶିକ୍ଷକ ସଙ୍ଘ ସଭାପତି ରାଜକିଶୋର ବିଶ୍ୱାଳ, ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀ ତଥା ବି.ଆର.ସି.ସି. ହିରଣ୍ୟ ବାରିକ, ଉପଦେଷ୍ଟା ମାନଭଞ୍ଜନ ପ୍ରଧାନ, କର୍ମଚାରୀ ସୂର୍ଯ୍ୟନାରାୟଣ ବିଶ୍ୱାଳ, ଅବିନାଶ ବଳ, ସୁଜିତ କୁମାର ରାଉତଙ୍କ ସମେତ ସି.ଆର.ସି.ସି.ପ୍ରମୁଖ ଉପସ୍ଥିତ ଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ ଶିକ୍ଷୟିତ୍ରୀ ଶ୍ରୀମତୀ ବାରିକ ପେନସନ ନିମନ୍ତେ ଅନ୍‌ଲାଇନ୍‌ରେ ଗତ ଜାନୁଆରୀମାସ ୨୭ତାରିଖରେ ଆବେଦନ କରିଥିଲେ । ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଦଳାଇ ସେହି ଆବେଦନକୁ ଚଳିତମାସ ୩ ତାରିଖରେ ଅନୁମୋଦନ ସହ କଂଟ୍ରୋଲର ଅଫ୍ ଆକାଉଣ୍ଟସଙ୍କୁ ପଠାଇଥିଲେ । ଶିକ୍ଷୟିତ୍ରୀ ଶ୍ରୀମତୀ ବାରିକଙ୍କ ଫାଇନାଲ ପେନ୍‌ସନ ମଞ୍ଜୁର ହୋଇ ଚଳିତମାସ ୨୦ତାରିଖରେ ଅନଲାଇନ୍ ଯୋଗେ ତାଙ୍କ ନିକଟରେ ପହଞ୍ଚିଥିବା ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀ ଦଳାଇ ସୂଚନା ଦେଇଛନ୍ତି । ପେନସନ ପାଇଁ ଅନଲାଇନ ଆବେଦନ ସିଷ୍ଟମ ଲାଗୁ ହେବା ପରେ ଆଉ ଶିକ୍ଷକମାନେ ସମସ୍ୟାର ସମ୍ମୁଖୀନ ହେବେ ନାହିଁ ବୋଲି ଶ୍ରୀ ଦଳାଇ କହିଛନ୍ତି ।