
କେନ୍ଦ୍ରାପଡ଼ା,୧ା୩: ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ନିର୍ଦ୍ଦେଶକ୍ରମେ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନର ଆନ୍ତର୍ଜାତୀୟ ଚକ ଚୌକି ଦିବସ ମହାସମାରୋହରେ ପାଳନ କରିବା ପାଇଁ ଯୋଜନା ହୋଇଥିଲା । ତଦନୁଯାୟୀ ଆଜି ସକାଳ ୮ ଘଟିକା ସମୟରେ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଜିଲ୍ଲା ଓ ଜିଲ୍ଲା ବାହାରୁ ଆସୁଥିବା ୩୦ଜଣ ଚଳନ୍ତି ବାଧିତ ପିଲାମାନଙ୍କୁ ନେଇ ଇଣ୍ଡୋର ଷ୍ଟାଡିୟମ୍ରେ ବାସ୍କେଟ ବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ‘ଏ’ ଓ ‘ବି’ ଦଳ ମଧ୍ୟରେ ପାଞ୍ଚଟି ମ୍ୟାଚ୍ ଖେଳାଯାଇ ପ୍ରଶାନ୍ତ ନାୟକଙ୍କ ନେତୃତ୍ୱରେ ଟିମ୍ ‘ବି’, ଟିମ୍ ‘ଏ’କୁ ୩-୨ ପଏଣ୍ଟରେ ହରାଇ ଚମ୍ପିଆନ ହୋଇଥିଲା । ଠିକ୍ ୯.୩୦ମିିନିଟ ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏକ ସଚେତନତା ରାଲି ଭିନ୍ନକ୍ଷମ, ସାଧାରଣ ବ୍ୟକ୍ତି ଓ ସ୍ୱତନ୍ତ୍ର ବିଦ୍ୟାଳୟର ଅନ୍ତେବାସୀଙ୍କୁ ନେଇ ସହର ପରିକ୍ରମା କରି ମ୍ୟୁନିସିପାଲିଟି ଟାଉନହଲ୍ରେ ପହଁଞ୍ଚିଥିଲା ।

ଟାଉନହଲରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ଦ୍ୱାରା ସଚେତନତା ସୃଷ୍ଟି କରୁଥିବା ତିନିଗୋଟି ସାଂସ୍କୃତିକ ଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ୧୧.୩୦ମି. ରୁ ୧୨.୩୦ ଅପରାହ୍ନ ଯାଏଁ ଆର୍.ପି.ଡବ୍ଲ୍ୟୁ.ଡି ଆକ୍ଟ -୨୦୧୬ ଉପରେ ପୁନର୍ବାସ, କେନ୍ଦ୍ରାପଡା ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଠିକ୍ ଦିନ ୧୨.୩୦ମି.ରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସଙ୍କ ସଭାପତିତ୍ୱରେ ଜିଲ୍ଲାସ୍ତରୀୟ ଚକ ଚୌକି ଦିବସ ପାଳନର ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳି ସେଠୀ, କଥାକାର ଡ. ବିରଜା ରାଉତରାୟ, ଭାରତୀୟ ମହିଳା ବାସ୍କେଟ ଦଳର ଅଧିନାୟକ ସୁନିତା ପରିଡ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିଆର ସିଂହ ଯୋଗ ଦେଇଥିଲେ । ଭିନ୍ନକ୍ଷମଙ୍କ ପାଇଁ ଆବଶ୍ୟକୀୟ ସବୁ ପ୍ରକାରର ବ୍ୟବସ୍ଥା କରିବା ପାଇଁ ଡ. ବିରଜା ରାଉତରାୟ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । ଜିଲ୍ଲାପାଳ ଜିଲ୍ଲାର ସମସ୍ତ ଭିନ୍ନକ୍ଷମମାନଙ୍କ ଉନ୍ନତି ସମସ୍ତ ପ୍ରକାର ସହାୟତା କରିବେ ବୋଲି ପ୍ରତିଶ୍ରୁତି ଦେବାସହ କାହାର କିଛି ଅସୁବିଧାକୁ ତାଙ୍କ ବ୍ୟକ୍ତିଗତ ମୋବାଇଲ ନମ୍ବରକୁ ଜଣାଇବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ପରିଶେଷରେ ବାସ୍କେଟ ବଲ ଦଳର ସମସ୍ତ ଖେଳାଳିଙ୍କୁ ଉପଢୌକନ, ପ୍ରମାଣପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଉଭୟ ‘ବି’ ଓ ‘ଏ’ ଟିମ୍କୁ ୩ହଜାର ଓ ୨ହଜାର ପ୍ରତି ପ୍ରୋତ୍ସାହନ ରାଶି ପ୍ରଦାନ କରିଥିଲେ । ଏହାବାଦ୍ ଯୋଗ ଦେଇଥିବା ବହୁ ଭିନ୍ନକ୍ଷମ କଳାକାରଙ୍କୁ ପ୍ରମାଣପତ୍ର, ଉପଢୌକନ ଓ ଆର୍ôଥକ ସହାୟତା ପ୍ରଦାନ କରାଯାଇଥିଲା । ଜିଲ୍ଲାରେ ପ୍ରଥମ କରି ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ମଧ୍ୟରେ ବାସ୍କେଟ ବଲ ପ୍ରତିଯୋଗିତା ଏକ ଭିନ୍ନ ସ୍ୱାଦ ଭରିଦେଇଥିବା ଦର୍ଶକମାନେ ପ୍ରକାଶ କରନ୍ତି । ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ସ୍ୱତନ୍ତ୍ର ବିଦ୍ୟାଳୟର କର୍ମକର୍ତ୍ତା, ସମସ୍ତ ବ୍ଲକ, ମ୍ୟୁନିସିପାଲିଟି ଓ ଜିଲ୍ଲା କାର୍ଯ୍ୟାଳୟର କର୍ମଚାରୀ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ । ଶେଷରେ ନିମାଇଁ ଚରଣ ମାନସିକ ଅନଗ୍ରସର, ଅଧ୍ୟକ୍ଷ ସ୍ୱପ୍ନାଂଶୁ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।











