ଘରୁ ଉଦ୍ଧାର ହେଲା ବାପା, ମାଆ ଓ ପୁଅଙ୍କ ମୃତଦେହ


କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ ଅନ୍ତର୍ଗତ ତାଳଚୁଆ ପଂଚାୟତ ରାଜେନ୍ଦ୍ରନଗର ଗାଁରେ ଚାଂଚଲ୍ୟକର ଘଟଣା ଘଟିଛି । ଏକ ଘରୁ ମା’, ବାପା, ଏବଂ ପୁଅଙ୍କ ମୃତଦେହ ରାଜନଗର ପୋଲିସ ଉଦ୍ଧାର କରିଛି । ମୃତକ ହେଲେ ବାପା ଶ୍ରୀଦାମ ମଣ୍ଡଳ(୫୩), ମା’ ଜୟନ୍ତୀ ମଣ୍ଡଳ(୪୫) ଓ ପୁଅ ପରୀକ୍ଷିତ ମଣ୍ଡଳ(୨୭) । ଆଜି ସକାଳେ ଶ୍ରୀଦାମ ମଣ୍ଡଳଙ୍କ ଝୁଲନ୍ତା ମୃତଦେହ ଛାତରୁ ତଳକୁ ଓହଳିଥିବା ଦେଖି ଗାଁ ଲୋକେ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ତହସିଲଦାର ଅଜୟ କୁମାର ମହାନ୍ତି, ଏସଡିପିଓ କ୍ଷମାସାଗର ପଣ୍ଡା ପହଁଚିଛନ୍ତି । ପୁଲିସ ଘର ତାଡ଼ି ତିନିଟି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ସାମୁଦ୍ରିକ ଥାନା ଅନ୍ତର୍ଗତ ରାଜେନ୍ଦ୍ରନଗର ଗ୍ରାମର ଶ୍ରୀଦାମ ଛାତରୁ ବାହାରିଥିବା ରଡରେ ରଶି ଲଗାଇ ଝୁଲୁଥିବା ଅବସ୍ଥାରେ ସ୍ଥାନୀୟ ଲୋକ ପ୍ରଥମେ ଦେଖି ସାମୁଦ୍ରିକ ଥାନାକୁ ଖବର ଦେଇଥିଲେ । ଖବର ପାଇ ଏଏସଆଇ ବାବୁରାମ ହେମରମ ଓ ପୋଲିସ କର୍ମଚାରୀମାନେ ପହଂଚି ଘଟଣାସ୍ଥଳ ଦେଖିବା ପରେ ପଟ୍ଟାମୁଣ୍ଡାଇ ଏସଡିପିଓଙ୍କ ସମେତ ଅନ୍ୟ ଅଧିକାରୀମାନଙ୍କୁ ଜଣାଇଥିଲେ । ଏସଡିପିଓ କ୍ଷମାସାଗର ପଣ୍ଡା , ସ୍ଥାନୀୟ ତହସିଲଦାର ତଥା ମାଜିଷ୍ଟ୍ରେଟ ଅଜୟକୁମାର ମହାନ୍ତି ଘଟଣାସ୍ଥଳରେ ପହଂଚିଥିଲେ । ଶ୍ରୀଦାମଙ୍କ ସାନପୁଅ ଗୈାରହରି ମଣ୍ଡଳ(୨୦) ବାହାରେ ରହୁଥିବାରୁ ତାଙ୍କୁ ଘଟଣା ସମ୍ପର୍କ ଅବଗତ କରଯାଇଥିଲା । ଗୈାରହରୀ ଆସିବା ପରେ ଶ୍ରୀଦାମର ଶବକୁ ତଳକୁ ଓହ୍ଲାଯାଇଥିଲା । ଘର ଭିତରୁ ବନ୍ଦ ଥିବାରୁ କବାଟ ତଡାଯାଇ ମାଆ ଓ ପୁଅର ଶବକୁ ଉଦ୍ଧାର କରାଯାଇଥିଲା । ପୁଅ ପରିକ୍ଷିତ ଗୋଟିଏ ଘର ଖଟ ଉପରେ ମରି ପଡିଥିବା ବେଳେ ମାଆ ଜୟନ୍ତୀ ଅନ୍ୟ ଏକ ଘରର ଚଟାଣରେ ମରିପଡିଥିବା ଦେଖିବାକୁ ମିଳିଥିଲା । ଉଭୟଙ୍କ ପାଟିରୁ ରକ୍ତମିଶା ଫେଣ ବାହାରୁଥିବା ଦେଖିବାକୁ ମିଳିଥିଲା । ସାଇଁଟିଫିକ୍ ଟିମ୍ ପହଂଚି ଅନୁଧ୍ୟାନ କରିଥିଲା । ସାନପୁଅ ଗୈାରହରୀ ତାଳଚୁଆ ସାମୁଦ୍ରିକ ଥାନାରେ ଲିଖିତ ଭାବେ ଅଭିଯୋଗ କରିବା ପରେ ତିନୋଟି ଶବକୁ ପୋଲିସ ଜବତ କରି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବ୍ୟବଛେଦ ପାଇଁ ପଠାଇଛି । ଏହା ହତ୍ୟା ନାଁ ଆତ୍ମହତ୍ୟା ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ଏନେଇ ଏସଡିପିଓ କ୍ଷମାସାଗର ପଣ୍ଡାଙ୍କୁ ପଚାରିବାରୁ ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ସତ୍ୟାସତ୍ୟ ପଦାକୁ ଆସିବ । ପୋଲିସ ଏହି ଘଟଣାକୁ ଗୁରୁତର ସହ ନେଇ ସବୁଦିଗରୁ ତଦନ୍ତ ଜାରୀ ରହିଛି ବୋଲି କହିଛନ୍ତି ।


Next Post

ନିଜକୁ ଗୁଳି କରି ଜୀବନ ହାରିଲେ ଯବାନ

Sun Mar 3 , 2024
କେନ୍ଦ୍ରପଡ଼ା ଜିଲା ମହାକାଳପଡ଼ା ଥାନା ଅନ୍ତର୍ଗତ କିଆରବାଙ୍କ ଡିଆରଡିଓ ଅଫିସରେ ସୈନ୍ୟବାହିନୀର ଜଣେ ଯବାନଙ୍କ ଆତ୍ମହତ୍ୟା । ଯବାନ ଜଣଙ୍କ ନିଜକୁ ଗୁଳିକରି ହତ୍ୟା କରିଛନ୍ତି ବୋଲି ଆଲୋଚନା ହେଉଛିି । । ମୃତକ ଯବାନ ହେଲେ ତାମିଲନାଡୁର ରାଜେଶ କରନ୍‌(୩୫) ।

KANIKA