
କେନ୍ଦ୍ରାପଡ଼ା,୧୬ା୭: ରାଜ୍ୟରେ ବିଭିନ୍ନ ପ୍ରକାର ଅପରାଧିକ କାର୍ଯ୍ୟକଳାପ ସାଙ୍ଗକୁ ସଡକ ଦୁର୍ଘଟଣା ଜନିତ ଜୀବନ ହାନୀ ଓ ଅନେକ ସାମାଜିକ ସମସ୍ୟା ବହୁ ପରିମାଣରେ ବଢି ଚାଲିଥିବା ବେଳେ ଏସବୁର ମୂଳ କାରଣ ମଦ ଓ ଅନ୍ୟାନ୍ୟ ନିଶା ଦ୍ରବ୍ୟ କାରବାରକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବା ପରିବର୍ତ୍ତେ ସରକାର ନିଶା ପ୍ରସାରକୁ ନିଜର ନୀତି ଭାବରେ ଗ୍ରହଣ କରି ପ୍ରତିବର୍ଷ ଅଧିକରୁ ଅଧିକ ମଦ ଦୋକାନ ଖୋଲି ଚାଲିଛନ୍ତି ଏବଂ ଏହି ନୀତିକୁ ସିଦ୍ଧ କରିବା ପାଇଁ ବିଭାଗୀୟ ପୃଷ୍ଟପୋଷକତାରେ ପ୍ରତି ଗ୍ରାମରେ ଲୁଚା ଚୋରାରେ ମଦ ପହଞ୍ଚାଇବାର ବ୍ୟବସ୍ଥା କରୁଛନ୍ତି । ସରକାରଙ୍କ ଏପରି ସମ୍ବିଧାନ ତଥା ସମାଜ ବିରୋଧୀ ନୀତି ବିରୋଧରେ ଏବଂ ୧୯୫୬ ମସିହାର ନିଶା ନିବାରଣ ଆଇନକୁ କାର୍ଯ୍ୟକାରୀ କରିବା ଦାବିରେ ବ୍ୟାପକ କାର୍ଯ୍ୟକ୍ରମ ଗ୍ରହଣ କରିବା ଉଦେଶ୍ୟରେ ମିଳିତ ଓଡିଶା ନିଶା ନିବାରଣ ଅଭିଯାନର ପରିବର୍ଦ୍ଧିତ କେନ୍ଦ୍ରାପଡା ଜିଲ୍ଲା କମିଟି ବୈଠକ ସହରର ତିନିମୁହାଣୀ ସ୍ଥିତ ଶ୍ରୀରାମ ମନ୍ଦିର ପରିସରରେ ସଂଗଠନର ଜିଲ୍ଲା ସଭାପତି ପାର୍ବତୀ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ଜିଲ୍ଲା ସମ୍ପାଦକ ଆଦିକନ୍ଦ ରାଉଳ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ଅଗଷ୍ଟ ୧୫ତାରିଖ ମଧ୍ୟରେ ପ୍ରତି ବ୍ଲକ ସ୍ତରରେ ବୈଠକ ଓ ଦସ୍ତଖତ ଅଭିଯାନ ଏବଂ ଅକ୍ଟୋବର ୨ତାରିଖ ମଧ୍ୟରେ ଜିଲ୍ଲା ସ୍ତରୀୟ ଶୋଭାଯାତ୍ରା କରାଯାଇ ନଭେମ୍ବର ୨୩ ନବକୃଷ୍ଣ ଚୈାଧୁରୀଙ୍କ ଜୟନ୍ତୀ ଅବସରରେ ଭୁବନେଶ୍ୱରରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ସମାବେଶ ପାଇଁ ବ୍ୟାପକ ଜନଜାଗରଣ କରାଯିବ ବୋଲି ପ୍ରକାଶ କରିଥିଲେ । ଆଳି ବ୍ଲକର ଉପଦେଷ୍ଟା ଗୋବିନ୍ଦ ନନ୍ଦ, ରାଜକନିକାର ସମ୍ପାଦକ କୈଳାସ ମଲିକ, କେନ୍ଦ୍ରାପଡାର ଭାଗୀରଥି ଜେନା, ମାର୍ଶାଘାଇର ସୀତାକାନ୍ତ ନାୟକ, ଡେରାବିଶିର ବିଶ୍ୱନାଥ ବେହେରା ଓ ଆଇନଜୀବୀ ରମଣୀରଞ୍ଜନ ରାଉତରାୟ, ବିଧୁଭୂଷଣ ମହାପାତ୍ର, ରବୀନ୍ଦ୍ର ନାଥ ରଥ, ଧନେଶ୍ୱର ବେହେରା, ମହେନ୍ଦ୍ର ପଟ୍ଟନାୟକ, ସଶ୍ମିତା ବେହେରା, ଶରତ ରାଉତ, ଶ୍ରୀଧର ଭୋଳ, ରାଜେଶ ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ସମ୍ପର୍କରେ ମତ ପ୍ରକାଶ କରିଥିବା ବେଳେ ଅକ୍ଷୟ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।











