କେନ୍ଦ୍ରାପଡାରେ ପଞ୍ଚୁଦୋଳ ମେଳଣ ଓ ହୋଲି ଉତ୍ସବ ପାଳିତ


କେନ୍ଦ୍ରାପଡ଼ା, ୩୦ା୩: କେନ୍ଦ୍ରାପଡା ସହର ଓ ଆଖପାଖ ଅଞ୍ଚଳରେ ବଡ ଧୁମଧାମରେ ପଞ୍ଚୁଦୋଳ ମେଳଣ ଓ ହୋଲି ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ଛାମୁ ମେଳଣରେ ବିଭିନ୍ନ ଅଞ୍ଚଳରୁ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି ବିମାନରେ ସଜ୍ଜିତ ହୋଇ ବାଜା ରୋଷଣିରେ ଯୋଗ ଦେଇଥିଲେ । ଶୁକ୍ରବାର ରାତିରେ ବହୁ ଦୋଳ ବିମାନ ସହରସ୍ଥିତ ପୁରୁଣା ବସ୍‌ଷ୍ଟାଣ୍ଡଠାରେ ଏକାଠି ହୋଇଥିଲେ । ଶନିବାର ସକାଳୁ ବାଲିପାଟଣାର ଲଛମନଜୀୟୁଙ୍କ ସହିତ ଅନ୍ୟ ସମସ୍ତ ବିମାନ ଏକାଠି ହେବା ପରେ ସେଠାରେ ଭୋଗଲାଗି କରାଯାଇଥିଲା । ଏହି ଅବସରରେ ପୁରୁଣା ବସ୍‌ଷ୍ଟାଣ୍ଡଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବାଲିପାଟଣାର ଲଛମନଜୀୟୁ, ସହରର ଗଣାମାହାଲସ୍ଥିତ ବିନୋଦ ବିହାରୀ, ଚାଟରାପାଟଣାସ୍ଥିତ ରାଧାଗୋବିନ୍ଦଜୀଉ, ବଣିଆମାଳସ୍ଥିତ ନୃସିଂହ ନାଥ, ଗରାପୁରର ରଘୁନାଥଜୀଉ, ଗୁଲନଗରର ମଦନମୋହନ ଓ ବୁଢା ଗୋବିନ୍ଦଙ୍କ ସହିତ ପ୍ରାୟ ୧୭ଗୋଟି ବିମାନ ଏହି ମେଳଣରେ ଅଂଶଗ୍ରହଣ କରିଥିଲେ । ଇଚ୍ଛାପୁର ଶ୍ରୀ ବଳଦେବଜୀଉଙ୍କ ମନ୍ଦିରରେ ଛାମୁ ମେଳଣ ଶେଷ ହେବା ପରେ ଶ୍ରୀ ଲଛମନଜୀଉଙ୍କ ସମେତ ଅନ୍ୟ ବିମାନ ବାଜା ରୋଷଣିରେ ସହରର ବିଭିନ୍ନ ସ୍ଥାନରେ ଭୋଗଲାଗି କରାଯିବା ପରେ ନିଜ ନିଜ ଅଞ୍ଚଳର ମନ୍ଦିରକୁ ଫେରିଥିଲେ । ଏଥିରେ ଆଖପାଖ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁ ଯୋଗ ଦେଇଥିଲେ ।
ପ୍ରଭୁ ଶ୍ରୀ ବଳଦେବଜୀଉ ଆଜି ମେଳଣ ଆୟୋଜନ କରି ହୋଲି ଖେଳିବାର ପରମ୍ପରା ରହିଛି । ତେଣୁ କେନ୍ଦ୍ରାପଡାର ଲୋକମାନେ ଆଜି ହୋଲି ଖେଳରେ ସାମିଲ ହୋଇଛନ୍ତି ।

ଏହି ଅବସରରେ ଶ୍ରୀ ବଳଦେବଜୀଉଙ୍କର ସ୍ୱତନ୍ତ୍ର ଫଗୁ ବେଶ ଅନୁଷ୍ଠିତ ହୋଇଥିଲା । ସହର ଓ ଆଖପାଖ ଅଞ୍ଚଳରେ ଉତ୍ସାହ ସହ ଆଜି ହୋଲି ଖେଳିଛନ୍ତି । ଏହି ଅବସରରେ ଆଜି ସକାଳେ କେନ୍ଦ୍ରାପଡା ସାଇକେଲ କ୍ଲବ ତରଫରୁ ଏକ ହୋଲି ଉତ୍ସବ ପାଳନ କରାଯାଇଥିଲା । ଏଥିରେ ବିଭିନ୍ନ ସଂପ୍ରଦାୟର ଲୋକମାନେ ମିଠା ଖୁଆଇ, ଅବିର ବୋଳି ଏହି ପର୍ବ ପାଳନ କରିଥିଲେ । ରଙ୍ଗର ଏହି ପର୍ବ ସୌହାର୍ଦ୍ଦ୍ୟ ଓ ଭାତୃଭାବର ଏହି ପରମ୍ପରାକୁ ମଜବୁତ୍ କରିବ ବୋଲି ସାଇକେଲ କ୍ଲବର ସଦସ୍ୟମାନେ ମତାମତ ଦେଇଥିଲେ । ଆଗକୁ ନିର୍ବାଚନ ଥିବାରୁ ବିଭିନ୍ନ ଦଳର ନେତାମାନେ ଏହି ସୁଯୋଗକୁ ହାତଛଡା କରିନଥିଲେ । ଦଳୀୟ କର୍ମୀଙ୍କ ସହ ହୋଲି ଖେଳି ପରସ୍ପର ସହ ଭାବର ଆଦାନ ପ୍ରଦାନ କରିବା ସହ ପୁରୁଣା ସମ୍ପର୍କକୁ ନୂଆ କରିଥିଲେ । ଏଥିରେ ଜିଲ୍ଲା ବିଜେଡି ସଭାପତି ଧିରେନ କୁମାର ସାହୁ, ବିଜେପି ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା, କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ବିଜେଡି ରାଜ୍ୟ ସମ୍ପାଦକ ରଞ୍ଜିତ ସାହୁ, ନଗର ସଭାପତି ଯଯାତି କେଶରୀ ମହାନ୍ତି ପ୍ରମୁଖ ବହୁ ନେତା ଓ କର୍ମୀ ସାମିଲ ହୋଇଥିଲେ । ନିଜ ଭିତରେ ଥିବା ଭେଦଭାବ ଭୁଲି ନିର୍ବାଚନ ପୂର୍ବରୁ ହୋଲିର ରଙ୍ଗରେ ପରସ୍ପରକୁ ଆଲିଙ୍ଗନ କରିଥିଲେ ନେତା ଓ କର୍ମୀ । ଆଜି ରଙ୍ଗଖେଳ ପରେ କାଲିଠାରୁ ପୁଣିଥରେ ନିର୍ବାଚନ ମଇଦାନରେ ପରସ୍ପରକୁ ଭେଟିବେ ପ୍ରତିଦ୍ୱନ୍ଦୀ । ତେବେ ସାଧାରଣ ଜନତାଙ୍କ ପାଇଁ ଏହି ପର୍ବ ରାଜନୀତି କମ୍ ରଙ୍ଗ ବେଶୀ କହିଲେ ଅତୃପ୍ତି ହେବନାହିଁ ।


Discover more from

Subscribe now to keep reading and get access to the full archive.

Continue reading