କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ସହର ଓ ଗ୍ରାମାଂଚଳରେ ଇସଲାମ ଧର୍ମର ଅନ୍ୟତମ ପବିତ୍ର ଗଣମହୋତ୍ସବ ଇଦ ବିପୁଳ ଆନନ୍ଦଉଲ୍ଲାସ ମଧ୍ୟରେ ମହାସମାରୋହରେ ପାଳିତ ହୋଇଯାଇଛି । ଏଇ ଅବସରରେ ଇଦଗାହା ପଡିଆ ସମୂହ ନମାଜ ପାଠ କରାଯାଇଥିଲା । ଏମାମ ସାହେବ ମହମଦ ଇସ୍ରାଫିଲ ଆମଜାଦି ସମୂହ ନମାଜ ପାଠ କରାଇଥିବାବେଳେ ସହଯୋଗୀ ମୌଲାନା ୱାସୀମ ଅକ୍ତର କାଦିର ଓ ହାଫିଜ ସଲ୍ଲାଉଦିନ ନମାଜ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ନମାଜ ପାଠ ପାଇଁ ଇଦଗାହା ପଡିଆରେ ପଟ୍ଟାମୁଣ୍ଡାଇ ସଂଖ୍ୟାଲଘୁ ବସ୍ତିର ଶହ ଶହ ଇସଲାମିକ ମାନେ ସମବେତ ହୋଇଥିଲେ । ଏହି ପବିତ୍ର ଅବସରରେ ରାଜନଗର ବିଧାୟକ ଧ୍ରୁବ ସାହୁ କାର୍ଯ୍ୟକ୍ରମରେ ଯୋଗ ଦେଇ ସମସ୍ତ ସଂଖ୍ୟାଲଘୁ ଭାଇ ଭଉଣୀମାନଙ୍କୁ ଇଦ ଶୁଭେଚ୍ଛା ଜ୍ଞାପନ କରିଥିଲେ । ସଂଖ୍ୟାଲଘୁ ଭାଇମାନେ ବିଧାୟକଙ୍କୁ ଟୋପି ଓ ଚାଦର ପିନ୍ଧାଇ ଭବ୍ୟ ସ୍ୱାଗତ କରିଥିଲେ । ବିଧାୟକଙ୍କ ସହିତ ପଟ୍ଟାମୁଣ୍ଡାଇ ବ୍ଳକ ବିଜେଡି ସଭାପତି କିଶୋର ସାହୁ, ନଗର ବିଜେଡି ସଭାପତି ବୁଢ଼ା ଲେଙ୍କା, ଜିଲ୍ଲା ଯୁବ ବିଜେଡି ସମ୍ପାଦକ ଅଶୋକ ଧଳ ବରିଷ୍ଠ ନେତା ଅମୂଲ୍ୟ ପ୍ରଧାନ, ବରିଷ୍ଠ ସଂଖ୍ୟାଲଘୁ ସଂଗଠକ ଏସକେ ବାରି,ପୂର୍ବତନ ପୌର ଉପାଧକ୍ଷ ସୁମନ୍ତ ପାତ୍ର,୧୧ନଂ ୱାର୍ଡ କାଉନସିଲର ସାନିଆ ପରମିନ ସାହେବା ପ୍ରମୁଖ ସଂଖ୍ୟାଲଘୁ ଭଉଣୀଭାଇମାନଙ୍କୁ ଇଦ ଶୁଭେଚ୍ଛା ଜ୍ଞାପନ କରିଥିଲେ । ଦୀର୍ଘ ୮୦ବର୍ଷ ତଳେ ନିର୍ମିତ ମସଜିଦ ଗୃହ ପୁନଃନିର୍ମାଣ, ସମ୍ପ୍ରସାରଣ ପାଇଁ ସଂଖ୍ୟାଲଘୁ ଭାଇ ମାନେ ଦାବୀ କରିବା ସହିତ ଏ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ । ବିଧାୟକ ସଂଖ୍ୟାଲଘୁ ଭାଇମାନଙ୍କ ଅନୁରୋଧ ରକ୍ଷା କରି ମାନ୍ୟ ଗଣ୍ୟ ବ୍ୟକ୍ତି ଓ ନେତୃବୃନ୍ଦଙ୍କ ସହିତ ମସଜିଦ ପରିଦର୍ଶନ କରିଥିଲେ । ସେଠାରେ ଉପସ୍ଥିତ ଅଧ୍ୟାପକ ସେକ ଫାରୁକ ଅଲ୍ଲୀ,ସେକ ବାଦଶାହା ,ସେକ ଜାକରିଆ ଅହମଦ,ସେକ ସମସେର ଖାଁ,ସେକ ରଫିକ ଅଲ୍ଲୀ,ସେକ ମାଜିଦ,ସମୀରୁଦ୍ଦିନ ଖାଁ, ସେକ ସରାତୁଲ୍ଲା ପ୍ରମୁଖ ମସଜିଦ ଅବସ୍ଥା ସମ୍ପର୍କରେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ମୁସଲମାନବସ୍ତି ସମେତ ଆଖପାଖ ଅଂଚଳର ଜନସାଧାରଣ ଯୋଗ ଦେଇ ପରସ୍ପରକୁ ଇଦ ଶୁଭେଚ୍ଛା ଜଣାଇଥିଲେ । କେନ୍ଦ୍ରାପଡ଼ା ବିଜେଡି ସାଂସଦ ପ୍ରାର୍ଥୀ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି କାର୍ଯ୍ୟବ୍ୟସ୍ତତା ଯୋଗୁଁ ଇଦ ଉତ୍ସବରେ ଯୋଗ ଦେଇ ପାରିନଥିଲେ ମଧ୍ୟ ତାଙ୍କ ପ୍ରତିନିଧି ପଠାଇ ସଂଖ୍ୟାଲଘୁ ଭଉଣୀ ଭାଇ ମାନଙ୍କୁ ଇଦ ଶୁଭେଚ୍ଛା ଜଣାଇଥିଲେ । ପଟ୍ଟାମୁଣ୍ଡାଇ ସଂଖ୍ୟାଲଘବସ୍ତି କାର୍ଯ୍ୟକ୍ରମ ପରେ ବିଧାୟକ ସାହୁ ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ସାନଜରିଆ ସଂଖ୍ୟାଲଘବସ୍ତିକୁ ଯାଇ ପବିତ୍ର ଇଦ ଅବସରରେ ଶୁଭେଚ୍ଛା ଜ୍ଞାପନ କରିବା ସହିତ ସୁଖ ସମୃଦ୍ଧି କାମନା କରିଥିଲେ ।











