ଦୁଷ୍କର୍ମ ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ



କେନ୍ଦ୍ରାପଡ଼ା, ୧୬ା୪: କେନ୍ଦ୍ରାପଡା ଫାଷ୍ଟଟ୍ରାକ୍ ଆଡହକ କୋର୍ଟର ଅତିରିକ୍ତ ଜିଲ୍ଲାଜଜ୍ ତ୍ରୀବିକ୍ରମ କେଶରୀ ଚିହ୍ନରା ଜନୈକ ଦୁଷ୍କର୍ମ ଅଭିଯୁକ୍ତକୁ ୧୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୩୧ହଜାର ଟଙ୍କା ଜରିମାନା କରିଛନ୍ତି ।

ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ଟାଉନ ଥାନା ଅଞ୍ଚଳର ଜନୈକ ମହିଳା ତାଙ୍କ ଘରେ ଶୋଇଥିବା ବେଳେ ଗତ ୨୦୧୯ ମସିହା ଜୁନ ମାସ ୧୬ ତାରିଖ ରାତି ୮ଟା ସମୟରେ ଟାଉନ ଥାନା ଅନ୍ତର୍ଗତ ଚକଡା ଗ୍ରାମର ଗୁଣନିଧି ମଳିକ ଓରଫ ପାତିଆ ସେହି ମହିଳାଙ୍କ ପୁତ୍ର ଏବଂ ପତିଙ୍କ ଅନୁପସ୍ଥିତି ସୁଯୋଗରେ ତାଙ୍କ ଘରେ ପ୍ରଶି ସଂପୃକ୍ତ ମହିଳାଙ୍କୁ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା । ମହିଳା ଜଣକ ଜୋରରେ ଚିତ୍କାର କରିବାରୁ ପାତିଆ ତାଙ୍କ ପାଟିରେ ଗାମୁଛା ପୁରାଇ ବିଧା ଚାପୁଡା ମାରିବା ସହିତ ବେଶି ପାଟି କଲେ ଜୀବନରୁ ମାରି ଶେଷ କରିଦେବାକୁ ଧମକ ଦେଇଥିଲା । ସେହି ସମୟରେ ଚିତ୍କାର ଶୁଣି ଗ୍ରାମର କିଛି ଲୋକ ସେଠାରେ ପହଞ୍ଚି ଯିବାରୁ ଅଭିଯୁକ୍ତ ଗୁଣନିଧି ସେଠାରୁ ଦୌଡି ଚାଲି ଯାଇଥିଲା । ଘଟଣା ସମ୍ପର୍କରେ ପୀଡିତାଙ୍କ ସ୍ୱାମୀ ଟାଉନ ଥାନାରେ ଲିଖିତ ଅଭିଯୋଗ କରିବାରେ ସେହି ଅଭିଯୋଗକୁ ଭିତ୍ତିକରି ଥାନା କେଶ୍ ନମ୍ବର-୧୦୫/୨୦୧୯ରେ ଆଇ.ପି.ସି.ର ୪୫୦, ୩୨୩ ଏବଂ ୩୭୬ଦଫାରେ ଏକ ଦୁଷ୍କର୍ମ ମାମାମଲା ରୁଜୁ କରାଯାଇଥିଲା । ଟାଉନ ଥାନା ପୋଲିସ ସେହି ମାମଲାର ତଦନ୍ତ କରି ଫାଇନାଲ ରିପୋର୍ଟ ଅଦାଲତରେ ଦାଖଲ କରିବା ପରେ ଏସ୍‌.ଟି. କେସ୍ ନଂ.୪/୨୦୨୨ରେ ମାମଲାର ଶୁଣାଣି ଚାଲିଥିଲା । ସେହି ମାମଲାର ବିଚାର କରି କେନ୍ଦ୍ରାପଡା ଫାଷ୍ଟ ଟ୍ରାକ୍ ଆଡହକ କୋର୍ଟର ଅତିରିକ୍ତ ଜିଲ୍ଲା ଜଜ୍ ତ୍ରିବିକ୍ରମ କେଶରୀ ଚିହ୍ନରା ୧୨ଜଣ ସାକ୍ଷୀଙ୍କ ସାକ୍ଷ୍ୟକୁ ଭିତ୍ତି କରି ଅଭିଯୁକ୍ତ ଗୁଣନିଧି ମଳିକ ଓରଫ ପାତିଆକୁ ୧୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୩୧ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି । ଜରିମାନା ଅନାଦେୟ ଅଧିକ ଏକବର୍ଷ ଜେଲ୍‌ଦଣ୍ଡ ଭୋଗିବାକୁ ପଡିବ ବୋଲି ଅଦାଲତ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ଅଦାଲତରେ ସରକାରଙ୍କ ପକ୍ଷରୁ ଏହି ମାମଲାକୁ ସରକାରୀ ଓକିଲ ସଞ୍ଜୟ କୁମାର ଜେନା ପରିଚାଳନା କରୁଥିଲେ ।