ସରସ୍ୱତୀ ସରକାରୀ ହାଇସ୍କୁଲରେ ନିରାପତା ଏବଂ ସୁରକ୍ଷା ସମ୍ପର୍କିତ କର୍ମଶାଳା : ଇକୋ କ୍ଲବର ବୃକ୍ଷରୋପଣ କାର୍ଯ୍ୟକ୍ରମ


କେନ୍ଦ୍ରାପଡ଼ା, ୨୩ା୪ : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଦେପୁରସ୍ଥିତ ସରସ୍ୱତୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ନିରାପତା ଓ ସୁରକ୍ଷା ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କାଦମ୍ବିନୀ ନାୟକଙ୍କ ସଭାପତିତ୍ୱରେ ବିଦ୍ୟାଳୟ ସଭାଗୃହରେ ଅନୁଷ୍ଠିତ କର୍ମଶାଳାରେ ମୋ ସ୍କୁଲ ଅଭିଯାନ ସଭାପତି ଡ. ଉପେନ୍ଦ୍ର ନାଥ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ବିଦ୍ୟାଳୟ ପରିଚାଳନା ସମିତି ସଭାପତି ମନୋଜ କୁମାର ନାୟକ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ ।

କେନ୍ଦ୍ରାପଡା ଅଗ୍ନିଶମ ବିଭାଗର ସହକାରୀ ଅଗ୍ନିଶମ ଅଧିକାରୀ ନିରଞ୍ଜନ ମନ୍ତ୍ରୀଙ୍କ ନେତୃତ୍ୱରେ ଏକ ୬ ଜଣିଆ ଟିମ ଏହି କର୍ମଶାଳାରେ ଯୋଗଦେଇ ନିରାପତା ଏବଂ ସୁରକ୍ଷା ସମ୍ପର୍କରେ ଉପସ୍ଥିତ ଶିକ୍ଷକ/ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀମାନଙ୍କ ସମ୍ମୁଖରେ ବିଭିନ୍ନ କଳା କୈାଶଳ ପ୍ରଦର୍ଶନ କରିବା ସହିତ ବହୁ ଶିକ୍ଷଣୀୟ ଉପଦେଶମାନ ଦେଇଥିଲେ । ଆକସ୍ମିକ ଅଗ୍ନିକାଣ୍ଡ ଘଟିଲେ କିପରି ଅଗ୍ନିକୁ ଆୟତ କରାଯାଇପାରିବ ଏବଂ ଜରୁରୀ ସମୟରେ କିପରି ୧୧୨ ନମ୍ବରକୁ ଫୋନ କରି ଆବଶ୍ୟକ ସେବାପ୍ରାପ୍ତ କରାଯାଇପାରିବ ସେ ସମ୍ପର୍କରେ ଆଲୋକପାତ କରିଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ବଜ୍ରପାତ ବେଳେ କପରି ପଦକ୍ଷେପ ନିଆଯିବା ଉଚିତ, ବରିଷ୍ଠ ଶିକ୍ଷୟିତ୍ରୀ ମଧୁସ୍ମିତା ଲେଙ୍କା ସାପ କାମୁଡିଦେଲେ ପ୍ରଥମେ କିଭଳି ପ୍ରାଥମିକ ଚିକିତ୍ସା କରାଯିବା କଥା, ଶିକ୍ଷୟିତ୍ରୀ ସବିତା ରାଉତ ଗ୍ରୀଷ୍ମପ୍ରବାହରେ ଅଂଶୁଘାତରୁ ସୁରକ୍ଷା ପାଇଁ ପ୍ରାଥମିକ ଉପଚାର କିଭଳି କରାଯିବ ସେ ସମ୍ପର୍କରେ ଆଲୋଚନା କରିଥିଲେ । ବିଦ୍ୟାଳୟର ଇକୋ କ୍ଲବ ସଂଯୋଜକ ଶିକ୍ଷକ ସନ୍ତୋଷ କୁମାର ଜେନା ପ୍ରଚଣ୍ଡ ଗ୍ରୀଷ୍ମରେ ରୈାଦ୍ରତାପକୁ ନିୟନ୍ତ୍ରଣ କରିବା ପାଇଁ ବୃକ୍ଷରୋପଣର ଆବଶ୍ୟକତା ବିଷୟରେ କହିଥିଲେ । ପରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ନେତୃତ୍ୱରେ ବିଦ୍ୟାଳୟର ହତା ମଧ୍ୟରେ ଏବଂ ବାହାରେ ଦେବଦାରୁ, ତାଳ ପ୍ରଭୃତି ବିଭିନ୍ନ ବୃକ୍ଷର ଚାରା ରୋପଣ କରାଯାଇଥିଲା । ଶିକ୍ଷୟିତ୍ରୀ ସୁଜାତା ସାହୁ, ସାବିତ୍ରୀ ସାହୁ, ଆରତୀ ଖଟୁଆ, ଲକ୍ଷ୍ମୀ ନାୟକ, ଜୟନ୍ତୀ ମହାନ୍ତି, ଦୀପା ରାଉତରାୟ, ଶଙ୍କର୍ଷଣ ମେକାପ, ରାଇସନ ମାରାଣ୍ଡୀ, ଦିବ୍ୟଜ୍ୟୋତି ଦାସ, ମାନସ କୁମାର ତରାଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସର୍ବଶେଷରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ମହେଶ୍ୱର ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading