ଅଂଶୁଘାତରେ ବୃଦ୍ଧଙ୍କ ମୃତ୍ୟୁ ଅଭିଯୋଗ



କେନ୍ଦ୍ରାପଡା 2/5-କିଛିଦିନ ହେଲା ଗ୍ରୀଷ୍ମ ପ୍ରବାହ ବଢ଼ି ପ୍ରବଳ ଖରା ସାଙ୍ଗକୁ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି । ଗ୍ରୀଷ୍ମ ପ୍ରବାହରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ପ୍ରଶାସନ ପକ୍ଷରୁ ସାଧାରଣ ଲୋକଙ୍କୁ ସଚେତନ କରାଯାଉଛି । ଏପରି ସ୍ଥଳେ ଜରୁରୀ କାମ ରେ ବାହାରକୁ ବାହାରିବା ସମୟରେ ବିଭିନ୍ନ ପ୍ରକାର ସତର୍କତା ଅବଲମ୍ବନ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜରିକରାଯାଇଛି । କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅଂଚଳରେ ଦୈନିକ ତାପମାତ୍ରା ୪୩ରୁ ୪୪ ଡିଗ୍ରୀ ରହୁଥିବା ବେଳେ ଜନଜୀବନ ଗ୍ରୀଷ୍ମଜନିତ ଅସୁସ୍ଥତା ଓ ଅଂଶୁଘାତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ତେବେ ଗୁରୁବାର ପଟ୍ଟାମୁଣ୍ଡାଇ ଅଂଚଳରେ ପ୍ରଚଣ୍ଡ ରୌଦତାପ ପ୍ରଭାବରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ମୃତକ ଜଣଙ୍କ ହେଉଛନ୍ତି ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ବଡପଡା ପଂଚାୟତ ସାହୁପଡା ଗ୍ରାମର କୁଞବିହାରୀ ଜେନା (୬୮) ବୋଲି ଜଣାପଡିଛି । ସେ ଆଜି ପୂର୍ବାହ୍ନ ୧୧ଟାରେ କୌଣସି ବ୍ୟକ୍ତିଗତ କାର୍ଯ୍ୟରେ ତାଙ୍କ ବିଲ ବଗିଚାକୁ ଯାଇଥିଲେ । ଅସହ୍ୟ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସେ ଚେତାଶୂନ୍ୟ ହୋଇପଡିଥିଲେ । ସ୍ଥାନୀୟ ଲୋକମାନେ ତାଙ୍କୁ ପଟ୍ଟାମୁଣ୍ଡାଇ ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ ଆଣିଥିଲେ । ମାତ୍ର ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ବୋଲି ଗ୍ରାମବାସୀ କହିଛନ୍ତି । ଖବର ପାଇ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ପୋଲିସ ପହଁଞ୍ଚିଏକ ମୃତ୍ୟୁ ମାମଲା ୧୩/୨-୫-୨୦୨୪ ରୁଜୁ କରି ଶବ ବ୍ୟବଛେଦ ନିମନ୍ତେ ଆଳି ଗୋଷ୍ଠି ସ୍ୱସ୍ଥ୍ୟକେନ୍ଦ୍ରକୁ ପଠାଇଛି । ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ଆଇଆଇସି ପଦ୍ମାଳୟା ପ୍ରଧାନ କହିଛନ୍ତି ।