
କେନ୍ଦ୍ରାପଡା, ୩୦/୫: ଭିନ୍ନକ୍ଷମ ବର୍ଗ ଭୋଟରଙ୍କ ମତଦାନ ପ୍ରକ୍ରିୟାରେ ପୂର୍ଣ୍ଣ ଅଂଶଗ୍ରହଣ ପାଇଁ ଚଳିତ ନିର୍ବାଚନକୁ ଅଧିକ ସୁଗମ ଓ ବ୍ୟାପକ ଅନୁକୂଳ ବ୍ୟବସ୍ଥା ଅବଲମ୍ବନ କରାଯାଇଛି । ସ୍ୱେଚ୍ଛାସେବୀ ଅନୁଷ୍ଠାନ ପୁନର୍ବାସ ପକ୍ଷରୁ ଚଳିତ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଦୃଷ୍ଟି ବାଧିତ ଭୋଟରମାନଙ୍କ ଅବଗତି ଉଦ୍ଦେଶ୍ୟରେ ଏକ – ‘ବ୍ରେଲ୍ ଭୋଟର ସଚେତନତା କର୍ମଶାଳା’ ପୁନର୍ବାସ ଥେରାପି କେନ୍ଦ୍ରରେ ବୁଧବାର ଆୟୋଜନ କରାଯାଇଥିଲା । ପୁନର୍ବାସର ମୁଖ୍ୟ ଉପଦେଷ୍ଟା ବିଶିଷ୍ଟ କଥାକାର ଡକ୍ଟର ବିରଜା ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ନନ୍ଦକିଶୋର ପରିଡା, ସମ୍ମାନିତ ଅତିଥି ଭାବେ ବରିଷ୍ଟ ଭେଷଜ ବିଶେଷଜ୍ଞ ଡା. କୁଳମଣି ବରାଳ, ଅସ୍ତିଶଲ୍ୟ ବିଶେଷଜ୍ଞ ଡା. ବିରେନ୍ଦ୍ର କୁମାର ଦାସ, ପ୍ରାକ୍ତନ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, କେନ୍ଦ୍ରାପଡ଼ା ମଣ୍ଡଳ ସାମାଜିକ ଅଧିକାରିଣୀ ସୁଦୀପ୍ତା ମହାପାତ୍ର, ବିଶିଷ୍ଟ ସାହିତ୍ୟିକ ଓ ଦୃଷ୍ଟିବାଧିତ ଶିକ୍ଷକ ନୃସିଂହ ଚରଣ ବେହେରା ଯୋଗଦେଇ ଏହି କର୍ମଶାଳା ଓ ପ୍ରଦାନ କରାଯାଇଥିବା ଭୋଟଦାନ ସହାୟକ ବ୍ରେଲ୍ ପୁସ୍ତିକାଟି ଦୃଷ୍ଟି ବାଧିତମାନଙ୍କୁ ମତଦାନ ପ୍ରକ୍ରିୟାରେ ଉପଲବ୍ଧ ସୁବିଧା ସମ୍ପର୍କରେ ଅବଗତ କରାଇବା ସହିତ ସ୍ୱାଧୀନ ଭାବେ ମତଦାନ କରିବାକୁ ସୁଗମ କରିବ । ଏହି ପୁସ୍ତକରେ ସକ୍ଷମ ଆପ୍, ଭୋଟଦାନ ପଦ୍ଧତି ବିଷୟରେ ବ୍ରେଲ ଲିପିରେ ସୂଚନା ପ୍ରଦାନ କରାଯାଇଛି । ଏହି କର୍ମଶାଳାରେ ଦୃଷ୍ଟି ବାଧିତ ଅଧ୍ୟାପିକା ସସ୍ମିତା ଅଧିକାରୀ, ଅରୁଣ କୁମାର ବେହେରା, ବଟକୃଷ୍ଣ ବାରିକ, ରାହୁଲ ପାତ୍ର, ଅକ୍ଷନନ୍ଦ କୁମାର ନାଥ ଆଦି ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୧୩ଜଣ ଦୃଷ୍ଟିବାଧିତ ଭୋଟର ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ ପୁନର୍ବାସର ସଭ୍ୟ ବଂଶୀଧର ମହାନ୍ତି, ଜ୍ୟୋତିରଞ୍ଜନ ନାୟକ, ଶିବପ୍ରସାଦ ସାମଲ, ଶେଷଦେବ ଦାସ, କ୍ଷୀରୋଦ କର, କାଉନସିଲର ସଂଜୀବ ଜେନା ପ୍ରମୁଖ ସଂଯୋଜନା କରିଥିଲେ । ପରିଶେଷରେ ପୌରସଂସ୍ଥା ଦୃଷ୍ଟିହୀନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସ୍ୱପ୍ନାଂଶୁ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ରଞ୍ଜନ ସ୍ୱାଇଁ, ମିହିର ରଞ୍ଜନ ବାରିକ, ଦୀପକ ସାହୁ ପ୍ରମୁଖ ସହାୟତା କରିଥିଲେ ।











