
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଦିହୁଡିପୁର ପଂଚାୟତର ସମିତିସଭ୍ୟ ପଦବୀ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏଥି ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ କରାଯାଇଛି । ଏହି ପଂଚାୟତର କଂଗ୍ରେସ ସମର୍ôଥତ ସମିତି ସଭ୍ୟା ପୁଷ୍ପଲତା ସ୍ୱାଇଁଙ୍କ ଅକାଳ ବିୟୋଗ ଯୋଗୁଁ ଉପନିର୍ବାଚନ ଅନୁଷ୍ଠିତ ହେଉଛି । ଦିହୁଡିପୁର ସମିତିସଭ୍ୟ ପଦବୀ ହାସଲ ପାଇଁ ଶାସକ ବିଜେଡି, ବିରୋଧୀ କଂଗ୍ରେସ ଓ ବିଜେପି ପୁରାଦମରେ ଲାଗିପଡିଛନ୍ତି ଓ ଆସନ୍ତା ୯ତାରିଖରେ ଦିହୁଡିପୁର ପଂଚାୟତ ସମିତିସଭ୍ୟା ପଦବୀ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ନାମାଙ୍କନପତ୍ର ଦାଖଲର ପ୍ରଥମ ଦିବସରେ କଂଗ୍ରେସ ସମର୍ôଥତ ପ୍ରାର୍ଥୀ ଝରଣା ପ୍ରଧାନ ପ୍ରାର୍ଥୀ ପତ୍ର ଦାଖଲ କରିଥିବାବେଳେ ଆଜି ଶାସକ ବିଜେଡି ସମର୍ôଥତ ପ୍ରାର୍ଥୀ ପ୍ରମିଳା ଖଟୁଆ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଦିହୁଡିପୁର ବଟଗୋସେଇଁ ପୀଠରୁ ପୂଜାର୍ଚନା କରି ବିଜେଡି ପ୍ରାର୍ଥୀ ପ୍ରମିଳା ନିଜର ସମର୍ଥକଙ୍କ ସହିତ ପଟ୍ଟାମୁଣ୍ଡାଇ ହରପାର୍ବତୀ ମନ୍ଦିରରେ ପହଂଚିଥିଲେ । ଏଠାରେ ଯଥାବିଧି ପୂଜାର୍ଚନା ପରେ ବିଜେଡି ପ୍ରାର୍ଥୀ ପ୍ରମିଳା ଖଟୁଆ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ଉପାଧକ୍ଷା ଜୟନ୍ତୀ ସ୍ୱାଇଁ, ବ୍ଲକ ବିଜେଡି ସଭାପତି କିଶୋର ସାହୁ, ବଡପଡା ସମବାୟ ସମିତି ସଭାପତି ଧନୁର୍ଜୟ ସ୍ୱାଇଁ, ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ବିଶ୍ୱାଳ, ଦିହୁଡିପୁର ପଂଚାୟତ ବିଜେଡି ସଭାପତି ପ୍ରତାପ ଦାସ, ମହିଳା ସଭାନେତ୍ରୀ ସୁଲୋଚନା ପରିଡା ପ୍ରମୁଖ ବହୁ ବିଜେଡି ନେତା କର୍ମକର୍ତାଙ୍କ ସହିତ ପୋଖରୀଆପଡା ହରପାର୍ବତୀ ମନ୍ଦିରରୁ ବିରାଟ ଶୋଭାଯାତ୍ରାରେ ବାହାରି ପଟ୍ଟାମୁଣ୍ଡାଇ ବ୍ଲକ ଅଫିସରେ ପହଂଚି ବିଡ଼ିଓ ତଥା ବ୍ଲକ ନିର୍ବାଚନ ଅଧିକାରୀ ଶୁଭ୍ରାଂଶୁ ସାହୁଙ୍କ ନିକଟରେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଆସନ୍ତାକାଲି ପ୍ରାର୍ଥୀପତ୍ର ଯାଂଚ କରାଯିବାର କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଥିବା ଜଣାପଡିଛି । ଦିହୁଡିପୁର ଉପନିର୍ବାଚନ ପାଇଁ ପଂଚାୟତ ରାଜନୀତି ସରଗରମ ହୋଇପଡିଛି ।

