ଶିଶୁ ପ୍ରତିପାଳନ ଯତ୍ନ ପାଇଁ ସଚେତନତା କାର୍ଯ୍ୟକ୍ରମ ପ୍ରସ୍ତୁତି ବୈଠକ

ଶିଶୁ ପ୍ରତିପାଳନ ଯତ୍ନ ପାଇଁ ସଚେତନତା କାର୍ଯ୍ୟକ୍ରମ ପ୍ରସ୍ତୁତି ବୈଠକ


କେନ୍ଦ୍ରାପଡ଼ା,୨୦ା୭: କେନ୍ଦ୍ରାପଡ଼ା ପ୍ରଦକ୍ଷଣ ଭବନରେ ଜିଲ୍ଲା ପ୍ରଶାସନ, ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଅନୁକୂଲ୍ୟରେ ଓ ଏଲଡବ୍ଲୁବି ଅନୁଷ୍ଠାନର ସହଭାଗୀତାରେ ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲଙ୍କ ଅଧ୍ୟକ୍ଷତାରେ ଶିଶୁ ପ୍ରତିପାଳନ ଯତ୍ନ ସଚେତନତା କାର୍ଯ୍ୟକ୍ରମର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅବହେଳିତ ଶିଶୁମାନଙ୍କ ସୁରକ୍ଷା, ଶିକ୍ଷା ଓ ସ୍ୱାସ୍ଥ୍ୟର ଯତ୍ନ ସହ ସେମାନଙ୍କ ଭବିଷ୍ୟତ କିପରି ଉଜ୍ଜଳମୟ ହେବ ଏବଂ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ଭାଗିଦାର କରି ସାମାଜିକ ମୂଲ୍ୟବୋଧକୁ ପ୍ରତିପାଦିତ କରିବା ଉକ୍ତ ବୈଠକର ମୂଳ ଉଦ୍ଦେଶ୍ୟ । ବୈଠକ ପ୍ରାରମ୍ଭରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ ଉପସ୍ଥିତ ସଦସ୍ୟମାନଙ୍କୁ ସ୍ୱାଗତ ଜଣାଇବା ସହ ବୈଠକର ଆଭିମୁଖ୍ୟ ବିଷୟରେ ବିଷଦ ବିବରଣୀ ଉପସ୍ଥାପନ କରିଥିଲେ । ବୈଠକରେ ଏଲଡବ୍ଲୁବିର ନିର୍ଦେଶକ ଅନୁପମ ସରକାର, ପରିଚାଳକ ଅନ୍ତରା ବିଶ୍ୱାସ ଓ ସହକାରୀ ପରିଚାଳକ ତପନ କୁମାର ଦାସ ଶିଶୁମାନଙ୍କ ପ୍ରତିପାଳନ କାର୍ଯ୍ୟକ୍ରମ ଭାରତ, ଚୀନ, ଉଗାଣ୍ଡା ଓ କାମ୍ବୋଡ଼ିଆ ଦେଶରେ ନିଆଯାଇଥିବା କାର୍ଯ୍ୟକ୍ରମ ସମ୍ପର୍କରେ ନିଜର ମତ ରଖିଥିଲେ । ଆମ ରାଜ୍ୟର ବୌଦ୍ଧ ଓ ବଲାଙ୍ଗୀର ଜିଲ୍ଲାରେ ଚାଲିଥିବା ଏହି ଯୋଜନାର ସଫଳତା ବିଷୟରେ ସଭାକୁ ଅବଗତ କରାଇଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ଶିଶୁ ସୁରକ୍ଷା ଭଳି ମହତ କାର୍ଯ୍ୟକୁ ସଫଳ ରୂପାୟନ ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାମଲ ଉପସ୍ଥିତ ସଦସ୍ୟ/ସଦସ୍ୟା ଓ ସ୍ୱଚ୍ଛାସେବୀ ସଂଗଠନମାନଙ୍କ ସହଯୋଗ ଓ ଉତ୍ସର୍ଗୀକୃତ ସେବା ଭାବନା ନିମନ୍ତେ ଆଶାବ୍ୟକ୍ତ କରିଥିଲେ । ଅନ୍ୟ ଜିଲ୍ଲା ଅପେକ୍ଷା ଆମ ଜିଲ୍ଲାରେ ଏହା କିପରି ଅଧିକ କ୍ରିୟାଶୀଳ ହୋଇପାରିବ ଓ ଅବହେଳିତ ଶିଶୁମାନଙ୍କ ଭବିଷ୍ୟତ କିପରି ଉଜ୍ଜଳମୟ ହୋଇପାରିବ ସେଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଉକ୍ତ ବୈଠକରେ ଶିଶୁ ମଙ୍ଗଳ କମିଟିର ପୂର୍ବତନ ଅଧ୍ୟକ୍ଷ, ସଦସ୍ୟ, ବର୍ତ୍ତମାନର ସଦସ୍ୟ, କିଶୋର ନ୍ୟାୟ ବୋର୍ଡ଼ର ସଦସ୍ୟ, ଶିଶୁ ଯତ୍ନ ଅନୁଷ୍ଠାନର କର୍ମକର୍ତା, ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର କର୍ମକର୍ତ୍ତା, ଆଇ.ସି.ଡି.ଏସ.ର ସୁପରଭାଇଜର ଓ ଅଙ୍ଗନୱାଡି କର୍ମୀ, ସମସ୍ତ ବିଭାଗୀୟ ଅଧିକାରୀ ଯୋଗ ଦେଇ ନିଜସ୍ୱ ମତାମତ ସହିତ ଏହାର ସୁଫଳ ନିମନ୍ତେ ସହଯୋଗ ପାଇଁ ମତବ୍ୟକ୍ତ କରିଥିଲେ । ଶେଷରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।