
କେନ୍ଦ୍ରାପଡା ୬/୮- ଓଡିଶା ରାଜଭବନ ପରିସରରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଙ୍କ କରକମଳରେ ରାଜଶ୍ରୀ କଳା ଓ ସାହିତ୍ୟ ସଂସଦର କାର୍ଯ୍ୟକାରୀ ସଭାପତି କବି ମଞ୍ଜୁଳ ମଞ୍ଜୁଶ୍ରୀ ବରାଳଙ୍କ ଦ୍ୱିତୀୟ କବିତା ସଂକଳନ “କବିତା କଲ୍ଲୋଳ” ଏବଂ କାର୍ଯ୍ୟକାରୀ ସଦସ୍ୟ ନାଟ୍ୟକାର ଡ. ରମାକାନ୍ତ ନାୟକଙ୍କ ଏକାଙ୍କୀ ସଙ୍କଳନ “ଏବେବି ଧରମା ବଞ୍ଚିଛି” ଉନ୍ମୋଚିତ ହୋଇଥିଲା । ଇତ୍ୟବସରରେ ରାଜଭବନ ଲୋକ ସମ୍ପର୍କ ଅଧିକାରୀ କବି ରକ୍ଷକ ନାୟକ, ରାଜଶ୍ରୀର ସମ୍ପାଦକ ଆଶୁକବି ହେମନ୍ତ ଜେନା, ସହସମ୍ପାଦିକା କବି ସୁପ୍ରିୟା ସାହୁ, ଓରିଏଣ୍ଟ ପବ୍ଲିସ ର ପ୍ରକାଶକ ମନୋରଞ୍ଜନ ଦାଶ, ରେଣୁକା ବାଳା ଖିଲାର, ଅଧ୍ୟାପକ ଦତ୍ତାତ୍ରେୟ ଦାଶ, ଇଂ ସୁଜିତ କୁମାର ମହାନ୍ତି, ଶୁଭଶ୍ରୀ ଦାସ ଏବଂ ନିଶି ବିଜିତା ନାୟକ ଆଦି ଉପସ୍ଥିତ ଥିଲେ । ପ୍ରକାଶ ଥାଉକି ଗତ ଡିସେମ୍ବର ମାସରେ ପୁରୀ ଜିଲ୍ଲା ସଂସ୍କୃତି ଭବନରେ ଅନୁଷ୍ଠିତ ରାଜଶ୍ରୀର ୩୪ ତମ ବାର୍ଷିକ ଉତ୍ସବରେ କବି ମଞ୍ଜୁଶ୍ରୀଙ୍କ ପ୍ରଥମ କବିତା ସଂକଳନ “କବିତା ମଞ୍ଜୁଷା” ଏବଂ ନାଟ୍ୟକାର ରମାକାନ୍ତଙ୍କ “ଶୂନ୍ୟ ପୁରୁଷ” ନାଟକ ମଧ୍ୟ ମହାମହିମ ରାଜ୍ୟପାଳଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ପରେ ପରେ ଉଭୟ କବିଙ୍କ ସମେତ ରାଜଶ୍ରୀ ପରିବାରର କର୍ମକର୍ତ୍ତର୍ା ମାନେ ବିଧାନସଭା ପରିସରରେ ଓଡିଶା ବିଧାନସଭା ସଚିବ ତଥା ବିଶିଷ୍ଟ ପ୍ରାବନ୍ଧିକ ଦାଶରଥି ଶତପଥୀ ଏବଂ ବିଧାନସଭା ପାଠାଗାରକୁ ଉନ୍ମୋଚିତ ପୁସ୍ତକ ଅର୍ପଣ କରିଥିଲେ ।











