ପୋତି ହେବାରେ ଲାଗିଛି କେନାଲ ଚାଷ କ୍ଷେତକୁ ଉଠୁନୀ ପାଣି,କ୍ଷେତ ପଡିଆ ପଡିବା ଆଶଙ୍କା  


ରାସ୍ତା ତିଆରି କାମ ଚାଲିଛି କେନାଲ ପୋତି ହେବାରେ ଲାଗିଛି । ଶହ ଶହ ଚାଷ ଜମିକୁ ପାଣି ଯିବାରେ ବ୍ୟାଘ୍ରାତ ଘଟୁଛି । ନୂତନ ରାସ୍ତା ତିଆରି ନାଁରେ ପଙ୍କ ମାଟି ବ୍ୟବହାର ହୋଇ ଦୋହରା ଖସି କେନାଲ ପୋତି ହୋଇଚାଲିଛି । କୃଷକଙ୍କର ଉନ୍ନତି ପାଇଁ ସରକାର ବିଭିନ୍ନ ଯୋଜନା କରୁଥିବା ଢୋଲ ପିଟୁଛନ୍ତି । କିନ୍ତୁ ଯେଉଁ କେନାଲ ପାଣି ଦ୍ୱାରା ଚାଷୀ ଚାଷ କାର୍ଯ୍ୟ କରୁଛି । ସେହି କେନାଲକୁ ପୋତି ତା ପାଶ୍ୱରେ ରାସ୍ତା କରାଯିବା ଦ୍ୱାରା ଧିରେଧିରେ କେନାଲ ସଙ୍କୁଚିତ ହୋଇ ପୋତି ହୋଇଯିବାରେ ଲାଗିଛି । ଫଳରେ ଉତିକଣ ଅଂଚଳର ଶହ ଶହ ଚାଷୀଙ୍କ ପରିବାର ପେଟରେ ଲାତ ମାରିଛି ପୁର୍ତ ବିଭାଗ ବୋଲି ଅଭିଯୋଗ ଆଣିଛନ୍ତି ପଟ୍ଟାମୁଣ୍ଡାଇ ଅଂଚଳର ଶତାଧିକ ଚାଷୀ, କୃଷକ ନେତା, ସାମାଜିକକର୍ମୀ ଓ ବୁଦ୍ଧିଜୀବୀ ମାନେ ।

ବୁଦ୍ଧିଜୀବୀ ପ୍ରବିର ନାୟକ କୁହନ୍ତି ଐତିହାସିକ ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲ ଓ ଗୋବରୀ ସମ୍ପ୍ରସାରିତ କେନାଲ ତାର ପରିଚୟ ଖୋଜୁଛି । ଦିନଥିଲା ଏହି କେନାଲ ନୌବାଣିଜ୍ୟର ସ୍ୱତନ୍ତ୍ର ପରିଚୟ ରଖିଥିଲା । ଏହି ବାଟ ଦେଇ ହେଉଥିଲା ବାଣିଜ୍ୟ କାରବାର । ଆମଦାନୀ ଠାରୁ ରପ୍ତାନୀ ପର୍ଯ୍ୟନ୍ତ ସବୁ କିଛିର ମୁଖ୍ୟ ମାଧ୍ୟମ ଥିଲା । ଏହି କେନାଲ ବାଣିଜ୍ୟ କାରବାର ପ୍ରମୁଖ ସ୍ଥାନ ନେଇଥିବା ବେଳେ ଏହି କେନାଲ ଓ ତାର ଶାଖା କେନାଲ ଅଂଚଳରେ ଥିବା ଜମି ଶସ୍ୟଶ୍ୟାମଳା ହୋଇଉଠୁଥିଲା । ପୂର୍ବପରି ନା ଏଇଠି ହେଉଛି ବାଣିଜ୍ୟ କାରବାର ନା ଏହି କେନାଲ ପାଖରେ ଥିବା ଜମି ଶସ୍ୟଶ୍ୟାମଳା ହୋଇପାରୁଛି । ବ୍ରିଟିଶ ଅମଳରୁ ଖୋଳା ଯାଇଥିବା ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲ ଓ ଗୋବରୀ ସମ୍ପ୍ରସାରିତ କେନାଲ ଉନ୍ନତି କରଣ ନାମରେ ୨୦୧୬ ମସିହାରେ କେନାଲ ପୋତା ଯାଇ ଏହାର ଓସାରକୁ କମାଇ ଦିଆଯାଇଥିଲା କାରଣଥିଲା ଚାଷ ଜମିକୁ ଜଳ ଯୋଗାଣ ବ୍ୟବସ୍ଥା ସୁସଙ୍ଗଠିତ ଓ ସୁନିୟନ୍ତ୍ରିତ ହୋଇପାରିବ । ମାତ୍ର ଓସାରକୁ କମାଇ ଦିଆଯିବା ଠାରୁ କେନାଲ ପାଣି ଚାଷ କ୍ଷେତକୁ ସଠିକ ଢଙ୍ଗରେ ପ୍ରବେଶ କରୁନଥିବା ବେଳେ ଏବେ ନୂତନ ବାଇପାସ ରାସ୍ତା ନିର୍ମାଣ କରୁଥିବା ଠିକାଦାର ପଙ୍କ ମାଟିନଦି ବର୍ଷାଦିନରେ ରାସ୍ତା କାମ କରୁଥିବାରୁ ପଙ୍କ ମାଟିବୋହି କେନାଲ ଶଯ୍ୟା ପୋତି ହୋଇ ଜଳ ଯୋଗାଣ ବ୍ୟବସ୍ଥାରେ ବାଧା ସୃଷ୍ଟି କରୁଛି । ଫଳରେ ଚାଷ ଜମି ପଡିଆପଡିବା ଆଶଙ୍କା ପ୍ରକାଶ ପାଉଛି ବୋଲି କହିଛନ୍ତି ।

କୃଷକ ନେତା ବିଜୟ ଦାସ କୁହନ୍ତି , କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଓ ମହାକାଳପଡା ବ୍ଲକର ୨୧ ପଂଚାୟତ ଚାଷୀମାନଙ୍କର ଏକମାତ୍ର ଭରସା ହେଉଛି ଗୋବରୀ ସମ୍ପ୍ରସାରିତ କେନାଲ । ଏହି କେନାଲ ପାଣିରେ ଧାନଚାଷ ମୁଗ, ବିରି, ପନିପରିବା ଚାଷ ସମୟରେ ସହାୟକ ହୋଇଥାଏ । ମାତ୍ର ଚଳିତବର୍ଷ କେନାଲ ପାଣି କ୍ଷେତକୁ ପହଁଚି ପାରୁନାହିଁ । ଶୁଣୀବାକୁ ମିଳୁଚି ପଟ୍ଟାମୁଣ୍ଡାଇ ପୋଲ ପାଖରୁ କଖାରୁଣୀ ପୋଲ ପର୍ଯ୍ୟନ୍ତ ନୂତନ ବାଇପାସ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି । କେନାଲର ଦକ୍ଷୀଣ ପାଶ୍ୱ ବନ୍ଧର ବାମ ପାଶ୍ୱକୁ ଠିକାଦାର ରାସ୍ତା କାମରେ ମାଟି ପାକାଇବା ଦ୍ୱାରା ବର୍ଷାଦିନେ ଦୋହରା ଖସି ଇଛାପୁର-କଖାରୁଣୀ ପୋଲ ପର୍ଯ୍ୟନ୍ତ କେନାଲ ଶଯ୍ୟା ପୋତିହୋଇଯାଇଛି । ଫଳରେ ଗୋବରୀ ସମ୍ପ୍ରସାରିତ କେନାଲକୁ ଆବଶ୍ୟାକ ଜଳ ପ୍ରବେଶ କରୁନାହିଁ । ଏହି ଗୋବରୀ ସମ୍ପ୍ରସାରିତ କେନାଲ ସହ ୧୭ଟି ଛୋଟ ଶାଖା କେନାଲ ଓ ୫ଟି ମାଇନର କେନାଲ ରହିଛି । ତେବେ ଏଥିନେଇ ଜଳ ସମ୍ପଦ ବିଭାଗ କିମ୍ବା ପୂର୍ତ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନ ନିଆଯିବାରୁ କେନାଲରେ ଜଳ ପରିଚାଳନା ଠିକ୍ ହୋଇପାରୁନାହିଁ । ଫଳରେ ଚାଷୀ ପାଣି ପାଇଁ ଦୁର୍ଦ୍ଦଶା ଭୋଗୁ ଥିବା ବେଳେ ଖରିଫ ଧାନଚାଷ ପ୍ରଭାବିତ ହେଇ ଧାନ ଉତ୍ପାଦନ ହ୍ରାସ ହେବାର ଆଶଙ୍କା ଥିବାରୁ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ସାମାଜିକକର୍ମୀ ସୁବାଶ ସ୍ୱାଇଁ କୁହନ୍ତି ପଟ୍ଟାମୁଣ୍ଡାଇ ଜଳସମ୍ପଦ ବିଭାଗ ଅଧୀନରେ ଥିବା ଗୋବରୀ ସମ୍ପ୍ରସାରିତ କେନାଲ ଓ ଏହାର ଶାଖା କେନାଲ ଉପରେ କଖାରୁଣୀ, ଖଡିଅଂଟା, ବଡପଡା, ଅରଡପଲ୍ଲୀ, ସାନଜରିଆ, ଗଙ୍ଗାରାମପୁର,ଗୁଣୁପୁର, ମହନପୁର, ଦୁହୁଡିପୁର, ଦୋସିଆ,ଶ୍ୟାମସୁନ୍ଦ୍ରପୁର, ବିଲିକଣା,øଓଉପଦା, ଚନ୍ଦନନଗର, ଶାଶନ, ସଂସାରପାଳ, ଖଣନ୍ତା ପଂଚାୟତ ସମେତ ପଟ୍ଟାମୁଣ୍ଡାଇ ପୌରାଂଚଳର ମଟିଆ, ଅରଡା, ଚାହାପଡା, ଛାଉଣୀ, ପୋଖରିଆପଡା ଓ ଇଛାପୁରର ଚାଷଜମିକୁ ଏହି କେନାଲ ମାଧ୍ୟମରେ ଜଳସେଚିତ ହୋଇଥାଏ । ସେହିପରି ମହାକାଳପଡା ଅଂଚଳର ବିଜୟନଗର, ଦେଉଳିପଡା, ବଅଢିଅ, ବଳିପାଳ ପ୍ରଭୁତି ପଂଚାୟତ ଚାଷଜମିକୁ ଏହି କେନାଲ ମାଧ୍ୟମରେ ଜଳସେଚିତ ହୋଇଥାଏ । ଜଳସେଚନର ବିକଳ୍ପ ବ୍ୟବସ୍ଥା ନ ଥିବାରୁ ଖରିଫ ଧାନଚାଷ ସମୟରେ ଏହି କେନାଲ ପାଣି ମାଇନର, ପାଟକେନାଲ ଦେଇ ଏହି ସବୁ ଅଂଚଳକୁ ଜଳସେଚନ ହୋଇଥାଏ । ସେହିପରି ଅଧିକ ବର୍ଷା ହୋଇ ବନ୍ୟା ସ୍ଥିତି ଉପୁଜିଲେ ଉଦବୁତ ବର୍ଷାପାଣି ଉକ୍ତ କେନାଲ ମଧ୍ୟ ଦେଇ ନିଷ୍କାସନ ହୋଇଥାଏ । ମାତ୍ର ଏବେ ଶାଖା କେନାଲ ଗୁଡିକ ଖରାଦିନ ଭଳି ଶୁଖିଲା ପଡିଛି ବୋଲି ସ୍ଥାନୀୟ ଅଂଚଳର ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଚାଷୀ ସୁରେନ୍ଦ୍ର ପରିଡା କୁହନ୍ତି ପ୍ରତ୍ୟକ ବର୍ଷ ପଟ୍ଟାମୁଣ୍ଡାଇ କେନାଲ ପାଣି ଚାଷଜମି ପାଇଁ ଯୋଗାଇ ଦିଆ ଯାଇଥାଏ । ମାତ୍ର ଚଳିତ ବର୍ଷ ଅଗଷ୍ଟ ମାସରେ ପାଣି ପାଇପାରୁନାହୁଁ । ୩ ଏକର ଜମିରେ ଧାନ ରୁଆ କାର୍ଯ୍ୟ ଶେଷ ହୋଇ ଯାଇଛି । କେନାଲ ପାଣି କ୍ଷେତକୁ ପହଁଚୁ ନ ଥିବାରୁ ଧାନ ଚାଷ ମରି ନଷ୍ଟ ହେଇଛି । ରୁଆ ପୋତା ମଧ୍ୟ ହୋଇ ପାରୁ ନାହିଁ । ସ୍ୱଳ୍ପବର୍ଷା ଯୋଗୁ ଚାଷୀ ଚାଷ କାମରେ ଆଗେଇ ପାରୁନାହିଁ । ଚାଷୀମାନେ ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁ ନାହାନ୍ତି । ଏ ନେଇ ଜଳସମ୍ପଦ ସହନିର୍ବାହୀ ଯନ୍ତ୍ରୀ ପ୍ରଭାତ ସାହୁଙ୍କୁ ପଚାରିବାରୁ ଉପର ମୁଣ୍ଡରୁ ପାଣି କମ ଆସୁଛି ସେଥିପ୍ରତି ପାଣି କ୍ଷେତକୁ ପହଁଚି ପାରୁନାହିଁ ।


Discover more from

Subscribe now to keep reading and get access to the full archive.

Continue reading