
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅନ୍ତର୍ଗତ ବନ୍ତପାଟଣା ଗ୍ରାମରେ ଗତ ଜୁଲାଇ ୨୩ ତାରିଖରେ ଗୁଣି ଗାରେଡ଼ି ସନ୍ଦେହରେ ଘଟିଥବା ମଣି ଚରଣ ସାହୁ ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ମଧ୍ୟରୁ ଜଣକୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ଏହି ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନେ ଗୋଟିଏ ପରିବାରର ବାପ ଏବଂ ତାଙ୍କର ଦୁଇ ପୁଅ ଓ ଏମାନେ ହତ୍ୟାକାଣ୍ଡ ଘଟାଇ ଫେରାର ହୋଇଯାଇଥିଲେ । ସେବେଠାରୁ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ନୂତନ ଭାରପ୍ରାପ୍ତ ଅଧିକାରୀ ବାମଦେବ ନନ୍ଦ ଏହି ହତ୍ୟାକାଣ୍ଡ ଘଟଣାକୁ ଗୁରୁତର ସହ ନେଇ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଜାଲ ବିଛାଇ ଥିଲେ । ଆଜି ସକାଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗ୍ରାମାଂଚଳ ଥାନା ଆଇଆଇସି ନନ୍ଦ ପୋଲିସ ବାହିନୀ ସହ ଚଢ଼ାଉ କରି ପଟ୍ଟାମୁଣ୍ଡାଇରୁ ଅଭିଯୁକ୍ତ ଅର୍ଜୁନ ମହାରଣା ( ବାପା) କୁ ଗିରଫ କରି ଥାନାକୁ ଆଣିଥିଲେ । ପୁଅ ଦୁଇ ଜଣ ବିପିନ ମହାରଣା ଓ ଗୁନୂଆ ମହାରଣା ଏବେ ମଧ୍ୟ ଫେରାର ଅଛନ୍ତି । ଗ୍ରାମାଂଚଳ ଥାନା କେସ ନମ୍ୱର ୪୫୦/୨୩ରେ ଅଭିଯୁକ୍ତ ଅର୍ଜୁନ ମହାରଣାଙ୍କୁ ଗିରଫ କରି ସ୍ଥାନୀୟ ପୋଲିସ ଆଜି କୋର୍ଟ ଚାଲାଣ କରିଛି ।











