
ଇତିହାସ ରଚିଲା ଭାରତର ମହାକାଶ ଗବେଷଣା ସଂସ୍ଥା ଇସ୍ରୋ । ଇସ୍ରୋର ଚନ୍ଦ୍ରଯାନ-୩ ନିରାପଦରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିଛି । ଏପରି ସଫଳତା ହାସଲ କରିବାରେ ଭାରତ ବିଶ୍ୱର ୪ର୍ଥ ମହାକାଶ ସଂସ୍ଥାରେ ପରିଣତ ହୋଇଛି । ପୂର୍ବରୁ ଆମେରିକା, ରୁଷ, ଚୀନ ଓ ୟୁରୋପୀୟ ମହାକାଶ ସଂସ୍ଥା ଏହି ସଫଳତା ହାସଲ କରିଛନ୍ତି । ଏହି ସଫଳତା ହାସଲ ପରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଥାଇ ପ୍ରଧାନମନ୍ତ୍ରୀ ସେଠାରୁ ଇସ୍ରୋ ବୈଜ୍ଞାନିକ ଏବଂ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି, ଏହା ଭାରତ ଉଦୟର କ୍ଷଣ । ଏହି କ୍ଷଣ ଅବିସ୍ମରଣୀୟ । ଏହି ସଫଳତା ହାସଲ କରିବାରେ ଭାରତ ବିଶ୍ୱର ୪ର୍ଥ ମହାକାଶ ସଂସ୍ଥାରେ ପରିଣତ ହୋଇଛି ।

ଇସ୍ରୋ ଗତ ଜୁଲାଇ ୧୪ରେ ଚନ୍ଦ୍ରଯାନ-୩କୁ ପ୍ରେରଣ କରିଥିଲା । ଏହାଭାରତର ୩ୟ ଚନ୍ଦ୍ର ମିସନ । ଏହା ପୂର୍ବରୁ ୨୦୦୮ରେ ଚନ୍ଦ୍ରଯାନ-୧ ଓ ୨୦୧୯ରେ ଚନ୍ଦ୍ରଯାନ-୨ ପ୍ରେରଣ କରିଥିଲା ।
୨୦୦୮ ମସିହା ଅକ୍ଟୋବର ୨୨ ତାରିଖରେ ଭାରତ ଚନ୍ଦ୍ରଯାନ-୧ର ଉତକ୍ଷେପଣ କରିଥିଲା । ଏହା ଥିଲା ଭାରତର ପ୍ରଥମ ଚନ୍ଦ୍ର ଅଭିଯାନ । ଚନ୍ଦ୍ରଯାନ-୧ ଏକ କକ୍ଷପଥ ଅଭିଯାନ ଥିଲା । ଅର୍ଥାତ୍ ଏହାର କାମ କେବଳ ଚନ୍ଦ୍ରଚାରିପଟେ ବୁଲିବା ଥିଲା । ଚନ୍ଦ୍ରଯାନ-୧ ଚନ୍ଦ୍ରପୃଷ୍ଠରେ ଜଳ ଅଣୁ ଆବିଷ୍କାର କରିଥିଲା ।ଇସ୍ରୋ ୨୦୧୯ରେ ଚନ୍ଦ୍ରଯାନ-୨ ଅଭିଯାନ ଆରମ୍ଭ କରିଥିଲା । ଏହାର ଉଦ୍ଦେଶ୍ୟ ଥିଲା ଚନ୍ଦ୍ରର ଉତ୍ପତ୍ତି ଓ ବିକାଶ କୁ ବୁଝିବା ପାଇଁ ଏକ ବିସ୍ତୃତ ଅଧ୍ୟୟନ କରିବା । ଚନ୍ଦ୍ରଯାନ-୨ ଚନ୍ଦ୍ରରେ ରୋଭର ଅବତରଣ କରିବାର ଥିଲା, କିନ୍ତୁ ୭ ସେପ୍େଟମ୍ବର ୨୦୧୯ରେ ଲ୍ୟାଣ୍ଡର ବିକ୍ରମ ସ୍ଥଳ ନିୟନ୍ତ୍ରଣ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା ଓ ତାହା ହାର୍ଡ ଲାଣ୍ଡିଂ କରିଥିଲା । ତେବେ ଅର୍ବିଟର ଏବେ ବି କାର୍ଯ୍ୟକ୍ଷମ ରହିଛି ଏବଂ ଚନ୍ଦ୍ର ବିଷୟରେ ତଥ୍ୟ ଦେଉଛି ।











