ଶରଣାର୍ଥୀମାନଙ୍କୁ ଥଇଥାନ ଦାବିରେ ସାମ୍ବାଦିକ ସମ୍ମିଳନୀରେ ପ୍ରତିବାଦ

ଶରଣାର୍ଥୀମାନଙ୍କୁ ଥଇଥାନ ଦାବିରେ ସାମ୍ବାଦିକ ସମ୍ମିଳନୀରେ ପ୍ରତିବାଦ

କେନ୍ଦ୍ରାପଡା, ୨୮/୮- କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକର ରାମନଗର, ଖରିନାସୀ, ବତୀଘର ଗ୍ରାମପଞ୍ଚାୟତର ଗ୍ରାମବାସୀମାନେ ୧୯୫୦ ମସିହାରୁ ସେଠାରେ ବସବାସ କରିଆସୁଛନ୍ତି । କେନ୍ଦ୍ରାପଡାରେ ଏକ ସମ୍ବାଦିକ ସମ୍ମିଳନୀରେ ସେମାନେ ସୂଚନା ଦେଇଥିଲେ ଯେ ୧୯୪୭ ମସିହାରେ ଭାରତ ପାକିସ୍ଥାନ ବିଭକ୍ତ ହୋଇଥିବାରୁ ପାକିସ୍ଥାନରେ ହିନ୍ଦୁମାନଙ୍କୁ ଅତ୍ୟାଚାର କରାଯାଇଥିଲା । ତତ୍‌୍‌କାଳିନ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ସେମାନେ ପାକିସ୍ଥାନ ଛାଡି ଭାରତରେ ଶରଣାର୍ଥୀ ଭାବରେ ପଳାଇ ଆସି ଏହି ଅଞ୍ଚଳରେ ବସବାସ କରୁଥିଲେ । ସେତେବେଳର କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗରେ ସେମାନଙ୍କୁ ଥଇଥାନ କରାଯାଇଥିଲା । ସରକାର ଚାଷ ପାଇଁ ମୁଣ୍ଡ ପିଛା ସାବାଳକକୁ ୧ଏକର, ଛୋଟମାନଙ୍କୁ ଅଧ ଏକର ଜମି ଓ ବସବାସ କରିବା ପାଇଁ ୧୨ରୁ ୩୦ଡିସିମିଲ ଘରବାରି ପ୍ଲଟିଂ କରି ଥଇଥାନ କରିଥିଲେ ବୋଲି କହିଛନ୍ତି । ଆହୁରି ମଧ୍ୟ କହିଛନ୍ତି ଯେ ଥଇଥାନ ପାଇଁ ଲୁଗାପଟ୍ଟା, ଖାଦ୍ୟ, ଆର୍ଥୀକ ସ୍ୱାବଲମ୍ବି କରିବା ପାଇଁ ଟଙ୍କା ଓ ରେସନ କାର୍ଡ ପ୍ରଦାନ କରିଥିଲେ । ଏହାମଧ୍ୟରେ ସେମାନଙ୍କୁ ସ୍ଥିତିବାନ ଖତିଆନ ଓ କିଛି କେ ଫର୍ମ ଯାହାକି ପରବର୍ତ୍ତି ସମୟରେ ସ୍ଥିତିବାନ ସତ୍ୱ କରାଇଦେବାର ପ୍ରତିଶୃତି ଦେଇଥିଲେ । ସେମାନଙ୍କର ଅଭିଯୋଗ ହେଉଛି ଯେ ଏତେଦିନ ବସବାସ କରୁଥିଲେ ସୁଦ୍ଧା ୨୦୧୨ମସିହାରେ ରାଜସ୍ୱ ବିଭାଗ କୌଣସି ସୂଚନା ନଦେଇ ଆଉ ଖଜଣା(ପାଉତି) କାଟିବା ବନ୍ଦ କରିଦେଲେ । କାରଣ ଉକ୍ତ ପ୍ରଦତ୍ତ ଜମି ସରକାରୀ ଖାତାକୁ ପଳେଇଯାଇଛି । ଏହିକଥା ସେମାନେ ଅନଲାଇନ ପଟ୍ଟା ହେବାପରେ ଜାଣିବାକୁ ପାଇଲେ ଯେ ସମ୍ପୂର୍ଣ୍ଣ ଆକ୍ରାଶ ମୁଳକ ଭାବରେ ତାହା ଜଙ୍ଗଲ ଜମି କିସମଭୂକ୍ତ କରାଯାଇଛି ଓ ୧୦୦ଏକର ଜମିକୁ ଇଡକୋ ନାମରେ କରାଯାଇଛି । ଏହି ସବୁ ବିଷୟରେ ମହାକାଳପଡା ତହସିଲଦାର ଏବଂ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ଯେତେ ଅଭିଯୋଗ କଲେବି କେହି ଶୁଣିବାକୁ ପ୍ରସ୍ତୁତ ନୁହନ୍ତି । ବର୍ତ୍ତମାନ ଏହି ଜମି ଉପରେ ରାଜ୍ୟ ସରକାର ଶୀଳ୍ପ କରିବାକୁ ଯାଉଛନ୍ତି । ସେମାନଙ୍କୁ ବିସ୍ଥାପିତ କରାଯିବା ପାଇଁ ଯୋଜନା ଚାଲିଛି । ବିସ୍ଥାପିତ କରିବା ପୂର୍ବରୁ ଥଇଥାନ କରିବାକୁ ସେମାନେ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି । ଯଦି ସିଘ୍ର ଏହାର ସମାଧାନ କରା ନଯାଏ ଆସନ୍ତା ୩୧ତାରିଖ ଠାରୁ ମହାକାଳପଡା ତହସିଲଦାର କାର୍ଯ୍ୟାଳୟ ନିକଟରେ ଅନିର୍ଦ୍ଧିଷ୍ଟକାଳପାଇଁ ଧାରଣାରେ ବସିବେ ବୋଲି ସୂଚନା ଦେଇଛନ୍ତି ।