କେନ୍ଦ୍ରାପଡ଼ା, ତା୨୯/୦୮: କେନ୍ଦ୍ରାପଡ଼ା ଜିଲ୍ଲା କ୍ରୀଡ଼ା ବିଭାଗ ଓ ହକି ଆସୋସିଏସନ୍ ମିଳିତ ଆନୁକୂଲ୍ୟରେ ଜାତୀୟ କ୍ରୀଡ଼ା ଦିବସ ୨୦୨୩ ପାଳିତ ହୋଇଯାଇଛି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ଦିବସରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ର । ହକି ଜାଦୁଗର ମେଜର ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିବା ପରେ ସେ ପ୍ରଦୀପ ପ୍ରଜ୍ଜେ୍ୱାଳନ କରି ସମସ୍ତଙ୍କୁ କ୍ରୀଡ଼ା ଦିବସର ଶୁଭେଚ୍ଛା ଜ୍ଞାପନ କରିଥିଲେ । ଏହି ଅବସରରେ ମେଜର ଧ୍ୟାନଚାନ୍ଦଙ୍କ ଆଦର୍ଶ, କ୍ରୀଡ଼ା ପ୍ରତି ତାଙ୍କର ସମର୍ପଣଭାବ ଓ ପ୍ରତିବଦ୍ଧତା ଗୁଣକୁ ପାଥେୟ କରି କ୍ରୀଡ଼ାରେ ଉଲ୍ଲେଖନୀୟ ସଫଳତା ପ୍ରାପ୍ତି ପାଇଁ ଉପସ୍ଥିତ ସ୍କୁଲ୍ କଲେଜ୍ ଛାତ୍ରଛାତ୍ରୀଙ୍କୁୁ ଆହ୍ୱାନ୍ ଜଣାଇଥିଲେ । ଜୀବନରେ କ୍ରୀଡ଼ାର ଆବଶ୍ୟକତା ଓ କ୍ରୀଡ଼ାବିତ୍ଙ୍କୁ ଯଥୋଚିତ ସମ୍ମାନ ପ୍ରଦର୍ଶନ ପାଇଁ ଉଦ୍ଦିଷ୍ଟ ଏହି ଦିବସରେ ସମସ୍ତେ ଫିଟ୍ ରହିବା ପାଇଁ ସଙ୍କଳ୍ପ ନେଇଥିଲେ । ଏହି ଅବସରରେ ଆୟୋଜିତ ରାଲିକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ର । କଲେକ୍ଟୋରେଟ୍ରୁ ବାହାରିଥିବା ଏହି ରାଲି ବିଭିନ୍ନ ସ୍ଲୋଗାନ୍ ଦେଇ ସହର ପରିକ୍ରମା କରିଥିଲେ । ଏହି ଦିବସ ପାଳନର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଲୋକନାଥ ପାଣିଗ୍ରାହୀ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ଜିଲ୍ଲା କ୍ରୀଡ଼ା ସଂସଦ ସମ୍ପାଦକ ଅକ୍ମଲ୍ ଅଲ୍ଲୀ, ହକି ଆସୋସିଏସନ୍ର କର୍ମମର୍ତା, ବିଭିନ୍ନ ସ୍କୁଲ କଲେଜ୍ର ଶିକ୍ଷକ ଓ ଛାତ୍ରଛାତ୍ରୀ ଏବଂ ଜିଲ୍ଲା ପ୍ରଶାସନର କର୍ମମର୍ତା ଉପସ୍ଥିତ ରହିଥିବା ବେଳେ ଶେଷରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଆଲୋକ କୁମାର ମହାନ୍ତିସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।