
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ସହର ଓ ଅଖପାଖ ଅଂଚଳରେ ପ୍ରାକୃତିକ ନାଳ, କେନାଲ, ନୟନଜୋରୀ ଓ ଜଳାଶୟଗୁଡିକ ଜବରଦଖଲ ହେବାରେ ଲାଗିଛି । ଜବରଦଖଲକାରୀଙ୍କ ବିରୋଧରେ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଭବିଷ୍ୟତରେ ଏହା ଜନସାଧାରଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ । ଏପରି କି ସହରରେ ଜଳମଗ୍ନ ହେବା ସହିତ ଆଖପାଖ ଅଂଚଳରେ ଚାଷଜମି ପଡିଆ ପଦିବା ଆଶଙ୍କା ସୃଷ୍ଟି ହୋଇଛି । ତେଣୁ ଜିଲା ପ୍ରଶାସନ ଓ ପୌର ପ୍ରଶାସନ ପ୍ରାକୃତିକ ନାଳ ଓ ଜଳାଶୟଗୁଡିକୁ ଜବରଦଖଲ ମୁକ୍ତ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।
ସାମାଜିକକର୍ମୀ ଅନନ୍ତ ଦାଶ କୁହନ୍ତି କେନ୍ଦ୍ର୍ାପଡା ଜିଲ୍ଲାର ବୃହତମ ସହର ପଟ୍ଟାମୁଣ୍ଡାଇରେ କାମଧନ୍ଦା, ଚାକିରି ତଥା ଝିଅ ପୁଅଙ୍କୁ ପାଠ ପଢାଇବା ପାଇଁ ଗ୍ରାମାଂଚଳରୁ ଲୋକଙ୍କ ସୁଅ ଛୁଟିଲା । ଲୋକେ ବିଭିନ୍ନ ସ୍ଥାନରେ ଘର ଦ୍ୱାର ନିର୍ମାଣ କରି ରହିଲେ । ସହରର ଜନସଂଖ୍ୟା ବୃଦ୍ଧି ଓ ଲୋକଙ୍କ ଚାହିଦା ଅନୁସାରେ ବଢି ଚାଲିଲା ଜମିର ମୂଲ୍ୟ । ସରକାରଙ୍କ ଧାର୍ଯ୍ୟ ଦରଠାରୁ ଢେର ଚଢା ଦରରେ ବିକ୍ରି ହେଲା ଘର ଡିହ । ଏଭଳି ସ୍ଥିତିରେ ଯେ ଯେଉଁଠି ପାଇଲା ସରକାରୀ ଓ ଜଳାଶୟ ଜାଗା ମାଡି ବସି ଘର ନିର୍ମାଣ କରିଦେଲା । ତାହା ପ୍ରାକୃତିକ ନାଳ ହେଉ କି ଜଳଉତ୍ସ କିମ୍ବା ନୟନଜୋଡି ହୋଇ କି ନଦୀ ପଠା । ଯେଉଁଠି ସୁବିଧା ହେଲା ଲୋକେ ଘର ନିର୍ମାଣ କରି ରହିଲେ । କେତେକ ଧନୀ ଶ୍ରେଣୀର ଲୋକ ଓ ଚାକିରିଆ ମଧ୍ୟ ଏହାର ଫାଇଦା ଉଠାଇଲେ । ନଦୀନାଳଗୁଡିକୁ ପୋତି ଲୋକେ ଘର କଲେ । ସେହିପରି ପୁନରୁଦ୍ଧାର ହେଉ ନ ଥିବା ଜଳଉତ୍ସ ଗୁଡିକରେ ମାଟି ପକାଇ ଘର ନିର୍ମାଣ କରିବାରେ ଲାଗିଲେ । ଏହାର କୁପରିଣାମ ଚଳିତ ବର୍ଷ ବର୍ଷାଋତୁରେ ଚାଷଜମୀ ପଡିଆ ରହିବାରୁ ଆଖପାଖ ଗ୍ରାମର ଚାଷୀଙ୍କୁ ଭୋଗିବାକୁ ପଡୁଛି ।
ଶିକ୍ଷାବିତ ପ୍ରଫୁଲ ଦାଶ କୁହନ୍ତି ପଟ୍ଟାମୁଣ୍ଡାଇ ପୌରାଂଚଳରେ ହ୍ରାସ ପାଇଥିବା ସରକାରୀ ଜାଗା ସଂଖ୍ୟା ଏବେ ସମସ୍ତଙ୍କ ପାଇଁ ଉଦବେଗର ବିଷୟ ହୋଇଛି । ଅତିତରେ ପଟ୍ଟାମୁଣ୍ଡାଇ ବଜାର ଇଲେକ୍ଟ୍ରି ଅଫିସ ପାଖରୁ ଜଳସମ୍ପଦ ବିଭାଗ ପାଟ କେନାଲ ମାଟିଆ ମାଇନର ଦେଇ ଗୋବରୀ ନଦୀକୁ ସଂଜୋଗଥିଲା । ସହରର ଉଦବୃତ ବର୍ଷାଜଳ ସେହି ମାଇନର କେନାଲ ଓ ନାଳ ଦେଇ ଗୋବରୀ ନଦୀକୁ ନିଷ୍କାସନ ହେଉଥିଲା । ଏବେ ଏହି କେନାଲ ପୋତି ହୋଇ ଜବରଦଖଲକାରୀଙ୍କ କବ୍ଜାକୁ ଚାଲିଗଲାଣି । ଧିରେ ଧିରେ ସହରର ଜଳଉତ୍ସଗୁଡିକ ନିଶ୍ଚିହ୍ନ ହେବାକୁ ବସିଛି । ପୂର୍ବରୁ କେବେ ବର୍ଷା ଦିନରେ ସହରରେ କୃତ୍ରିମ ବନ୍ୟା କିମ୍ବା ଜଳମଗ୍ନ ଭଳି ପରିସ୍ଥିତି ସୃଷ୍ଟି ହେଉ ନ ଥିଲା । ଭଲ ଅସରାଏ ବର୍ଷା ହେଲେ ଏବେ ରାସ୍ତାରେ ଜଳସ୍ରୋତ ପ୍ରବାହିତ ହେଉଛି । ନାଳକୁ ପୋତି ୍ ରାସ୍ତା ନିର୍ମାଣ ହୋଇଛି । ଜବରଦଖଲକାରୀଙ୍କ ବେପରୁଆ ମନୋଭାବ ଯୋଗୁ ଭବିଷ୍ୟତରେ ସହରବାସୀ ଅସୁବିଧା ଭୋଗିବେ । ତେଣୁ ପ୍ରାକୃତିକ ନାଳ ଓ ଜଳାଶୟଗୁଡିକୁ ପ୍ରଶାସନ ପକ୍ଷରୁ ଜବରଦଖଲ ମୁକ୍ତ କରିବାକୁ ସାଧାରଣରେ ଦାବି ହେଉଛି ।
ବୁଦ୍ଧିଜୀବୀ ପ୍ରବୀର ନାୟକ କହିଛନ୍ତି ୨୦୧୮ରୁ ୨୦୨୩ ମଧ୍ୟରେ ପଟ୍ଟାମୁଣ୍ଡାଇ ପୌରାଂଚଳ ଓ ଏହାର ଆଖପାଖରେ ଥିବା ଅମଳକ୍ଷମ ଉର୍ବର ଚାଷଜମି କିସମ ପରିବର୍ତନ ହୋଇ ଘରବାଡ଼ି ହୋଇଛି । ପୋଖରିଆପଡ଼ା କେନାଲ ପାଖ ଜମି, ତାତନା ରାସ୍ତାର ଦୁଇପାର୍ଶ୍ୱର ଜମି. ପହରାଜପୁର ରାସ୍ତାର ଉଭୟ ପାର୍ଶ୍ୱ ଜମିରେ କୋଠା ହୋଇଚାଲିଛି । ସେହିଭଳି ପଟ୍ଟାମୁ୍ଣ୍ଡାଇ ପୋଖରିଆପଡା ବକ୍ତାରପୁର ଦେଇ କଖାରୁଣୀ ପୋଲ ପର୍ଯ୍ୟନ୍ତ ୨ ପାର୍ଶ୍ୱ ଜମିରେ କୋଠା ଗଢ଼ି ଉଠି ନୟନଜୋରୀ ଜବରଦଖଲ ହେଇଛି । ଫଳରେ ତଳପଟ ଚାଷଜମୀକୁ ଜଳସେଚନ ହୋଇନପାରି ପଡିଆପଡିଛି । ପଟ୍ଟାମୁଣ୍ଡାଇ ବଜାର ସଂଲଗ୍ନ ବେଲତଳ, ଦକ୍ଷିଣଦିଆ, ପୋଖରିଆପଡ଼ା, ଗୋବରୀ ନଦୀର ଦୁଇପାର୍ଶ୍ୱ ଜମିକୁ ଜବରଦଖଲ କାରୀ ଘରଦ୍ୱାର କରି ଚାଲିଛନ୍ତି । ଫଳରେ ଉଭୟ ପାର୍ଶ୍ୱ ଜମିକୁ ଜଳସେଚନ ହୋଇପାରୁ ନ ଥିବାରୁ ଚାଷୀମାନଙ୍କ ମଧ୍ୟରେ ଚାଷ ପ୍ରତି ବିମୁଖ ଭାବ ସୃଷ୍ଟି ହେବାରୁ ଜମି ପଡ଼ିଆ ରହୁଛି । ଏପରି ସ୍ଥିତିରେ ପଟ୍ଟାମୁଣ୍ଡାଇ ପୌରାଂଚଳରେ ଚାଷଜମି କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି । ଏ ଦିଗରେ ରାଜ୍ୟ ସରକାର ଓ ବିଭାଗୀୟ କର୍ତୃପକ୍ଷ ଦୃଷ୍ଟିଦେବାକୁ ସାଧାରଣରେ ଦାବି ହେଉଛି । ଏ ସମ୍ପର୍କରେ ତହସିଲଦାର ସମିର ବେହେରାଙ୍କୁ ପଚାରିବାରେ ଚାଷଜମିରୁ ଘରବାଡ଼ି କରିବା ଦରଖାସ୍ତ ଉପରେ ଜିଜ୍ଞାସା କଲାପରେ ଅପ୍ରୁଭାଲ ଦିଆଯିବ । ମାତ୍ର ନୟନଜୋରୀ ଜବରଦଖଲ କରାଇ ଦିଆ୍ଯିବନାହିଁ ।










