କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଗଣଧାରଣା ଦଶମ ଦିନରେ ଧାରଣାକୁ ନେତୃତ୍ୱ ଦେଲା ମାର୍ଶାଘାଇ ବ୍ଲକ


କେନ୍ଦ୍ରାପଡ଼ା,୧୪ା୯ : କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ନିମନ୍ତେ ଚାଲିଥିବା ଗଣଧାରଣାକୁ ଆଜି ଦଶ ଦିନ ପୁରିଛି । ବର୍ଷାର ପ୍ରକୋପ ଆନ୍ଦୋଳନର ତାତିକୁ ଥଣ୍ଡା କରିପାରି ନାହିଁ । ଆଜି ପ୍ରବଳ ବର୍ଷା ସତ୍ତ୍ୱେ ମାର୍ଶାଘାଇ ବ୍ଲକର ବୁଦ୍ଧିଜୀବୀ ଓ ଜନସାଧାରଣ ବହୁ ସଂଖ୍ୟାରେ ଧାରଣା ସ୍ଥଳରେ ପହଞ୍ଚି ଆଜିର ଗଣଧାରଣାର ନେତୃତ୍ୱ ନେଇଥିଲେ । ସେମାନଙ୍କ ଉପସ୍ଥିତି ଆନ୍ଦୋଳନକାରୀଙ୍କ ମଧ୍ୟରେ ଉତ୍ସାହ ଭରି ଦେଇଥିବା ବେଳେ ସେମାନେ ସରକାରଙ୍କ କେନ୍ଦ୍ରାପଡା ଜିଲ୍ଲା ପ୍ରତି ବୈମାତୃକ ମନୋଭାବ ବିରୋଧରେ ପ୍ରବଳ ନାରାବାଜି କରିଥିଲେ । ପରେ ପରେ କ୍ରିୟାନୁଷ୍ଟାନ କମିଟିର ଅନ୍ୟତମ ଆବାହକ ସିପିଆଇ(ଏମ) ଜିଲ୍ଲା ସମ୍ପାଦକ ଗୟାଧର ଧଳଙ୍କ ପରିଚାଳନାରେ ଅନୁଷ୍ଠିତ ପ୍ରତିବାଦ ସଭାରେ କ୍ରିୟାନୁଷ୍ଠାନ କମିଟିର ମାର୍ଶାଘାଇ ବ୍ଲକ ସଭାପତି ପ୍ରତାପ ପରିଡା ଓ ସମ୍ପାଦକ ସିଦ୍ଧାର୍ଥଶଙ୍କର ରାୟଙ୍କ ସମେତ ପ୍ରଫୁଲ୍ଲ ଦାସ, ବରିଷ୍ଠ କମ୍ୟୁନିଷ୍ଠ ନେତା ଉମେଶଚନ୍ଦ୍ର ସିଂହ, ରବୀନ୍ଦ୍ରନାଥ ରଥ, ଭରତ ଚରଣ ସାହୁ, ସୁରେଶ ଚନ୍ଦ୍ର ପଟ୍ଟନାୟକ, ମୁକ୍ତାର ଖାଁ, ଭାଗୀରଥି ଜେନା, ବୈଷ୍ଣବ ଚରଣ ସ୍ୱାଇଁ, ଅଧିକାରୀ ରାଧାକାନ୍ତ ଦାଶ, ଜିଲ୍ଲା ଅବସରପ୍ରାପ୍ତ ଶିକ୍ଷା ପରିଦର୍ଶକ ସଙ୍ଘର ସାଧାରଣ ସମ୍ପାଦକ ନରୋତ୍ତମ ଜେନା, ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ଦାସ, ଶ୍ରୀଧର ମହାନ୍ତି, ହୃଷିକେଶ ବେହେରା, ରାଖାଲ ଚନ୍ଦ୍ର ମହାନ୍ତି, ବଳରାମ ବେହେରା, ତନୁଜା ଥାପ୍ପା, ସୁହାନା ବିବି, ସିକନ୍ଦର ଆଲାମ, ସନ୍ତୋଷ କୁମାର ଜେନା ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ସମ୍ପର୍କରେ ସରକାରଙ୍କ ବୀତସ୍ପୃହ ନୀତିକୁ ଦୃଢ ନିନ୍ଦା କରିଥିଲେ । ଅନ୍ୟପକ୍ଷରେ କ୍ରିୟାନୁଷ୍ଠାନ କମିଟି ନେତୃତ୍ୱରେ ଚାଲିଥିବା ଆନ୍ଦୋଳନକୁ ସଫଳ କରିବା ପାଇଁ ଆଜି ସନ୍ଧ୍ୟାରେ ଡେରାବିଶ ବ୍ଲକର ଛତା ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ସଂଗଠନର ନେତୃତ୍ୱମାନେ ଯୋଗଦେଇ ଆସନ୍ତା ୨୩ତାରିଖରେ ହେବାକୁ ଥିବା ଅର୍ଥନୈତିକ ଅବରୋଧକୁ ସଫଳ କରିବା ପାଇଁ ବଜ୍ର ଶପଥ ନେଇଥିବା ଜଣାପଡିଛି ।


Discover more from

Subscribe now to keep reading and get access to the full archive.

Continue reading