
କେନ୍ଦ୍ରାପଡ଼ା, : କଟକ-ଚାନ୍ଦବାଲି ରାସ୍ତାର ଚଣ୍ଡିବଜାର ଠାରୁ ଚାନ୍ଦୋଳ ମଧ୍ୟରେ ଥିବା ରାସ୍ତାରେ ବହୁତ ଗୁଡିଏ ଖାଲଖମା ପରିପୂର୍ଣ୍ଣ ହୋଇଥିବାରୁ ସେହି ରାସ୍ତାରେ ବିଭିନ୍ନ ସମୟରେ ଦୂର୍ଘଟଣା ମାନ ଘଟି ଧନଜୀବନ କ୍ଷୟକ୍ଷତି ହେଉଥିବା ଅଭିଯୋଗ ହୋଇଆସୁଛି । ଆଜି ସନ୍ଧ୍ୟା ପ୍ରାୟ ସାଢେ ୬ଟା ସମୟରେ ସେହି ରାସ୍ତାରେ ଚଣ୍ଡିବଜାର ନିକଟସ୍ଥ ଜହ୍ନିମୂଳ ଗ୍ରାମର ନିରଞ୍ଜନ ମୁଦୁଲି ନାମକ ବ୍ୟକ୍ତି ଘରୁ ସ୍କୁଟିରେ ଚଣ୍ଡିବଜାରକୁ ଯାଉଥିବା ବେଳେ ତାଙ୍କ ସ୍କୁଟିର ଆଗ ଚକାଟି ଖାଲରେ ପଡିଯିବାରୁ ତାଙ୍କ ସ୍କୁଟିଟି ନିୟନ୍ତ୍ରଣ ହରାଇଥିଲା । ଏହି ସମୟରେ ସେହି ରାସ୍ତାରେ କଟକ ଯାଇଥିବା ଏକ ଘରୋଇ ବସ ନିରଞ୍ଜନଙ୍କ ଗୋଡରେ ଚଢିଯାଇଥିଲା । ଫଳରେ ନିରଞ୍ଜନଙ୍କୁ ଗୁରୁତ୍ତର ଅବସ୍ଥାରେ ସ୍ଥାନୀୟ ଲୋକେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ସେହିପରି କଟକ-ଚାନ୍ଦବାଲି ରାସ୍ତାର ବାଲିଆ ପେଟ୍ରୋଲ ପମ୍ପ ନିକଟରେ ମଧ୍ୟ ଖାଲଖମା ସୃଷ୍ଟି ହୋଇ ଦୂର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି ।











