
କେନ୍ଦ୍ରାପଡ଼ା : କଲିକତାରୁ ପାରାଦୀପ ଆସୁଥିବା ବସରେ ଅଗ୍ନିକାଣ୍ଡ ଘଟି ଜଣେ ମହିଳା ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ୧୬ନମ୍ବର ଜାତୀୟ ରାଜପଥରେ ୩୮ଜଣ ଯାତ୍ରୀଙ୍କୁ ନେଇ କଲିକତାରୁ ପାରାଦୀପ ଆସୁଥିବା ଶିବମ ଟ୍ରାଭେଲସ୍ର ସଦାନନ୍ଦ ନାମକ ସ୍ଲିପର କୋଚ ବସଟି ଖଡଗପୁର ସନ୍ନିକଟ ଡେବରା ନିକଟରେ ହୋଇଥିବା ବେଳେ ହଠାତ ବସରେ ନିଆଁ ଲାଗି ଯାଇଥିଲା । ବସର ଡ୍ରାଇଭର ଡେଇଁ ପଳାଇଯାଇଥିବା ବେଳେ ବସର ମୁଖ୍ୟ ଦ୍ୱାରଟି ବନ୍ଦ ହୋଇଯାଇଥିଲା । ଫଳରେ ସେହି ବସରେ ଥିବା ଯାତ୍ରୀମାନେ ଝରକା ବାଟେ ଡେଇଁ ବାହାରକୁ ପଳାଇ ଆସିଥିବା ବେଳେ ଜଣେ ମହିଳା ବସରୁ ବାହାରି ପାରିନଥିଲେ । ଫଳରେ ସେହି ମହିଳା ଜଣଙ୍କର ବସ ଭିତରେ ପୋଡି ହୋଇ ମୃତ୍ୟୁ ହୋଇଯାଇଥିଲା ।

ମୃତ ମହିଳା ଜଣଙ୍କ ହେଉଛି କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ନିଳାଦ୍ରୀପୁର ଗ୍ରାମର ଚୈାଧୁରୀ ରାଜେନ୍ଦ୍ର ଦାସଙ୍କ ପତ୍ନୀ ପୁଷ୍ପାଞ୍ଜଳି ଦାସ ବୋଲି ଜଣାଯାଇଛି । ପୁଷ୍ପାଞ୍ଜଳିଙ୍କ ସ୍ୱାମୀ ରାଜେନ୍ଦ୍ର କୋଲକାତାରେ ଏକ ସପିଂ ମଲରେ କାମ କରନ୍ତି । ଶୁକ୍ରବାର ରାଜେନ୍ଦ୍ର ସ୍ତ୍ରୀ ପୁଷ୍ପାଞ୍ଜଳି(୩୪), ପୁଅ(୭) ଓ ଝିଅ(୧୧) ବସରେ ନିଜ ଗାଁକୁ ଆସୁଥିଲେ । ରାତିରେ ବସରେ ନିଆଁଲାଗିଥିବା ଜାଣି ପ୍ରଥମେ ସ୍ତ୍ରୀ ପୁଷ୍ପାଞ୍ଜଳି ତାଙ୍କୁ ବାହାରକୁ ଚାଲିଯିବା ଲାଗି କହିଥିଲେ । ଏହାପରେ ସେ ଝିଅକୁ ଧରି ବସ୍ ବାହାରକୁ ଚାଲିଆସିଥିଲେ । ଏହାପରେ ନିଜର ପୁଅକୁ ସେ ଝରକା ବାଟେ ଦେଇଥିଲେ । ତାପରେ ବୃଦ୍ଧ ଦମ୍ପତି ଯାତ୍ରୀଙ୍କୁ ପୁଷ୍ପାଞ୍ଜଳି ବସ୍ ବାହାରକୁ ଆଣିବା ଲାଗି ପ୍ରଚେଷ୍ଟା ଚଳାଇଥିଲେ । ହେଲେ ସେତେବେଳକୁ ତାଙ୍କ ଶରୀରରେ ନିଆଁଲାଗିଯାଇଥିଲା । ଅନ୍ୟକୁ ଉଦ୍ଧାର କରିବାକୁ ଯାଇ ନିଜ ଜୀବନ ବଳିଦେଇଥିଲେ ପୁଷ୍ପାଞ୍ଜଳି ।

ସେହିପରି ବସ ମଧ୍ୟରେ ଥିବା କେନ୍ଦ୍ରାପଡା ଜିଲ୍ଲାର ୧୬ଜଣ ଯାତ୍ରୀଙ୍କୁ ଏକ ସ୍ୱତନ୍ତ୍ର ବସ ଯୋଗେ ସେଠିକାର ଜିଲ୍ଲା ପ୍ରଶାସନ କେନ୍ଦ୍ରାପଡାକୁ ପଠାଇ ଦେଇଥିଲା । ସେହି ଯାତ୍ରୀମାନେ କେନ୍ଦ୍ରାପଡାରେ ପହଞ୍ଚିବା ପରେ ସେମାନଙ୍କୁ ପ୍ରଥମେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଏକ ସ୍ୱତନ୍ତ୍ର ଗାଡି ଯୋଗେ ସେହି ଯାତ୍ରୀମାନଙ୍କୁ ସେମାନଙ୍କ ଘର ମହାକାଳପଡା ବ୍ଲକ ଅନ୍ତର୍ଗତ ଜମ୍ବୁ, ବଉଳକଣୀ, ପେଟଛେଲା. କଂସାର ବଡଦାଣ୍ଡୁଆ, ହରୋଦିଆ, ମନୋପାଟଣା, ରାମଚଣ୍ଡି, ମାର୍ଶାଘାଇ ଥାନାର ଖମାର, କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ନିଳାଦ୍ରିପୁର ପ୍ରଭୃତି ଅଞ୍ଚଳକୁ ପଠାଇ ଦିଆଯାଇଥିଲା ।











