
କେନ୍ଦ୍ରାପଡ଼ା, ୨୬ା୧୧ : ଶ୍ରୀମନ୍ଦିରର ଚାରି ଦ୍ୱାର ଓ ରତ୍ନ ଭଣ୍ଡାର ଖୋଲିବା ଦାବିରେ ଆସନ୍ତା ଡିସେମ୍ବରମାସ ୧ତାରିଖରେ କଂଗ୍ରେସର ତୁଳସୀ ଯାତ୍ରା ଅନୁଷ୍ଠିତ ହେବ । ଏହି ଉପଲକ୍ଷେ କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ପକ୍ଷରୁ କଜଳାସ୍ଥିତ କଂଗ୍ରେସ ଭବନ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା କଂଗ୍ରେସ ସଭାପତି ତଥା ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଯୋଗଦେଇ କହିଥିଲେ ଯେ ବିଗତ ୧୯୭୮ମସିହାରେ ଶେଷଥର ପାଇଁ ଶ୍ରୀଜଗନ୍ନାଥଙ୍କର ରତ୍ନଭଣ୍ଡାର ଖୋଲା ଯାଇଥିବା ବେଳେ ତା ପର ଠାରୁ ଆଉ ରତ୍ନଭଣ୍ଡାର ଖୋଲା ଯାଇନାହିଁ । ଏଥିସହିତ ଶ୍ରୀମନ୍ଦିରର ୪ଦ୍ୱାର ଆବହମାନ କାଳରୁ ଖୋଲା ରହି ଶ୍ରଦ୍ଧାଳୁ, ଭକ୍ତ ଓ ଦର୍ଶାନାର୍ôଥମାନଙ୍କୁ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ସୁଯୋଗ ସୃଷ୍ଟି କରାଯାଇ ଆସୁଥିବା ବେଳେ ପ୍ରଶାସନ ପକ୍ଷରୁ ୨୦୨୦ମସିହା କରୋନା ସମୟରୁ ୩ଟି ଦ୍ୱାରକୁ ବନ୍ଦ କରି ଦିଆଯାଇଛି । ଦୀର୍ଘ ୩ବର୍ଷ ହେଲା ଗୋଟିଏ ଦ୍ୱାର ଦେଇ ଭକ୍ତମାନଙ୍କୁ ଛଡା ଯାଉଥିବାରୁ ଶ୍ରୀମନ୍ଦିରକୁ ପ୍ରବେଶ କରିବା ପାଇଁ ପ୍ରବଳ ଭିଡ, ଧସ୍ତାଧସ୍ତି ଓ ଦଳାଚକଟା ଘଟି ନାନାଦି ବିଶୃଙ୍ଖଳା ସୃଷ୍ଟି ହେଉଛି । ତେଣୁ ତୁରନ୍ତ ଶ୍ରୀମନ୍ଦିରର ବନ୍ଦଥିବା ୩ଟି ଦ୍ୱାରକୁ ଖୋଲିବା ସହିତ ରତ୍ନଭଣ୍ଡାର ଖୋଳାଯାଇ ସେଥିରେ ଥିବା ଶ୍ରୀଜୀଉଙ୍କ ରତ୍ନ ଅଳଙ୍କାର ଓ ମୂଲ୍ୟବାନ ସମ୍ପତ୍ତିର ଆକଳନ କରାଯାଇ ତଥ୍ୟ ପ୍ରକାଶ କରାଯିବାକୁ କଂଗ୍ରେସ ଦାବି କରିଛି । ଏହାସହ ପତ୍ନତତ୍ୱ ବିଭାଗ ରତ୍ନଭଣ୍ଡାର ଗୃହ ସର୍ବେକ୍ଷଣ କରି ତାହାର ସ୍ଥିତି ପ୍ରକାଶ କରୁ ବୋଲି ସେ ଦାବି କରିଥିଲେ । ଏହି ଦୁଇଟି ଦାବିକୁ ନେଇ ପ୍ରତ୍ୟେକ ବ୍ଲକରୁ ଆସିଥିବା ତୁଳସୀକୁ ଆସନ୍ତା ଡିସେମ୍ବର ପହିଲାରେ ଜିଲ୍ଲା ସ୍ତରରୁ ଜିଲ୍ଲା କଂଗ୍ରେସର କର୍ମକର୍ତ୍ତାମାନେ ସେହି ଦିନ ପୂର୍ବାହ୍ନ ୧୦ଟା ସୁଦ୍ଧା ଭୁବନେଶ୍ୱରରେ ପହଞ୍ଚିବା ପରେ ସେଠାରୁ ସମସ୍ତ ତୁଳସୀକୁ ନେଇ ରାଜ୍ୟ କାର୍ଯ୍ୟକର୍ତ୍ତା ପୁରୀ ସିଂହଦ୍ୱାରରେ ପହଞ୍ଚିବା ପରେ ସଜ ତୁଳସୀକୁ ଶ୍ରୀଜୀଉଙ୍କ ଅଙ୍ଗଲାଗି ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯିବା ସହିତ ବାସୀ ତୁଳସୀକୁ ଗରୁଡସ୍ତମ୍ବରେ ଶ୍ରୀଜୀଉଙ୍କୁ ଅର୍ପଣ କରାଯିବା ପରେ ମହୋଦଧିରେ ବିସର୍ଜ୍ଜନ କରାଯିବ । ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା, ଜିଲ୍ଲା କଂଗ୍ରେସ ଉପସଭାପତି ପ୍ରଫୁଲ୍ଲ କୁମାର ଦାସ, ପୂର୍ବତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀ, ପାଟକୁରା କଂଗ୍ରେସ ନେତା ରତିକାନ୍ତ କାନୁନଗୋ, ନଗର କଂଗ୍ରେସ ସଭାପତି ରାଜେଶ ମହାନ୍ତି, ଛାତ୍ରକଂଗ୍ରେସ ସଭାପତି ପରଭେଜ ଅଖତର, ଜିଲ୍ଲା ଯୁବ କଂଗ୍ରେସ ସଭାପତି ରଞ୍ଜନ ବେହେରା, ଜିଲ୍ଲା କଂଗ୍ରେସ ଉପସଭାପତି ରାକେଶ ମହାନ୍ତି ପ୍ରମୁଖ ମଞ୍ଚାସୀନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ କୋଷାଧ୍ୟକ୍ଷ ଉମାଶଙ୍କର ଜେନା, କଂଗ୍ରେସ ସେବାଦଳର ଜୟଦେବ ପରିଡା, ପ୍ରଦୀପ ପ୍ରଧାନ, ମୁକ୍ତାର ଖାଁ, ସୈାମେନ୍ଦ୍ର ପୃଷ୍ଟି, ସଞ୍ଜୟ ରାଉତ, ମୀର ମୁର୍ଶିଦ୍ଦ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଜିଲ୍ଲାପାଳ ତାଙ୍କ କାର୍ଯ୍ୟାଳୟକୁ ଆସୁନଥିବା ବେଳେ ସାଧାରଣ ଲୋକେ ତାଙ୍କ ସାକ୍ଷାତ ପାଉନଥିବା, କେନ୍ଦ୍ରାପଡା ବିଡିଓ ବହୁ ବିଳମ୍ବରେ କାର୍ଯ୍ୟାଳୟକୁ ଆସୁଥିବା ଏବଂ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ହୋଇଥିବା ମହାଦୁର୍ନୀତି ସମ୍ପର୍କରେ ସାମ୍ବାଦିକମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତରରେ ଖୁବଶୀଘ୍ର ଏସବୁ ଦିଗରେ କଂଗ୍ରେସ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉଛି ବୋଲି ପୂର୍ବତନ ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ ।










