କେନ୍ଦ୍ରାପଡା ୧୩/୧୨- ରାଜନଗର ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତରମାନଙ୍କୁ ଆକ୍ରମଣ ଘଟଣା ୧୩ଦିନ ବିତିଯାଇଛି । ଏହାଭିତରେ କାର୍ଯ୍ୟରତ ଡାକ୍ତରମାନଙ୍କୁ ଜିବନରେ ମାରିଦେବାକୁ ଧମକ ଦେଇଥିଲେ ବୋଲି ରାଜନଗର ଥାନାରେ ଅଭିଯୋଗ ହୋଇଛି । ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତରଙ୍କୁ ଦୁର୍ବ୍ୟବହାର ଘଟଣାରେ ମଙ୍ଗଳବାର ଦିନ ଓମସା ପକ୍ଷରୁ ଆନ୍ଦୋଳନ ପାଇଁ ଜିଲ୍ଲାପାଳ ଓ ପୋଲିସ ଆରକ୍ଷୀ ଅଧିକ୍ଷକଙ୍କୁ ଲିଖିତ ଭାବରେ ଜଣାଇଛନ୍ତି । ନାମକୁମାତ୍ର ଜଣଙ୍କୁ ଗିରଫ କରିଛି । ମୁଖ୍ୟ ଆସାମୀ ଖୋଲାଖୋଲି ଭାବରେ ବୁଲୁଛନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ଆଖିଦୃଶିଆ କାର୍ଯ୍ୟନୁଷ୍ଠାନ ନିଆଗଲା ନାହିଁ । ଏହାର ପ୍ରତିବାଦରେ ଜିଲ୍ଲାର ସମସ୍ତ କାର୍ଯ୍ୟରତ ଡାକ୍ତର ଓ କର୍ମଚାରୀମାନେ ବୁଧବାର ଠାରୁ କଳା ବ୍ୟାଚ ପିନ୍ଧି ଶାନ୍ତି ପୂର୍ଣ୍ଣ ଭାବେ ଅସହଯୋଗ ଆନ୍ଦୋଳନ ଆରମ୍ଭ କରିଛନ୍ତି ବୋଲି ଏକ ସାମ୍ବାଦିକ ସମ୍ମିଳନୀ କରି ଜିଲ୍ଲା ଓମସାର ମୁଖପାତ୍ର ଡା. କିଶୋର ଚନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି । ଯେ ପର୍ଯ୍ୟନ୍ତ ଆକ୍ରମଣ ଘଟଣାରେ ମୁଖ୍ୟ ଆସାମୀମାନଙ୍କୁ ଗିରଫକରା ନଯାଇଛି ସେପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନର କୌଣସି କାର୍ଯ୍ୟ କରିବେ ନାହିଁ ଓ ପୋଲିସ ପ୍ରଶାସନର ଆଇନଗତ କାର୍ଯ୍ୟ ଉପରେ କୌଣସି ଭାବେ ସହଯୋଗ କରିବେ ନାହିଁ ଏବଂ ସ୍ୱାସ୍ଥ୍ୟଗତ କୌଣସି କାର୍ଯ୍ୟକ୍ରମରେ ଯୋଗ ଦେବେ ନାହିଁ ବୋଲି ଡାକ୍ତରମାନେ କହିଛନ୍ତି । ଏହି ବୈଠକରେ ଜିଲ୍ଲା ଓମସାର ସଭାପତି ଶ୍ରୀ ସେଠୀଙ୍କ ସମେତ ସମ୍ପାଦକ ଡା. ନିରଞ୍ଜନ କର, ମୁଖପାତ୍ର ଡା. କିଶୋର ଚନ୍ଦ୍ର ମିଶ୍ର, ପରାମର୍ଶଦାତା ଡା. ଅଶୋକ କୁମାର କର, ଡା. ପ୍ରମୋଦ କୁମାର ପ୍ରହରାଜ, ଡା. ବିରେନ୍ଦ୍ର ଦାସ, ଡା. ଅଜୟ ସାହୁ, ଡା. ସତ୍ୟ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।