ପ୍ରେସକ୍ରିପସନ ବିନା ଆଣ୍ଟିବାୟୋଟିକ ବିକ୍ରି କରି ଧରା ପଡ଼ିଲେ ରଦ୍ଦ ହେବ ଲାଇସେନ୍ସ


ଡାକ୍ତରଙ୍କ ପ୍ରେସକ୍ରିପସନ ବିନା ଆଣ୍ଟିବାୟୋଟିକ ବିକ୍ରି କରି ଧରା ପଡ଼ିଲେ ମେଡିସିନ ଦୋକାନୀଙ୍କ ଲାଇସେନ୍ସ ରଦ୍ଦ ହେବ ବୋଲି ରାଜ୍ୟ ସରକାର କଡ଼ା ଚେତାବନୀ ଦେଇଛନ୍ତି। ଆଣ୍ଟିବାୟୋଟିକର ଅତ୍ୟଧିକ ବ୍ୟବହାର ରୋକିବାକୁ କେନ୍ଦ୍ର ସରକାର ନୂଆ ଗାଇଡ଼ଲାଇନ୍‌ ଆଣିବା ପରେ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି। ଏଣିକି ଡାକ୍ତରମାନେ ଔଷଧ ଲେଖିବା ବେଳେ ଆଣ୍ଟିବାୟୋଟିକ୍‌ ଦେଲେ, କେଉଁ କାରଣ ପାଇଁ ସେମାନେ ଆଣ୍ଟିବାୟୋଟିକ୍‌ ଲେଖୁଛନ୍ତି, ତାହା ପ୍ରେସକ୍ରିପ୍ସନରେ ଉଲ୍ଲେଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।ଏହି ପରିପ୍ରେକ୍ଷୀରେ ଡ୍ରଗ୍ସ କଣ୍ଟ୍ରୋଲର ଅଶୋକ କୁମାର ପାତ୍ର କହିଛନ୍ତି, ବିନା ପ୍ରେସକ୍ରିପସନରେ କେହି ଆଣ୍ଟିବାୟୋଟିକ୍‌ ବିକ୍ରି କରିପାରିବେ ନାହିଁ। ଯଦି ବିକୁଥିବାର ଧରାପଡ଼ନ୍ତି, ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ପଠାଯିବ। ସେମାନଙ୍କ ବିରୋଧରେ ଡ୍ରଗ୍ସ ଆଣ୍ଡ କସମେଟିକ୍ସ(Drugs and Cosmetics) ଆଇନ ଅନୁସାରେ କାର୍ଯାନୁଷ୍ଠାନ ନିଆଯିବ। ଏପରିକି ଦରକାର ପଡ଼ିଲେ ଲାଇସେନ୍ସ ସସପେଣ୍ଡ ଓ ରଦ୍ଦ ବି କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଡାକ୍ତରମାନେ ଆଣ୍ଟିବାୟୋଟିକ୍ସ ପ୍ରେସକ୍ରାଇବ କରିବାର କାରଣ ସ୍ପଷ୍ଟ କରି ଲେଖିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି।

ଏ ସମ୍ପର୍କରେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ବିଜୟ ମହାପାତ୍ର କହିଛନ୍ତି, ପୂର୍ବରୁ ଏ ନେଇ ନିୟମ ରହିଛି। ତେବେ ଆଣ୍ଟିବାୟୋଟିକ୍ସର ଯୁକ୍ତି ସଂଗତ ବ୍ୟବହାର ହେଉନଥିବାରୁ କେନ୍ଦ୍ର ସରକାର ଏଭଳି ଅପିଲ କରିଛନ୍ତି। ଏହା ସ୍ବାଗତଯୋଗ୍ୟ। ପ୍ରେସକ୍ରିପସନ ନ ଦେଖି ଦୋକାନୀ ଔଷଧ ବି ଦେବା କଥା ନୁହେଁ। ଏହା ଉପରେ ନିୟନ୍ତ୍ରଣ ଆସିବା ଦରକାର। ଯେଉଁଠି ଆବଶ୍ୟକତା ନାହିଁ ଆଣ୍ଟିବାୟୋଟିକ୍‌ ଦେବା ଉଚିତ ନୁହେଁ। ଏପରି କିଛି ଡ୍ରଗ୍ସ ଅଛି, ଯାହାକୁ ବିନା ପ୍ରେସକିପସନ୍‌ରେ ଦିଆଯାଇ ପାରିବ ନାହିଁ ବୋଲି ସେ କହିଛନ୍ତି।


Next Post

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ କେନ୍ଦ୍ର ସରକାରଙ୍କ ପରାମର୍ଶ ଗଣମାଧ୍ୟମ ଭୁଲ ସୂଚନା ନ ଦେଉ

Sat Jan 20 , 2024
ନୂଆଦିଲ୍ଲୀ ୨୦/୧: ଜାନୁଆରୀ ୨୨ରେ ଅଯୋଧ୍ୟାରେ ହେବାକୁ ଥିବା ରାମ ମନ୍ଦିର କାର୍ଯ୍ୟକ୍ରମ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଅନ୍ୟପକ୍ଷରେ ଏ ସଂକ୍ରାନ୍ତରେ ଦାୟିତ୍ୱବାନ ହୋଇ ଖବର ପ୍ରକାଶ କରିବାକୁ ସରକାର କହିଛନ୍ତି । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଏକ ଆଡଭାଇଜରି ଜାରି କରି ଗଣମାଧ୍ୟମ ସଂସ୍ଥା ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ରାମ ମନ୍ଦିର କାର୍ଯ୍ୟକ୍ରମ ସମ୍ବନ୍ଧୀୟ ମିଥ୍ୟା ଏବଂ ବିଭ୍ରାନ୍ତିକର […]

KANIKA