ଗାନ୍ଧିବାଦୀ ସଂଗଠନ ପକ୍ଷରୁ ବର୍ଷବ୍ୟାପୀ ପ୍ରାୟଶ୍ଚିତ ଓ ସଂକଳ୍ପ ଅଭିଯାନ ଉଦ୍‌ଯାପିତ


କେନ୍ଦ୍ରାପଡ଼ା, ୩୦/୧: ସମଗ୍ର ବିଶ୍ୱରେ ଗାନ୍ଧିଜୀଙ୍କ ବିଚାର ଓ ବ୍ୟକ୍ତିତ୍ୱ ପ୍ରତି ଆଦର ଓ ଆକର୍ଷଣ ବୃଦ୍ଧି ପାଉଥିବାବେଳେ ଦେଶ ଭିତରେ ଗାନ୍ଧିଜୀଙ୍କ ପ୍ରତି ଘୃଣାଭାବ ସୃଷ୍ଟି କରିବା ପାଇଁ ଗାନ୍ଧୀ ହତ୍ୟାକାଳରୁ ଆଜିଯାଏ କେତେକଙ୍କ ପକ୍ଷରୁ ଅହରହ ଉଦ୍ୟମ ହୋଇଆସୁଛି । ଏହାସତ୍ତ୍ୱେ ଦେଶବାସୀଙ୍କ ମନରେ ଓ ହୃଦୟରେ ଗାନ୍ଧିଜୀ ଗୋଟିଏ ଛାପ ହୋଇ ରହିବା ଗାନ୍ଧିଜୀଙ୍କ ବ୍ୟକ୍ତିତ୍ୱ ଓ ବିଚାରର ଶ୍ରେଷ୍ଠତ୍ୱକୁ ପ୍ରତିପାଦନ କରେ । ଗାନ୍ଧିଜୀଙ୍କୁ ଜନମାନସରୁ ପୋଛିଦେବା ପାଇଁ ଯାହା ବି ଉଦ୍ୟମ ହେଉ ପଛେ ଗାନ୍ଧିଜୀଙ୍କ ବିନା ଦେଶର ଶାନ୍ତି, ସଂହତି, ସ୍ୱାଧୀନତା ଓ ଅଖଣ୍ଡତାର ଅସ୍ତିତ୍ୱ ନାହିଁ ବୋଲି ରାଷ୍ଟ୍ରପିତାଙ୍କ ବଳିଦାନର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ବର୍ଷବ୍ୟାପୀ ଆୟୋଜିତ ପ୍ରାୟଶ୍ଚିତ ଓ ସଂକଳ୍ପ ରାଷ୍ଟ୍ରୀୟ ଅଭିଯାନର ଉଦଯାପନୀ ଶ୍ରଦ୍ଧାଞ୍ଜଳି ସଭାରେ ଅତିଥିମାନେ ପ୍ରକାଶ କରିଛନ୍ତି ।

ଜିଲ୍ଲା ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ ସଞ୍ଜୀବନୀ ବିଦ୍ୟାମନ୍ଦିର ପରିସରରେ ପ୍ରଧାନ ଶିକ୍ଷକ ବିଦ୍ୟାମୀନ ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ସଂଗଠନର ସଭାପତି ପ୍ରାଧ୍ୟାପକ ନନ୍ଦକିଶୋର ପରିଡା ମୁଖ୍ୟ ଅତିଥି, ସଂପାଦକ ଆଦିକନ୍ଦ ରାଉଳ ମୁଖ୍ୟବକ୍ତା, ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତି ସଭାପତି ବିମ୍ବାଧର ମୁଦୁଲି, ଉପସଭାପତି ଫକୀର ମୋହନ ଦାସ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଏପରି କହିବା ସହ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଗାନ୍ଧିଜୀଙ୍କ ସମେତ ଦେଶର ସମସ୍ତ ବରପୁତ୍ରମାନଙ୍କ ଜୀବନୀ ପଢିବା ସହ ଆଦର ଓ ସମ୍ମାନ କରିବା ପାଇଁ ପରାମର୍ଶ ଦେଇଥିଲେ । ଜିଲ୍ଲା ସର୍ବୋଦୟ ମଣ୍ଡଳ ସମ୍ପାଦକ ପଦ୍ମନାଭ ଦାସ ଧନ୍ୟବାଦ ଦେଇଥିଲେ । ବିଦ୍ୟାଳୟର ଶିକ୍ଷକ ବିଶ୍ୱଭୂଷଣ ପ୍ରହରାଜ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବାବେଳେ ଶିକ୍ଷକ ଚିତ୍ତରଞ୍ଜନ ଆଚାର୍ଯ୍ୟ, ସଦାଶିବ ପଣ୍ଡିତ୍ରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂଗଠନର କୋଷାଧ୍ୟକ୍ଷ ମୁକ୍ତାର ଖାଁ, ରାଜନେତା ଗୟାଧର ଧଳ, ସଂଗ୍ରାମୀ ଦାୟାଦ କୁଳମଣି ରାଉତ, ବାଉରୀବନ୍ଧୁ ଦାସ ପ୍ରମୁଖ ଶ୍ରଦ୍ଧାଞ୍ଜଳି ବକ୍ତବ୍ୟ ପ୍ରଦାନ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading