
ଏକ ବିକଶିତ ସମୃଦ୍ଧ ନୂତନ ଓଡିଶା ଗଠନ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ବିଭିନ୍ନ ମହାବିଦ୍ୟାଳୟରେ ଆୟୋଜନ ପରେ ଗ୍ରାମାଂଚଳର ବିଭିନ୍ନ ପଂଚାୟତ ଓ ପୌରାଂଚଳର ବିଭିନ୍ନ ୱାର୍ଡରେ ଆରମ୍ଭ ହୋଇଛି । ଏହି କ୍ରମରେ ପଟ୍ଟାମୁଣ୍ଡାଇ ବ୍ଲକର ଦୋଷିଆ ପଂଚାୟତରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଯୋଜନାରେ ଦୋଷିଆ ପଂଚାୟତ ବିକାଶ ପାଇଁ ବିଭିନ୍ନ ପ୍ରକଳ୍ପ ବାବଦରେ ୫୦ ଲକ୍ଷ ଟଙ୍କା ସରକାରୀ ଅନୁଦାନ ଯୋଗାଇ ଦିଆଯାଇ ଉନ୍ନତିକରଣ ଆଦି ବିଭିନ୍ନ ପ୍ରକଳ୍ପ ହାତକୁ ନିଆଯାଇଛି । ଦୋଷିଆ ପଂଚାୟତରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ସହିତ ରାଜ୍ୟରେ ପଂଚାୟତରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ବିକାଶମୂଳକ ସରକାରୀ ଯୋଜନାର ବାର୍ତା ଘରେ ଘରେ ପହଂଚାଇବା ପାଇଁ ଶୁକ୍ରବାର ଏକ ସଭା ଆୟୋଜନ କରାଯାଇଥିଲା । ଦୋଷିଆ ସରପଂଚ ସ୍ମୃତିରେଖା ସ୍ୱାଇଁଙ୍କ ପୌରହିତ୍ୟ ଆୟୋଜିତ ସଭାରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଗ୍ରାମାଂଚଳ ବିକାଶ ପାଇଁ ଆମ ଓଡିଶା ନବୀନ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଯୁଗାନ୍ତକାରୀ ପଦକ୍ଷେପ ହୋଇଥିବାରୁ ଏହି ଯୋଜନାରେ ମଂଜୁର ଅର୍ଥ ବିନିଯୋଗ କରି ଦୋଷିଆ ପଂଚାୟତକୁ ଏକ ସମୃଦ୍ଧ ସଶକ୍ତ ଓ ବିକଶିତ ପଂଚାୟତରେ ପରିଣତ କରିବା ସହିତ ନବୀନ ସରକାରଙ୍କ ସଫଳତାର ବାର୍ତା ଘରେ ଘରେ ପହଂଚାଇବା ଦିଗରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଏହି ସଭାରେ ବ୍ଲକ ଉପାଧ୍ୟକ୍ଷା ଜୟନ୍ତୀ ସ୍ୱାଇଁ, ବିଡ଼ିଓ ଶୁଭ୍ରାଂଶୁ ସାହୁ,ଜିଲ୍ଲାପରିଷଦ ସଦସ୍ୟ ରଞ୍ଜନ ବିଶ୍ୱାଳ ପ୍ରମୁଖ ଯୋଗ ଦେଇ ଆମ ଓଡିଶା ନବୀନ ଓଡିଶା ଲକ୍ଷ୍ୟ ଓ ଆଭିମୁଖ୍ୟ ତଥା ବିଭିନ୍ନ ସରକାରୀ ଯୋଜନା ଉପରେ ଆଲୋକପାତ କରିଥିଲେ । ଶେଷରେ ପି ଇ ଓ ପ୍ରକାଶ ସିଂହ ଧନ୍ୟବାଦ ଦେଇଥିଲେ ।











