କେନ୍ଦ୍ରାପଡାବାସୀ ଦୀର୍ଘ ୧୨ବର୍ଷ ପରେ ଦେଖିବେ ସର୍କସ



କେନ୍ଦ୍ରାପଡ଼ା, ୧୨ା୨: ସର୍କସ ଆଜି ଇତିହାସ ହୋଇଯାଇଥିବା ବେଳେ କେନ୍ଦ୍ରାପଡା ବାଲିଯାତ୍ରା କମିଟି ଆନୁକୂଲ୍ୟରେ ସହର ଉପକଣ୍ଠ ଗୁଲନଗର ପଞ୍ଚାୟତର ସୁଜାନଗର ଗ୍ରାମରେ ଥିବା ବାଲିଯାତ୍ରା ପଡିଆରେ ଚଳିତମାସ ୧୩ତାରିଖରୁ ଏନ୍‌.କେ. ରୋଲେକ୍କ ସର୍କସ ଉଦଘାଟନ ହୋଇ ଏକ ମାସ ଧରି ଚାଲିବ ବୋଲି ସର୍କସର ମ୍ୟାନେଜର ମୁଲ୍ଲା ସାଦିକ ରହେମନ ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ୧୩ତାରିଖ ସନ୍ଧ୍ୟା ୬ଟା ୪୫ମିନିଟରେ କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରା, ଜିଲ୍ଲାପାଳ ସୂର୍ଯ୍ୟବଂଶି ମୟୁର ବିକାଶ ଓ ଏସପି ବି. ଯୁଗଳ କିଶୋର ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦ୍‌ଘାଟନ କରିବେ । ଏହି ସର୍କସରେ ମଣିପୁର, ପଶ୍ଚିମବଙ୍ଗ ଭଳି ରାଜ୍ୟର କଳାକାରମାନେ ସେମାନଙ୍କ କଳା ପ୍ରଦର୍ଶନ କରିବେ ବୋଲି ସାଦିକ୍ ରହେମାନ ସୂଚନା ଦେଇଛନ୍ତି । କଣ୍ଟା ଉପରେ ଶୋଇବା, ଛୁରୀ ଉପରେ ଶୋଇବା ଓ ଚାଲିବା, ଏକ ଚକ ବିଶିଷ୍ଟ ସାଇକେଲ ଚାଳନା, ପାଟି ଭିତରେ ୫ଟି ଜିଅନ୍ତା ସିଙ୍ଗି ମାଛ ପୁରାଇ ବାହାର କରିବା, ଶାଢୀଖେଳ, ଗ୍ଲୋବ ଭିତରେ ମଟର ସାଇକେଲ ରେସ, ମୁଣ୍ଡ ଓ ଜିଭରେ ନଟୁର ଖେଳ, ଜୋକର ଖେଳ, ଦୋଳି ଖେଳ, ପ୍ରଭୁତି ୨୬ଟି ଖେଳ ପଦର୍ଶିତ କରାଯିବ । ସୂଚନା ଯୋଗ୍ୟ ଯେ କେନ୍ଦ୍ରାପଡା ସହର ଓ ଆଖପାଖ ଅଞ୍ଚଳରେ ଦୀର୍ଘ ୧୨ବର୍ଷ ହେବ କୌଣସି ସର୍କସ ପଡି ନଥିଲା । ୨୦୧୧ମସିହା ଫେବୃୟାରୀ ମାସରେ କେନ୍ଦ୍ରାପଡା ସହରର ହାଇସ୍କୁଲ ପଡିଆରେ ଏକ ସର୍କସ ପଡିଥିଲା । ତା ପର ଠାରୁ ଆଉ ସର୍କସ କେନ୍ଦ୍ରାପଡାରେ ପଡିନଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରାପଡା ବାଲିଯାତ୍ରା କମିଟି ସଭାପତି ପ୍ରଦୀପ ଦାଶ, ସମ୍ପାଦକ ସଞ୍ଜୟ କୁମାର ଜେନା, କଲିମ ଖାନ୍‌ଙ୍କ ସମେତ କମିଟିର ଅନ୍ୟ ସଦସ୍ୟ ଏବଂ ସର୍କସର ମ୍ୟାନେଜର କର୍ଣ୍ଣ ଦେବରାୟ, ଓ ରୂପେଶ ସିଂ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସର୍କସ ଚଳିତମାସ ୧୪ତାରିଖରୁ ପ୍ରତ୍ୟେକ ଦିନ ଅପରାହ୍ନ ଗୋଟାଏ, ୪ଟା ଓ ସନ୍ଧ୍ୟା ୭ଟାରେ ଏଭଳି ୩ଟି ଶୋ ଅନୁଷ୍ଠିତ ହେବ । ଟିକେଟ୍‌ର ମୂଲ୍ୟ ଗ୍ୟାଲେରୀ ୧୦୦ଟଙ୍କା, ଡିସି ୨ଶହ ଟଙ୍କା ଓ ସ୍ପେଶାଲ ୩ଶହ ଟଙ୍କା ଧାର୍ଯ୍ୟ କରାଯାଇଛି । ଦର୍ଶକ ମାନଙ୍କର ସମସ୍ତ ପ୍ରକାରର ସୁବିଧା ସୁଯୋଗ କରାଯାଇଛି ବୋଲି ବାଲିଯାତ୍ରା କମିଟିର ସଭାପତି ପ୍ରଦୀପ ଦାସ ସୂଚନା ଦେଇଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading