
ରାଜ୍ୟ ସରକାରଙ୍କ ପକ୍ଷରୁ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ପଟ୍ଟାମୁଣ୍ଡାଇ ବ୍ଲକର ଅମୃତମଣୋହି ପଂଚାୟତରେ ଅନୁଷ୍ଠିତ ହୋଇଯାଇଛି । ଆମ ଓଡିଶା ନବୀନ ଓଡିଶା ଯୋଜନାରେ ଅମୃତମଣୋହି ପଂଚାୟତ ବିକାଶ ପାଇଁ ବିଭିନ୍ନ ପ୍ରକଳ୍ପ ବାବଦରେ ୫୦ ଲକ୍ଷ ଟଙ୍କା ସରକାରୀ ଅନୁଦାନ ଯୋଗାଇ ଦିଆଯାଇଛି । ଏହି ଅନୁଦାନରେ ଯୁବବିକାଶ କେନ୍ଦ୍ର, ମିଶନଶକ୍ତି ଗୃହ ନିର୍ମାଣ, ଦେବାଦେବୀ ମନ୍ଦିର ଉନ୍ନତିକରଣ, ଗୋଷ୍ଠୀ କେନ୍ଦ୍ର ନିର୍ମାଣ, ସ୍କୁଲ ଗୃହ ଉନ୍ନତିକରଣ ଆଦି ବିଭିନ୍ନ ପ୍ରକଳ୍ପ ହାତକୁ ନିଆଯାଇଛି । ଅମୃତମଣୋହି ପଂଚାୟତରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ସହିତ ରାଜ୍ୟରେ ପଂଚାୟତରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ବିକାଶମୂଳକ ସରକାରୀ ଯୋଜନାର ବାର୍ତା ଘରେ ଘରେ ପହଞ୍ଚାଇବା ପାଇଁ ଏକ ସଭା ଆୟୋଜନ କରାଯାଇଥିଲା । ଅମୃତମଣୋହି ପଂଚାୟତ ପୂର୍ବତନ ସରପଞ୍ଚ କୂଳମଣି ମଲିକଙ୍କ ପୌରହିତ୍ୟ ଓ ଯୁବନେତା ସିଦ୍ଧାର୍ଥ ଦାସଙ୍କ ସଂଯୋଜନାରେ ଆୟୋଜିତ ସଭାରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଗ୍ରାମାଞ୍ଚଳ ବିକାଶ ପାଇଁ ଆମ ଓଡିଶା ନବୀନ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୁଗାନ୍ତକାରୀ ପଦକ୍ଷେପ ହୋଇଥିବାରୁ ଏହି ଯୋଜନାରେ ମଂଜୁର ଅର୍ଥ ବିନିଯୋଗ କରି ଅମୃତମଣୋହି ପଂଚାୟତକୁ ଏକ ସମୃଦ୍ଧ ସଶକ୍ତ ଓ ବିକଶିତ ପଂଚାୟତରେ ପରିଣତ କରିବା ସହିତ ନବୀନ ସରକାରଙ୍କ ସଫଳତାର ବାର୍ତା ଘରେ ଘରେ ପହଞ୍ଚାଇବା ଦିଗରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଏହି ସଭାରେ ସରପଞ୍ଚ ନିରୁପମା ଦାସ, ସମିତିସଭ୍ୟା ଅନ୍ନପୂର୍ଣ୍ଣା ମଲ୍ଲିକ କନିଷ୍ଠ ଯନ୍ତ୍ରୀ ସଂଘମିତ୍ରା ଦାସ, ପ୍ରାକ୍ତନ କୃଷି ଅଧିକାରୀ ସତ୍ୟାନନ୍ଦ ଦାସ, ପ୍ରାକ୍ତନ ଏ ବି ଇ ଓ ସନାତନ ତରାଇ, ସଂଗୀତଜ୍ଞ ସୁଧାଂଶୁ ଦାସ, ପୂର୍ବତନ ସମିତିସଭ୍ୟ ପ୍ରଭାତ ସେଠୀ ପି ଇ ଓ ପ୍ରଭାତ ମଲ୍ଲିକ ,ଜି ଆର ଏସ ସସ୍ମିତା ସାହୁ ପ୍ରମୁଖ ଯୋଗ ଦେଇ ଆମ ଓଡିଶା ନବୀନ ଓଡିଶା ଲକ୍ଷ୍ୟ ଓ ଆଭିମୁଖ୍ୟ ତଥା ବିଭିନ୍ନ ସରକାରୀ ଯୋଜନା ଉପରେ ଆଲୋକପାତ କରିଥିଲେ । ପ୍ରୋଜେକ୍ଟର ମାଧ୍ୟମରେ ବିଭିନ୍ନ ସରକାରୀ ଯୋଜନା ଓ କାର୍ଯକାରୀ ହୋଇଥିବା ପ୍ରକଳ୍ପ ସମ୍ପର୍କରେ ପ୍ରଦର୍ଶନ କରାଯାଇଥିଲ। କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ସରକାରୀ ଯୋଜନା ସମ୍ପର୍କ ଜନସଚେତନତା ସୃଷ୍ଟି କରିଥିଲେ । ଶେଷରେ ପ୍ରଭାତ ମଲ୍ଲିକ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅମୃତମଣୋହି ପଂଚାୟତର ବହୁ ସଂଖ୍ୟକ ମହିଳା ପୁରୁଷ ଓ ଯୁବକ ମାନେ ଯୋଗ ଦେଇଥିଲେ ।











