କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବଣିକ ସଂଘ ଆନୁକୂଲ୍ୟରେ ଦୀର୍ଘ ୭୫ବର୍ଷ ଧରି ଅନୁଷ୍ଠିତ ହୋଇ ଆସୁଥିବା ଏ ଅଂଚଳର ଅନ୍ୟତମ ଗଣପର୍ବ ତଥା ମହାନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ବିଶ୍ୱଶାନ୍ତି ମହାଯଜ୍ଞ ଗତ ୧୬ ତାରିଖ ଠାରୁ ଆରମ୍ଭ ହୋଇ ଥିବା ବିଶ୍ୱଶାନ୍ତି ମହାଯଜ୍ଞ ୯ଦିନ ବ୍ୟାପି ଆୟୋଜିତ ହୋଇ ୨୪ ତାରିଖ ଅଗ୍ନି ପୂର୍ଣ୍ଣିମା ଅବସରରେ ପୂର୍ଣ୍ଣାହୂତି ଦିଆଯାଇ ଉଦଯାପନ କରାଯାଇଛି । ବହୁ ବିଦ୍ୱାନ ବେଦଜ୍ଞ ବ୍ରାହ୍ମଣ ପଣ୍ଡିତ ଙ୍କ ମନ୍ତ୍ର ଧ୍ୱନି ଓ ହୋମ ଯଜ୍ଞ ମଧ୍ୟରେ ବିଶ୍ୱଶାନ୍ତି ମହାଯଜ୍ଞର ସମସ୍ତ ରୀତିନୀତି ସମ୍ପନ୍ନ କରାଯାଇଛି । ଏହି ମହାଯଜ୍ଞର ବିଭିନ୍ନ ଦିବସରେ ରାଜନଗର ବିଧାୟକ ଧ୍ରୁବ ସାହୁ, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁଙ୍କ ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି, ପ୍ରଶାସନିକ ଅଧିକାରୀ ଓ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ଯୋଗ ଦେଇ ଭଗବାନଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । ଏହି ମହାନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ବଣିକ ସଂଘ ସଭାପତି ଗୋପୀନାଥ କର,ଉପସଭାପତି ମୋହନ ଦାସ (ନମି ), ସମ୍ପାଦକ ପ୍ରଫୁଲ୍ଲ ଲେଙ୍କା, ସହସମ୍ପାଦକ ସରୋଜ ପାଢ଼ୀ, କୋଷାଧକ୍ଷ ପର୍ଶୁରାମ ଷଣ୍ଢ, ଉପଦେଷ୍ଟା କିରଣ ଭୂୟାଁ, ସୁଦର୍ଶନ ଦାସ,ରବୀନ୍ଦ୍ର ସାହୁ ଅଚ୍ୟୁତ ଜେନା, ହରିହର ସାହୁ,କିଶୋର ଜେନା(ବାଇନ ), ସମ୍ବିତ ଦାସ, ଅଜୟ ପାଢ଼ୀ ପ୍ରମୁଖ ବହୁ ସଦସ୍ୟ ସାମିଲ ଯଜ୍ଞ କାର୍ଯ୍ୟକ୍ରମକୁ ଶାନ୍ତି ଶୃଙ୍ଖଳାର ସହିତ ସମାପନ କରିବା ପାଇଁ ପୂର୍ଣ୍ଣପ୍ରାଣରେ ସହଯୋଗ କରିଥିଲେ । ବିଶ୍ୱଶାନ୍ତି ମହାଯଜ୍ଞକୁ ସରସ ସୁନ୍ଦର କରିବା ପାଇଁ ମିନା ବଜାର, ରାମ ଦୋଳି, ଚିଡ଼ିଆ ଖାନା ଆଦି ମନୋରଞ୍ଜନକାରୀ ସଂସ୍ଥା ଯୋଗ ଦେଇଥିଲେ । ପଟ୍ଟାମୁଣ୍ଡାଇ ତହସିଲଦାର ପଞ୍ଚାନନ ନାୟକ, ଏସ ଡି ପି ଓ କ୍ଷମାସାଗର ପଣ୍ଡା, ଆଦର୍ଶ ଥାନା ଆଇ ଆଇ ସି ରଂଜିତ ମହାନ୍ତି ପ୍ରମୁଖ ପୋଲିସ ଫଉଜ ସହ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ ।