ପଟ୍ଟାମୁଣ୍ଡାଇରେ ଜିଲ୍ଲା ବିଜ୍ଞାନକେନ୍ଦ୍ରର ଭିଡିଓ କନଫରେନ୍ସରେ ଶୁଭ ଦେଲେ ମୁଖ୍ୟମନ୍ତ୍ରୀ


କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଚନ୍ଦନନଗର ପଂଚାୟତ ବନ୍ତୋ ଠାରେ ଜିଲ୍ଲା ବିଜ୍ଞାନ କେନ୍ଦ୍ରର  ଭିଡିଓ କନଫରେନ୍ସ ଯୋଗେ ଶୁଭ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଏହି ଉପଲକ୍ଷେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅଫିସ ସମ୍ମିଳନୀ କକ୍ଷରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାଜନଗର ବିଧାୟକ ଧ୍ରୁବ ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳି ସେଠୀ ଓ ଜିଲ୍ଲା ସ୍ତରୀୟ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ । ଆଜି ଜାତୀୟ ବିଜ୍ଞାନ ଦିବସରେ ପଟ୍ଟାମୁଣ୍ଡାଇ-ରାଜନଗର ବାସୀଙ୍କୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ବିଜ୍ଞାନ କେନ୍ଦ୍ର ଭେଟି ଦେଇ ଅଂଚଳବାସୀଙ୍କ ପ୍ରତି ନିଜର ସ୍ୱତନ୍ତ୍ର ଭଲ ପାଇବାକୁ ପ୍ରମାଣିତ କରିଛନ୍ତି ବୋଲି ରାଜନଗର ବିଧାୟକ ଧ୍ରୁବ ସାହୁ ପ୍ରକାଶ କରିଛନ୍ତି ।

ପ୍ରକାଶଥାଉକି ଗତ ୨୦୨୨ ମସିହା ଡ଼ିସେମ୍ବର ମାସରେ ଅନୁଷ୍ଠିତ ବିଧାନସଭା ଶୀତ କାଳିନ ଅଧିବେଶନରେ ରାଜନଗର ବିଧାୟକ ଧ୍ରୁବ ସାହୁ ଭିତରକନିକା ଜୈବ ବିବିଧତା, ଅଲିଫ ଲିଡଲେ କଇଁଛ, କୁମ୍ଭୀର ସମ୍ପର୍କରେ ଗବେଷଣା ସହ ବିଭିନ୍ନ ବିଷୟରେ ଯୁବ ଓ ଛାତ୍ର, ଶିକ୍ଷାବିତ ସର୍ବୋପରି ବୈଜ୍ଞାନିକମାନେ ଗବେଷଣା କରିବା ପାଇଁ ପଟ୍ଟାମୁଣ୍ଡାଇ କିମ୍ବା ରାଜନଗରରେ ଜିଲ୍ଲା ବିଜ୍ଞାନକେନ୍ଦ୍ର ପ୍ରତିଷ୍ଠା ପାଇଁ ସରକାର ପଦକ୍ଷେପ ନେବାକୁ ଅନୁରୋଧ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜ୍ଞାନ ଓ କାରିଗରୀ ବିଭାଗ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଶେଷରେ ବିଧାୟକଙ୍କ ଅନୁରୋଧ ରକ୍ଷା କରି ମୁଖ୍ୟମନ୍ତ୍ରୀ ଆଜି ପଟ୍ଟାମୁଣ୍ଡାଇ ବ୍ଲକ ବନ୍ତୋ ଠାରେ ତିନି ଏକର ପରିମିତ ଜାଗାରେ ପ୍ରାୟ ୬ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ଜିଲ୍ଲା ବିଜ୍ଞାନକେନ୍ଦ୍ର ପାଇଁ ଶୁଭ ଶିଳାନ୍ୟାସ କରିଛନ୍ତି ।