ଇଲୋକ୍ଟରଲ ବଣ୍ଡକୁ ନେଇ ଅମିତ ଶାହାଙ୍କ ବଡ ବୟାନ


 

ସୁପ୍ରିମକୋର୍ଟଙ୍କ କଡା ନିର୍ଦ୍ଦେଶ ପରେ ଏସବିଆଇ ନିର୍ବାଚନୀ ବଣ୍ଡର ତଥ୍ୟ ସାର୍ବଜନୀନ କରିଛି । ଏଥିରେ ଦେଶର ବିଭିନ୍ନ ପାର୍ଟିକୁ କୌଣସି ବ୍ୟକ୍ତି କିମ୍ବା କମ୍ପାନୀ କେତେ ଟଙ୍କା ଦେଇଛି ସେନେଇ ସବୁ ତଥ୍ୟ ପ୍ରକାଶ ପାଇଛି । ତେବେ ଏହାକୁ ନେଇ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ସୁପ୍ରିମଙ୍କ ଦ୍ୱାରା ନିର୍ବାଚନୀ ବଣ୍ଡ ଯୋଜନାକୁ ରଦ୍ଦ କରାଯିବାକୁ ନେଇ ଶାହା କହିଛନ୍ତି, ସେମାନଙ୍କୁ କଳା ଧନ ଫେରି ଆସିବ ବୋଲି ଡର ଲାଗୁଛି ସେଥିପାଇଁ ଏହି ଯୋଜନାକୁ ରଦ୍ଦ କରିଛନ୍ତି ।

୨୦୧୮ରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏହି ଯୋଜନାକୁ ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି । ଶାହା ଆହୁରି କହିଛନ୍ତି, କୋର୍ଟଙ୍କ ଆଦେଶକୁ ନେଇ ମୁଁ କୌଣସି ଟିପ୍ପଣୀ ଦେବାକୁ ଚାହୁଁନି । କିନ୍ତୁ ନିର୍ବାଚନୀ ବଣ୍ଡକୁ ନେଇ ଚର୍ଚ୍ଚା କଲେ ମୁଁ ଉତର ରଖିବାକୁ ପ୍ରସ୍ତୁତ ଅଛି । ଏହି ଯୋଜନାକୁ କଳାଧନ ଶେଷ କରିବାକୁ ଅଣାଯାଇଥିଲା । ଏହି ଯୋଜନା ଲାଗୁ ହେବା ପୂର୍ବରୁ ସବୁ ପାର୍ଟିକୁ ନଗଦ ଚାନ୍ଦା ଦିଆଯାଉଥିଲା । କିନ୍ତୁ ଯୋଜନା ଲାଗୁ ହେବା ପରେ କମ୍ପାନୀ କିମ୍ବା ବ୍ୟକ୍ତିବିଶେଷଙ୍କୁ ଚାନ୍ଦା ଦେବା ପାଇଁ ବଣ୍ଡ କିଣିବାକୁ ପଡୁଥିଲା ।

ସମସ୍ତଙ୍କ ଏହି ଧାରଣା କି, ନିର୍ବାଚନୀ ବଣ୍ଡର ସର୍ବାଧିକ ଲାଭ ଭାଜପାକୁ ହୋଇଛି । କାରଣ ପାର୍ଟି କ୍ଷମତାରେ ଅଛି । ରାହୁଲ ଗାନ୍ଧୀ ମଧ୍ୟ କହିଛନ୍ତି, ଏହି ଯୋଜନା ଦୁନିଆର ସବୁଠାରୁ ବଡ ‘ଟଙ୍କା ବସୁଲ ର଼୍ୟାକେଟ’ ଅଟେ । ଭାଜପାକୁ ନିର୍ବାଚନୀ ବଣ୍ଡ ମାଧ୍ୟମରେ ୬ହଜାର କୋଟି ଟଙ୍କା ମିଳିଛି । କିନ୍ତୁ ସବୁ ଦଳଙ୍କୁ ମୋଟ ୨୦ ହଜାର କୋଟି ଟଙ୍କା ମିଳିଛି । ତା’ ହେଲେ ୧୪ ହଜାର ଟଙ୍କାର ବଣ୍ଡ କୁଆଡେ ଗଲା ବୋଲି ଶାହା କହିଛନ୍ତି ।