
କେନ୍ଦ୍ରାପଡ଼ା,୨୨ା୩: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାଲିଆ ପି.ଏଚ୍.ସିରେ କାର୍ଯ୍ୟରତ ଆୟୁଷ ଡାକ୍ତର ସାଧାରଣ ରୋଗୀଙ୍କ ପ୍ରତି ଦୁର୍ବ୍ୟବହାର ଯୋଗୁଁ ତାଙ୍କର ବଦଳି ପାଇଁ ଭାଗବତପୁର ପଞ୍ଚାୟତର ଅଧିବାସୀମାନେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ତାଙ୍କ ଦୁର୍ବ୍ୟବହାର ଦ୍ୱାରା ସାଧାରଣ ଜନତା ଅତିଷ୍ଣୁ ହୋଇପଡିଲେଣି । ଗତ ୨୧ତାରିଖ ଗୁରୁବାର ଦିନ ସକାଳେ ଭାଗବତପୁର ଜଣେ ରୋଗୀ ରାମଚନ୍ଦ୍ର ବାରିକ ଚିକିତ୍ସା ପାଇଁ ପି.ଏଚ୍.ସି ଆସିଥିଲେ । କିନ୍ତୁ ଚିକିତ୍ସା ବଦଳରେ ଡାକ୍ତର ତାଙ୍କୁ ଔଷଧ ନଦେଇ ବାହାର ବେସରକାରୀ ବ୍ରାଣ୍ଡେଜ୍ ମେଡିସିନ୍ ପାଇଁ ବାଧ୍ୟ କରିଥିଲେ ଏବଂ ଏହାକୁ ପ୍ରତିବାଦ କରିବାରୁ ଡାକ୍ତର ଉକ୍ତ ରୋଗୀଙ୍କୁ ଧକ୍କା ମାରି ବାହାର କରିବାକୁ ମେଡିକାଲର ଅଧିନସ୍ଥ କର୍ମଚାରୀଙ୍କୁ ଆଦେଶ ଦେଇଥିଲେ । ଏହାସହିତ ତାଙ୍କୁ ମେଡିକାଲରୁ ବାହାର କରି ଦେଇଥିଲେ । ସେ କହିଥିଲେ “ସରକାରୀ ଔଷଧରେ ରୋଗ ଭଲ ହୁଏ ନାହିଁ ଏବଂ ତୁ ଯାହାକୁ ଅଭିଯୋଗ କରିବା କଥା କର” ମୋର କିଛି ହେବାର ନାହିଁ ବୋଲି ଧମକ ଦେଇଥିଲେ । ଏପରି କେବଳ ରୋଗୀ ରାମଚନ୍ଦ୍ର ବାରିକଙ୍କ ପାଖରେ ସିମୀତ ନୁହେଁ । ଏହା ବାରମ୍ବାର ଅନେକ ରୋଗୀଙ୍କ ସହିତ ଘଟିଆସୁଛି । ସାଧାରଣ ରୋଗ ଯଥା- ଥଣ୍ଡା, ଜ୍ୱର, କାସ, ବାନ୍ତି, ଓ ଝାଡା ପାଇଁ ଔଷଧ ବାହାରୁ କିଣିବା ପାଇଁ ବାଧ୍ୟ କରାଯାଉଛି । ଏଣୁ ସେହି ଡାକ୍ତରଙ୍କୁ ଉକ୍ତ ପି.ଏଚ୍.ସିରୁ ବଦଳି କରିବା ପାଇଁ ଏବଂ ସେଠାରେ ରୋଗୀମାନଙ୍କୁ ସଠିକ୍ ରୂପେ ଚିକିତ୍ସା କରିବା ପାଇଁ ଉକ୍ତ ପଞ୍ଚାୟତବାସୀ ଜିଲ୍ଲାପାଳ ଓ ମୁଖ୍ୟ ଚିକିତ୍ସା ଅଧିକାରିଣୀଙ୍କ ନିକଟରେ ଦାବି କରିଛନ୍ତି । ଏଥି ସହିତ କେନ୍ଦ୍ରାପଡା ସଦରଥାନାରେ ସନାତନ ବାରିକ ଏତଲା ଦେଇଛନ୍ତି । ଦାବିପତ୍ର ପ୍ରଦାନ ସମୟରେ ଭାଗବତପୁର ଏମ୍ପିଏସ୍ ପ୍ରମିଳା ମିଶ୍ର, ସନାତନ ବାରିକ, ମହେନ୍ଦ୍ର ମହାରଣା, ସୌମ୍ୟ ରଞ୍ଜନ ଭଦ୍ର, ସୌମ୍ୟରଞ୍ଜନ ବେହୁରା, ମନୋଜ କୁମାର ବାରିକ, ପ୍ରତିଭା ବାରିକ, ହଳଧର ବାରିକ, ସୁକାନ୍ତି ବାରିକ, ସଂଯୁକ୍ତା ବାରିକ, ସେବତି ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।











