ରାଜନଗର ରାଜନୀତି : ଥରେ ବିଧାୟକ ହେଲେ ପରେ ଅଖୋଜା



ରାଜ୍ୟ ରାଜନୀତିରେ ରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ନେତାଙ୍କୁ ନେଇ ସଦାସର୍ବଦା ଚର୍ଚ୍ଚା ଲାଗି ରହିଥାଏ । ଏହି ନିର୍ବାଚନ ମଣ୍ଡଳୀରେ ଏକାଧିକ ରାଜନେତା ମାତ୍ର ଥରଟିଏ ବିଧାୟକ ହେବା ପରେ ଦଳ ପାଇଁ ଅଲୋଡ଼ା ହୋଇଯାଇଛନ୍ତି । ପଦବି ଯିବା ପରେ ସେମାନଙ୍କ ରାଜନୈତିକ ଯାତ୍ରା ସମାପ୍ତ ହୋଇଯାଉଛି । ୨୦୨୪ ନିର୍ବାଚନରେ ନିର୍ବାଚନରେ ବିଜେଡି ସୁପ୍ରିମ କି ପ୍ରକାର ପଦକ୍ଷେପ ଗ୍ରହଣ କରିବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ଅତିତରେ ପଟ୍ଟାମୁଣ୍ଡାଇ ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ତାପସ ଦାସଙ୍କ ଠାରୁ ଆରମ୍ଭ କରି ପୂର୍ବତନ ବିଧାୟକ ଅଲେଖ ଜେନା ଏବଂ ପୂର୍ବତନ ହାଇପ୍ରୋଫାଇଲ ମନ୍ତ୍ରୀ ସ୍ୱର୍ଗତ ନଳିନୀ ମହାନ୍ତି଼ଙ୍କୁ ନେଇ ବିଭିନ୍ନ ସମୟରେ ଆଲୋଚନା ହୋଇଥାଏ । ଏମାନେ ବିଜେଡିରୁ ଥରେ ଥରେ ବିଧାୟକ ହେବା ପରେ ଦଳ ତାଙ୍କୁ ଅଣଦେଖା କରିଛନ୍ତି ।୨୦୦୦ ମସିହାରେ ପ୍ରଥମ କରି ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ରାଜ୍ୟ ଶାସନର ମଙ୍ଗ ଧରିଥିଲେ । ସେତେବେଳେ ପଟ୍ଟାମୁଣ୍ଡାଇ ନିର୍ବଚନମଣ୍ଡଳୀ ଥିବା ବେଳେ ତାପସ ଦାସ ନିର୍ବାଚିତ ହୋଇଥିଲେ । ୨୦୦୪ ନିର୍ବାଚନରେ କିଶୋର ତରାଇ ବିଜେଡିରୁ ବିଧାୟକ ହୋଇଥିଲେ । ପରବର୍ତି ସମୟ ୨୦୦୯ ସୀମା ପୁନଃ ନିର୍ଦ୍ଧାରଣ ପରେ ପଟ୍ଟାମୁଣ୍ଡାଇ ବ୍ଲକର ୧୯ଟି ପଂଚାୟତ, ପୌରାଂଚଳ ଏବଂ ରାଜନଗର ବ୍ଲକର ୨୯ଟି ପଂଚାୟତକୁ ନେଇ ନୂତନ ରାଜନଗର ନିର୍ବାଚନମଣ୍ଡଳୀ ଗଠନ କରାଯିବା ସହିତ ୧୨ଟା ପଂଚାୟତକୁ ନେଇ କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ସହିତ ମିଶାଇ ଦିଆଗଲା । ରଜନଗର ନିର୍ବାଚନ ମଣ୍ଡଳୀ ମିଶିବା ପରେ ଅଲେଖ ଜେନା ୨୦୦୯ ରେ ରାଜନଗରରୁ ବିଧାୟକ ହୋଇଥିବା ବେଳେ ୨୦୧୪ରେ ତାଙ୍କୁ ଅଣଦେଖା କରାଯାଇଥିବା ନଜରି ରହିଛି । ଅନ୍ୟପକ୍ଷରେ ୨୦୦୯ ପୂର୍ବରୁ ରାଜନଗର ନିର୍ବାଚନମଣ୍ଡଳୀ ୨୦୦୦ ନିର୍ବାଚନରେ ବିଧାୟକ ନଳିନୀ ମହାନ୍ତି ପୂର୍ତ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ହୋଇଥିଲେ । ବିଜେଡି-ବିଜେପି ମେଂଟ ସରକାରର ଗୋଟିଏ ବର୍ଷ ପରେ ୨୦୦୧ ମସିହା ଜୁଲାଇ ମାସ ୯ ତାରିଖ ଦିନ ତତ୍କାଳୀନ ପୂର୍ତ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ନଳିନୀ ମହାନ୍ତିଙ୍କ ଉପରେ ଦୁର୍ନୀତିର ଛାଇ ପଡ଼ିଛି ବୋଲି କହି ନବୀନ ତାଙ୍କୁ ବରଖାସ୍ତ କରିଦେଇଥିଲେ । ଏହା ସେବେ ଓଡ଼ିଶା ରାଜନୀତିକୁ ଦୋହଲାଇ ଦେଇଥିଲା । ପରେ କଂଗ୍ରେସରୁ ନଳିନୀ ୨୦୦୪ରେ ନିର୍ବାଚନ ଜିତିଲେ ସତ ହେଲେ ୨୦୦୯ରେ ତାଙ୍କୁ ପରାଜୟ ସାମ୍ନା କରିବାକୁ ପଡ଼ିଲା । ନଳିନୀଙ୍କ ଅବର୍ତମାନରେ ୨୦୧୪ ବିଧାନସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଭାବରେ ତାଙ୍କ ସୁପୁତ୍ର ଯୁବନେତା ଅଂଶୁମାନ ମହାନ୍ତି ବିଜେଡି ପ୍ରାର୍ଥୀ ଧ୍ରୁବ ସାହୁଙ୍କୁ ପରାସ୍ତ କରି ନିର୍ବାଚିତ ହେବା ସହିତ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । କାରଣ ୨୦୧୪ ଶେଷ ମୁର୍ହୂତରେ ଅଲେଖଙ୍କୁ ବାଦ୍ ଦେଇ ବିଜେଡି ଯୁବ ନେତା ଧ୍ରୁବଙ୍କୁ ବାଛିଥିଲା । ହେଲେ ଧ୍ରୁବଙ୍କୁ ପରାଜୟର ସାମ୍‌ନା କରିବାକୁ ପଡ଼ିଥିଲା । ୨୦୧୯ରେ ବିଜେଡିରୁ ଅନେକ ଆଶାୟୀ ପ୍ରାର୍ଥୀ ଥିଲେ ସୁଦ୍ଧା ଦଳ ଧ୍ରୁବଙ୍କୁ ରଣାଗନରେ ଛାଡିଥିଲେ । କଂଗ୍ରେସ ନେତା ଅଂଶୁମାନଙ୍କଙ୍କୁ ବିପୁଳ ଭୋଟରେ ପରାସ୍ତ କରି ବିଜୟୀ ହୋଇ ବର୍ତମାନର ବିଧାୟକ ଅଛନ୍ତି । ଏବେ ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଗୁଲ ବାଜିସାରିଥିବା ବେଳେ ବିଜେଡି ବିଧାୟକ ଭାବେ ଦଳ କାହା ମୁଣ୍ଡରେ ସୁନା କଳସ ଢାଳିବ ତାକୁ ନେଇ ଚର୍ଚ୍ଚା ଜୋର ଧରୁିଛି ।


Discover more from

Subscribe now to keep reading and get access to the full archive.

Continue reading