ଆନ୍ତର୍ଜାତୀୟ ଅଶୋଭନୀୟତା ନିରୋଧ ଦିବସ ପାଳିତ



କେନ୍ଦ୍ରାପଡ଼ା, ୮ା୪: କେନ୍ଦ୍ରାପଡା ଗରାପୁରସ୍ଥିତ ଶୋଭନୀୟ ଶିକ୍ଷାଶ୍ରମ ମୁଖ୍ୟ ଫାଟକ ନିକଟରେ ଆନ୍ତର୍ଜାତିକ ଅଶୋଭୋନୀୟତା ନିରୋଧ ଆନ୍ଦୋଳନର କେନ୍ଦ୍ରାପଡା ସଂଯୋଜିକା ମମତା ମଲ୍ଲଙ୍କ ସଂଯୋଜନାରେ ଆନ୍ତର୍ଜାତିକ ଅଶୋଭୋନୀୟତା ନିରୋଧ ଦିବସ ଓ ପୂଜ୍ୟ କୁମାର ଭାଇଙ୍କ ୭୭ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସାମାଜିକ କର୍ମୀ ଶ୍ରୀ ଜଗନ୍ନାଥ ଚାରିଟେବୁଲ୍ ଟ୍ରଷ୍ଟର ସଦସ୍ୟ ରାଜେନ୍ଦ୍ର ମହାପାତ୍ରଙ୍କ ଦ୍ୱାରା ମାନବିକତାର ପତାକା ଉତ୍ତୋଳନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ କଟକର ଆକାଶବାଣୀ କଳାକାର ଅଭିରାମ ନାୟକ, ଉଷାରାଣୀ ଗୀତିନାଟ୍ୟ ପରିଷଦର ସଭାପତି ପ୍ରଭାତ କୁମାର ସିଂହ, ସମାଜସେବୀ ଦିଲ୍ଲୀପ କୁମାର ଦାସ, ଆଇନଜୀବୀ ରମଣୀ ରଞ୍ଜନ ରାଉତରାୟ, ଶିକ୍ଷାବିତ୍ ଇନ୍ଦ୍ରମଣି ନାୟକ, ନୃତ୍ୟଶିଳ୍ପୀ ଦେବସ୍ମିତା ଦାସ ଓ କେନ୍ଦ୍ରାପଡା ସଦର ଥାନାର ଦୁଇଜଣ ଆରକ୍ଷୀ ଅଧିକାରୀ ଯୋଗ ଦେଇଥିଲେ । ସମାଜର ଶାନ୍ତି, ଶୃଙ୍ଖଳା ଓ ମଙ୍ଗଳ ପାଇଁ ଯୋଗ୍ୟ ଆଦର୍ଶ କର୍ମୀ ଗଠନ ଉଦ୍ଦେଶ୍ୟରେ ଉକ୍ତ ମଣିଷ ତିଆରି କାରଖାନା ଗଢା ହୋଇଥିଲେ ହେଁ ଅନିବାର୍ଯ୍ୟ କାରଣବଶତଃ ଏହା ବର୍ତ୍ତମାନ ଚାଲୁନଥିବାରୁ ଉପସ୍ଥିତ ଅତିଥିଗଣ ଦୁଃଖ ପ୍ରକାଶ କରିବା ସହ ପୁନରାୟ ଏହା ସମାଜ ମଙ୍ଗଳ ଉଦ୍ଦେଶ୍ୟରେ ଚାଲୁ ରଖାଯିବା ନିମନ୍ତେ ସରକାରଙ୍କ ନିକଟରେ ଦାବି ଉପସ୍ଥାପନା କରିଥିଲେ । ନିଜେ ଭଲ ହୋଇ ସମାଜକୁ ଭଲ କରିବାର ସଂକଳ୍ପ ସଙ୍ଗୀତ ଗାଇ ଇନ୍ଦ୍ରମଣି ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।