
କେନ୍ଦ୍ରାପଡ଼ା, ୧୭ା୫: କେନ୍ଦ୍ରାପଡା ଜିଲ୍ଲା ଉପକାରାଗାରରେ ଜଣେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତ କଏଦୀ ଜଣକ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ମଳିପୁର ଗ୍ରାମର ରଞ୍ଜନ ମଲିକ ବୋଲି ଜଣାପଡିଛି ।
ଅଭିଯୋଗ ଅନୁଯାୟୀ କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ବରୁଣାଡିହା ଗ୍ରାମର ରଞ୍ଜନଙ୍କ ପତ୍ନୀ ଗେହ୍ଲେଇ ମଳିକ ସଦର ଥାନାରେ ଅଭିଯୋଗ କରିଛନ୍ତି ଯେ ଗତ ମାର୍ଚ୍ଚମାସ ୧୦ତାରିଖ ଠାରୁ ଏକ ମାମଲାରେ ଗିରଫ ହୋଇ ତାଙ୍କ ସ୍ୱାମୀ ରଞ୍ଜନ ବାରିମୂଳସ୍ଥିତ ଉପକାରାଗାରାରେ ଥିଲେ । ଗତ ମଇମାସ ୧୫ ତାରିଖରେ ତାଙ୍କ ସ୍ୱାମୀ ରଞ୍ଜନ ଫୋନରେ ତାଙ୍କ ସହ କଥା ହୋଇଥିଲେ ଏବଂ ସଂପୂର୍ଣ୍ଣ ସୁସ୍ଥ ଥିବା କହିଥିଲେ । କିନ୍ତୁ ୧୬ତାରିଖ ରାତି ଗୋଟାଏ ବେଳେ ହଠାତ ଜେଲରୁ ଫୋନ ଗଲା ଯେ ତମ ସ୍ୱାମୀ ଅସୁସ୍ଥ ଅଛନ୍ତି ତମେ ଶୀଘ୍ର କେନ୍ଦ୍ରାପଡା ଡାକ୍ତରଖାନାକୁ ଆସ ବୋଲି କହିଥିଲେ । କିନ୍ତୁ ମୁଁ ଏତେ ରାତିରେ ଗ୍ରାମରୁ କେନ୍ଦ୍ରାପଡା ଯିବା ସମ୍ଭବ ନୁହେଁ ବୋଲି କହିଥିଲି । ମାତ୍ର ଆଜି ସକାଳୁ ପୋଲିସ ଫୋନ କଲା ତମ ସ୍ୱାମୀ ଆଉ ନାହାନ୍ତି ବୋଲି । ମୋର ବିଶ୍ୱାସ ହେଲାନି କେମିତି ମୋ ସ୍ୱାମୀ ମଲେ ବୋଲି ମୁଁ ପୋଲିସ ବାବୁଙ୍କୁ କହିଲି । ଗେହ୍ଲେଇ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ସେ ସନ୍ଦେହ କରୁଛନ୍ତି ତାଙ୍କ ସ୍ୱାମୀ ରଞ୍ଜନଙ୍କୁ ଜେଲ ଭିତରେ ମାରିଦିଆଯାଇଛି । ପୋଲିସ ପକ୍ଷରୁ ଘଟଣାର ସଠିକ ତଦନ୍ତ କରାନଗଲେ ସେ ପରିବାର ସହିତ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଦେବେ ବୋଲି ତାଙ୍କ ଅଭିଯୋଗରେ ଲେଖିଛନ୍ତି । ତାଙ୍କ ଅଭିଯୋଗକୁ ଭିତ୍ତିକରି କେନ୍ଦ୍ରାପଡା ସଦର ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଥିବା ସଦର ଥାନା ଅଧିକାରୀ ସରୋଜ ସାହୁ ସୂଚନା ଦେଇଛନ୍ତି ।











