ଗଣକବି ଗୋପାଳ ଦାଶଙ୍କ ୧୪୯ତମ ଜୟନ୍ତୀ ଉତ୍ସବ



କେନ୍ଦ୍ରାପଡା, ୨/୬: ବାରୁଅ ସ୍ଥିତ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନର ଅକ୍ଷୟ ମହାନ୍ତି କକ୍ଷରେ ଓଡିଆ ଗୀତାଭିନୟ ଜଗତର ମୁକୁଟ ବିହୀନ ସମ୍ରାଟ୍ ଗଣକବି ଗୋପାଳ ଦାଶଙ୍କ ପୁଣ୍ୟ ୧୪୯ତମ ଜୟନ୍ତୀ ଉତ୍ସବ ଗତ ମେ ମାସ ୨୯ ତାରିଖ ପୂର୍ବାହ୍ନରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ରେଡିଓ ଭାବଗ୍ରାହୀ ଏବଂ ଭାବଗ୍ରାହୀ କଳା ନିକେତନର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ପୂଜ୍ୟପୂଜା କାର୍ଯ୍ୟକ୍ରମରେ କଳା ନକେତନର ପ୍ରତିଷ୍ଠାତା ତଥା ସଂଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡା ଅଧ୍ୟକ୍ଷତା କରିବା ସହିତ ଅତିଥି ପରିଚୟ ଏବଂ ସ୍ୱାଗତ ଭାଷଣ ପ୍ରଦାନ ଛଳରେ ଗଣକବିଙ୍କ ସ୍ମୃତିଚାରଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । କେନ୍ଦ୍ରାପଡାର ଅଖ୍ୟାତ ପଲ୍ଲୀ ପଳସିଂହାର ସାତପଡା ଗ୍ରାମରେ ୧୮୭୬ ମସିହା ଜ୍ୟେଷ୍ଠ ଶୁକ୍ଳ ପଞ୍ଚମୀ ତିଥିରେ ପିତା ନାଟ୍ୟକାର କହ୍ନେଇ ଦାଶ ଏବଂ ମାତା ଜେମା ଦେଈଙ୍କ କୋଳମଣ୍ଡନ କରି କୁଳୀନ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରି ଗୋପାଳ ଦାଶ ନିଜର ନିଷ୍ଠାପର ସାଧନା ଏବଂ କାଳଜୟୀ ଅଭିନୟ ମାଧ୍ୟମରେ ତତ୍କାଳୀନ ବଙ୍ଗ, ବିହାର ଏବଂ ଓଡିଶା ପ୍ରଦେଶରେ ବିଶେଷ ସୁଖ୍ୟାତି ଅର୍ଜନ କରିପାରିଥିଲେ । ରାଜା ନହୋଇ ବି ବିଭିନ୍ନ ରାଜାଙ୍କ ଭୂମିକାରେ ନିଖୁଣ ଅଭିନୟ କରି ସେ ରାଜାମାନଙ୍କ ସଭାରେ ବସିବାର ସୁଯୋଗ ପାଇପାରିଥିଲେ । ସେ ଏକାଧାରରେ ନାଟ୍ୟକାର, ଅଭିନେତା, ନାଟ୍ୟ ନିର୍ଦ୍ଦେଶକ, କବି, ସଂଗୀତ ନିର୍ଦ୍ଦେଶକ, ସୁସଂଗଠକ, ସମାଜସେବୀ, ଜଣେ ଅତି ଭଦ୍ର, ନମ୍ର ଏବଂ ଅମାୟିକ ବ୍ୟକ୍ତି ଥିଲେ । ଏହି ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପ୍ରଫେସର ପ୍ରଶାନ୍ତ କୁମାର ପାଣି, ମୁଖ୍ୟବକ୍ତା ଭାବରେ ପଣ୍ଡିତ ପଦ୍ମନାଭ ଦାଶ, ସମ୍ମାନୀତ ଅତିଥି ଭାବରେ ବାଣୀ ବିନୋଦ ସାହିତ୍ୟ ସେବା ନିକେତନର ସଭାପତି ନିରଞ୍ଜନ ପରିଡା, ସତୀର୍ଥର ସଂପାଦକ ମନ୍ମଥ ବରାଳ ଏବଂ ଗଣକବିଙ୍କ ଅଣନାତି ରାଧାକାନ୍ତ ଦାଶ ଯୋଗଦେଇ ବହୁ ଅନାଲୋଚିତ ତଥ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କବି ଅମର ପ୍ରସାଦ ରାଉତ, ସମାଜସେବୀ ହରିଶ୍ଚନ୍ଦ୍ର ଜେନା, ନାଟ୍ୟକାର ଭୀମସେନ ପ୍ରଧାନ, ରେଡିଓ ଭାବଗ୍ରାହୀର ମୁଖ୍ୟ ଧୀରାମଣି ପରିଡା, ଇଂ ବିଶ୍ୱଜିତ ପରିଡା, ସୁଶ୍ରୀ ସଂଗୀତା ଜେନା, ଉତ୍ତମ ସ୍ୱାଇଁ, ଗାୟକ ବିଷ୍ଣୁଚରଣ ବାରିକ, ପ୍ରଭାତ ବେହେରା, ବିଶାଲ ପରିଡା ପ୍ରମୁଖ ଉପସ୍ଥିତ ରହି ଗଣକବିଙ୍କ ସୃଷ୍ଟି ସମ୍ଭାର ସଂପର୍କିତ ଆଲୋଚନା କରିଥିଲେ । ରଶ୍ମୀତା ସୂତାର, ଅର୍ଚ୍ଚନା ପରିଡା, ରାଜଲକ୍ଷ୍ମୀ ପରିଡା, ଭାଗ୍ୟଲକ୍ଷ୍ମୀ ପରିଡା ପ୍ରମୁଖ କଣ୍ଠଶିଳ୍ପୀମାନେ ବିମଳ ପରିଡାଙ୍କ ରଚିତ ଶ୍ରଦ୍ଧାଞ୍ଜଳି ସଙ୍ଗୀତ ଗାଇଥିଲେ । ଶେଷରେ ପ୍ରବଚକ ବିକ୍ରମ କେଶରୀ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading