
କେନ୍ଦ୍ରାପଡା, ୧୬/୬: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମର ପ୍ରସିଦ୍ଧ ଦକ୍ଷିଣକାଳୀ ମନ୍ଦିର ପରିସରରେ ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ସଂଗଠନ ବାଗ୍ଦେବୀ କଳାମନ୍ଦିର ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ରଜ ମହୋତ୍ସବ-୨୦୨୪ ମହାସମାରୋହରେ ଉଦ୍ଯାପିତ ହୋଇଯାଇଛି । ସଂଗୀତ ନିର୍ଦ୍ଦେଶକ ସତ୍ୟପ୍ରିୟ ଦାସଙ୍କ ପୌରହିତ୍ୟରେ ମୁଖ୍ୟଅତିଥି ଭାବେ କେନ୍ଦ୍ରାପଡାରୁ ନବନିର୍ବାଚିତ ବିଧାୟକ ଗଣେଶ୍ୱର ବେହେରା, ମୁଖ୍ୟବକ୍ତା ଭାବେ କେନ୍ଦ୍ରାପଡାର ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ର, ଭୁବନେଶ୍ୱରର ବିଶିଷ୍ଟ ପରିବେଶବିତ୍ ଶରତ ପଟ୍ଟନାୟକ, ଭରତପୁରର ସରପଞ୍ଚ ନିଳାମ୍ବର ମଳିକ, କେନ୍ଦ୍ରାପଡା ବ୍ଲକର ପୂର୍ବତନ ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି, ନାରୀନେତ୍ରୀ ଜିନତ୍ ପ୍ରିୟଦର୍ଶୀନୀ ରାଉତ ଅତିଥି ରୂପେ ଯୋଗଦାନ କରିଥିଲେ । ମେ ମାସ ୧୪ ତାରିଖରୁ ଆରମ୍ବ ହୋଇଥିବା ଓଡିଆ ସାଂସ୍କୃତିକ ମହାନ ପର୍ବ ରଜ ସମ୍ବନ୍ଧୀୟ ୧୨ଗୋଟି ପ୍ରତିଯୋଗିତା ଯଥାକ୍ରମେ ରଜଦୋଳି, ପୁଚିଖେଳ, ଓଡିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ଓଡିଶୀ ସଂଗୀତ ଭଳି ପ୍ରତିଯୋଗିତା ଅନୁଷ୍ଠିତ ହୋଇ ବିଜୟୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଜିଲ୍ଲାର ୩ଜଣ ଅନନ୍ୟ କଳାକାର ଗୀତିକାରମାନଙ୍କୁ ମୁଖ୍ୟଅତିଥି ସମ୍ବର୍ଦ୍ଧିତ କରିଥିଲେ । ଶ୍ରେଷ୍ଠ ଗୀତିକାର ଇତିଶ୍ରୀ ମହାନ୍ତି, ସୁନାମଧନ୍ୟ ଅର୍ଗାନ୍ ବାଦକ ହିମାଂଶୁ ଶେଖର କର ଓ ବରିଷ୍ଠ ଯନ୍ତ୍ରୀ ବିଜୟ କୁମାର ସେଠୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଓଡିଆମାନଙ୍କ ମହାନପର୍ବ ରଜର ଐତିହାସିକ ତଥ୍ୟଗୁଡିକ ଖୁବ୍ ପ୍ରାଞ୍ଜଳ ଭାବେ ବିଧାୟକ ଗଣେଶ୍ୱର ବେହେରା ବ୍ୟାଖ୍ୟା କରି ସଂସ୍କୃତି ପ୍ରେମୀମାନଙ୍କ ମଧ୍ୟରେ ମଞ୍ଚରେ ଏକ ସ୍ୱତନ୍ତ ସ୍ଥାନ ଅଧିକାର କରିଥିଲେ । ଅଶୋକ କୁମାର ସାହୁ ସଂଯୋଜନା କରିଥିବା ବେଳେ ମା’ ଦକ୍ଷିଣକାଳୀ ମନ୍ଦିରର ସଂପାଦକ ଶିବପ୍ରସାଦ ଦାସ ଓ ସ୍ୱାଗତିକା ଦଳେଇ ଧନ୍ୟବାଦ ଅର୍ପଣ କରିଥିଲେ । ଶକ୍ତିପ୍ରସାଦ ମହାନ୍ତି, ଶାରଦା ପ୍ରସନ୍ନ ରାଉତ, ଶ୍ରୀଚରଣ ବେହେରା, ବିମଳା କାନ୍ତ ଚୌଧୁରୀ, ଶ୍ରୀଧର ମହାନ୍ତି ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ ।











