ଗାଁରେ ମୌଳିକ ସୁବିଧା ଅପହଂଚ ହୋଇରହିଛି । ବାରମ୍ବାର ନିବେଦନ ପରେ ବି ବ୍ଲକ ପ୍ରଶାସନ ଶୁଣୁନାହାଁନ୍ତି । ଏଭଳି ବିଭିନ୍ନ ସମସ୍ୟାର ସମାଧାନ ନେଇ ବାରମ୍ବାର ଦାବି ସତ୍ୱେ ବ୍ଲକ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଅଭିଯୋଗ ଆଣି ଗୁରୁବାର ଶ୍ରୀରାମପୁର ପଂଚାୟତର ଶତାଧିକ ମହିଳା ବିଡିଓଙ୍କ କାର୍ଯ୍ୟାଳୟ ଆଗରେ ହୋହାଲ୍ଲା କରିବା ସହିତ ବିଡ଼ିଓଙ୍କୁ ଘେରିଥିଲେ ।
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଶ୍ରୀରାମପୁର ପଂଚାୟତ ବିଭିନ୍ନ ସମସ୍ୟାରେ ଥିବା ବେଳେ ପଟ୍ଟାମୁଣ୍ଡାଇ ବ୍ଲକ ପ୍ରଶାସନ କର୍ଣ୍ଣପାତ କରୁନାହାନ୍ତି । ଏଥିନେଇ ଗୁରୁବାର ଶତାଧିକ ମହିଳା ପଂଚାୟତ ସମିତି କାର୍ଯ୍ୟାଳୟ ଆଗରେ ହୋହାଲ୍ଲା କରିବା ସହିତ ବିଡିଓଙ୍କୁ ଘେରି ଗୁହାରି କରିଥିଲେ । ମହିଳା ମାନେ କହିବାନୁଯାୟୀ, ଏହି ଗାଁରେ ଶତାଧିକ ପରିବାର ବସବାସ କରୁଛନ୍ତି । ପାନୀୟ ଜଳ ଯୋଗାଣର କୌଣସି ବ୍ୟବସ୍ଥା ନାହିଁ । ଶିଶୁ ମାନଙ୍କ ପଢାପଢି ପାଇଁ ଅଙ୍ଗନବାଡିର ଗୃହ ନ ଥିବା,ବିଦ୍ୟାଳୟରେ ଶିକ୍ଷକ ଅଭାବ, ରାସନ ସାମଗ୍ରୀ ଓ ବାର୍ଦ୍ଧକ୍ୟ ଭତା ସଠିକ ଭାବେ ମିଳୁନଥିବା ବେଳେ ଗାଁକୁ ଲାଇଟ୍ ବ୍ୟବସ୍ଥା ହୋଇନି । ଅନେକ ଯୋଗ୍ୟ ହିତାଧିକାରୀ ଆବାସ ଯୋଜନାରୁ ବଂଚିତ ରହିଛନ୍ତି । ଏହି ସମସ୍ୟାର ସମାଧାନ ପାଇଁ ବ୍ଳକ୍ ଓ ଜିଲ୍ଲା ପ୍ରଶାସନରେ ବାରମ୍ବାର ଦାବି କରିବା ସତ୍ୱେ ଏବେସୁଦ୍ଧା କୌଣସି ସୁଫଳ ମିଳିନାହିଁ ବୋଲି ସସ୍ମିତା ମଳିକ ପିଙ୍କି ମଳିକ କହିଛନ୍ତି । ଅନ୍ୟପଟେ ଏ ସମ୍ପର୍କରେ ବିଡିଓ ଶୁଭ୍ରାଂଶୁସାହୁଙ୍କୁ ଯୋଗାଯୋଗ କାରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇନଥିଲେ ।