ଦେଶରେ ନୂତନ ଭାରତୀୟ ନ୍ୟାୟ ସଂହିତା ଆରମ୍ଭ ନେଇ ଟାଉନ ଥାନା ପକ୍ଷରୁ ସାମ୍ବାଦିକ ସମ୍ମିଳନୀ



କେନ୍ଦ୍ରାପଡା, ୨୯ା୬: ସାରା ଦେଶରେ ଆଜିଠାରୁ ନୂତନ ଭାରତୀୟ ନ୍ୟାୟ ସଂହିତା ଲାଗୁ ହେବାକୁ ଯାଉଥିବାରୁ ସାଧାରଣ ଲୋକମାନଙ୍କୁ ସେ ସମ୍ପର୍କରେ ସଚେତନ କରିବା ପାଇଁ କେନ୍ଦ୍ରାପଡା ଟାଉନ ଥାନା ପକ୍ଷରୁ ଆଜି ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀ ଆହୂତ କରାଯାଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ଟାଉନ ଥାନା ଅଧିକାରୀ ଦିଲ୍ଲିପ କୁମାର ସାହୁ ଯୋଗଦେଇ ନୂତନ ଭାରତୀୟ ନ୍ୟାୟ ସଂହିତା ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ଦେଶର ଲୋକମାନଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରିବା ଏହି ନୂତନ ଭାରତୀୟ ନ୍ୟାୟ ସଂହିତାର ମୂଳ ଲକ୍ଷ୍ୟ । ପୂର୍ବ ଆଇନରେ ଦେଶ ପ୍ରଥମ ଥିଲା । ନୂତନ ଆଇନରେ ବ୍ୟକ୍ତିଙ୍କୁ ପ୍ରାଥମିକତା ଦିଆଯାଇଛି । ସମାଜର ସବୁ ବର୍ଗର ଲୋକ ଯେପରି ନ୍ୟାୟ ପାଇ ପାରିବେ ଏହି ଆଇନରେ ସେପରି ବ୍ୟବସ୍ଥା କରାଯାଇଛି । ଜଣେ ବ୍ୟକ୍ତି ଦେଶର ଯେକୈାଣସି ଥାନାରେ ଏଣିକି ଏତଲା ଦେଇପାରିବେ । ଏହାକୁ ଜିରୋ ଏଫ୍‌.ଆଇ.ଆର୍‌. ବ୍ୟବସ୍ଥା କୁହାଯାଉଛି । ଜଣେ ବ୍ୟକ୍ତି ଚାହିଁଲେ ମେଲରେ ଇ-ଏତଲା ମଧ୍ୟ ଦେଇପାରିବେ । କିନ୍ତୁ ୩ଦିନ ମଧ୍ୟରେ ସେହି ଥାନାରେ ପହଁଚି ଦସ୍ତଖତ କରିବାକୁ ପଡିବ । ତିନିଦିନ ଭିତରେ ନପହଁଚିଲେ ତାଙ୍କ ଅଭିଯୋଗକୁ ଗ୍ରହଣ କରାଯିବନି । ପୂର୍ବରୁ ଭାରତୀୟ ପିଙ୍ଗଳ କୋର୍ଡରେ (ଆଇ.ପି.ସି.)ରେ ୫୧୧ଟି ଦଫା ଥିବା ଥିବା ବେଳେ ନୂତନ ଭାରତୀୟ ନ୍ୟାୟ ସଂହିତାରେ ୩୫୮ଟି ଦଫା ରହିଛି । ୩ବର୍ଷ ପର୍ଯ୍ୟନ୍ତ ଦଣ୍ଡବିଧାନ ଥିବା ଦଫାରେ ଜଣେ ଥାନା ଅଧିକାରୀ ଉପରିସ୍ଥ ଅଧିକାରୀଙ୍କ ଅନୁମତି ନେଇ ଆସାମୀକୁ ଗିରଫ କରିବେ ।ପୂର୍ବରୁ ଥିବା ୩୦୨ଦଫା ନୂଆ ଆଇନରେ ୧୦୩ ହୋଇଥିବା ବେଳେ ୩୦୭ ଦଫା ୧୦୯ହୋଇଛି । ସେହିପରି ୫୦୬ ଦଫାଟି ୩୫୧ ହୋଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡି ଜିଲ୍ଲା ସଭାପତି ଧିରେନ ସାହୁ, ବିଜେଡି ରାଜ୍ୟ ସମ୍ପାଦକ ରଞ୍ଜିତ ସାହୁ, ପୂର୍ବତନ କାଉନସିଲର ମୁକ୍ତାର ଖାଁ, ହିରଣ୍ୟ ପଣ୍ଡା, ନଗର ବିଜେଡି ସଭାପତି ଯଯାତି କେଶରୀ ମହାନ୍ତି, କାଉନସିଲର ପ୍ରଦୀପ୍ତ ଜେନା, ସେକ ଅସଲମ, ନିରାକାର ସ୍ୱାଇଁ, ବିଜେପି ନେତା ସଲିମ ଖାନ୍‌, ଦୁର୍ଯ୍ୟୋଧନ ସାହୁଙ୍କ ସମେତ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।


Next Post

ଲାଗୁ ହେଲା ନୂଆ ଆଇନ:ପଟ୍ଟାମୁଣ୍ଡାଇ ଗ୍ରମାଂଚଳ ଥାନାରେ ସଚତେନତା

Mon Jul 1 , 2024
ପଟ୍ଟାମୁଣ୍ଡାଇ ୧/୭ ଫୌଜଦାରୀ ନ୍ୟାୟ ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ କେନ୍ଦ୍ର ସରକାର ୩ଟି ନୂଆ ଆଇନ ଲାଗୁ କରିଛନ୍ତି । ଭାରତର ମହାମହିମ ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ଗତ ଡିସେମ୍ବର ୨୫ ତାରିଖରେ ଏହି ୩ ନୂଆ ଆଇନ୍ ଭାରତ ସରକାରଙ୍କ ରାଜପତ୍ରରେ ପ୍ରକାଶ ପାଇବା ପରେ ଜୁଲାଇ ପହିଲା ସୋମବାର ଠାରୁ ସାରା ଦେଶରେ ୧୮୬୦ ମସିହାରୁ ଚାଲିଥିବା ବ୍ରିଟସ ଆଇନକୁ ହଟାଇ ନୂଆ ପୋଲିସ ଆଇନ […]

KANIKA