
କେନ୍ଦ୍ରାପଡ଼ା,୮ା୭:ଆଜି କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ଆରାଧ୍ୟା ପ୍ରଭୁ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ରଥଯାତ୍ରାର ଦ୍ୱିତୀୟ ଦିନରେ ଅପରାହ୍ନ ୩ଟାରେ ରଥ ଟଣାଯାଇ ପ୍ରାୟ ଏକଶହ ମିଟର ଯିବା ପରେ ଦେବୋତ୍ତର କାର୍ଯ୍ୟାଳୟ ନିକଟରେ ପହଞ୍ଚିବା ପରେ ରଥ ବାମପଟକୁ ମାଡିଯାଇଥିଲା । ରଥକୁ ଡାହାଣ ପାଶ୍ୱର୍କୁ ମୋଡଦେବାକୁ ରେଳବାଇରୁ ଜଗ୍ ଅଣାଯାଇ ରଥକୁ ଡାହାଣ ପାଶ୍ୱର୍କୁ ମୋଡ ଦେବାପରେ ପୁନର୍ବାର ରଥ ଟଣା ଯାଇ ମାତ୍ର ୨୫ମିଟର ଯିବା ପରେ ସାଢେ ୬ଟାରେ ସୂର୍ଯ୍ୟାସ୍ତ ହୋଇଯିବାରୁ ରଥ ଟଣା ଆଜି ପାଇଁ ବନ୍ଦ ରହିଥିଲା । ରବିବାର ଶ୍ରୀଗୁଣ୍ଡିଚାରେ ଶ୍ରୀଜୀଉମାନେ ପହଣ୍ଡି ହୋଇ ବ୍ରହ୍ମତାଳଧ୍ୱଜ ରଥରେ ଆସିନ ହୋଇଥିଲେବି ସୂର୍ଯ୍ୟାସ୍ତ ହୋଇଯିବାରୁ ରଥ ଆଉ ଟଣା ଯାଇପାରିନଥିଲା । ଜିଲାପାଳ ସୂର୍ଯ୍ୟବଂଶୀ ମୟୂରବିକାଶ, ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟ୍ଟାରିଆ, ଉପଆରକ୍ଷୀ ଅଧୀକ୍ଷକ ଦେବାଶିଷ ଧଳଙ୍କ ସମେତ ଶ୍ରୀବଳଦେବଜୀଉ ଦେବୋତ୍ତର ଟ୍ରଷ୍ଟବୋର୍ଡର ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ ଏବଂ ମ୍ୟାଜିଷ୍ଟ୍ରେଟ ଦାୟୀତ୍ୱରେ ଥିବା ଅନ୍ୟ ପ୍ରଶାସନିକ ଅଧିକାରୀମାନେ ରଥଦାଣ୍ଡରେ ଉପସ୍ଥିତ ଥିଲେ । ଗତକାଲି ରଥ ଟାଣିବା ପାଇଁ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ମହାକାଳପଡ଼ା ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକ ରଥ ଦାଣ୍ଡରେ ଉପସ୍ଥିତ ଥିଲେବି ସୂର୍ଯ୍ୟାସ୍ତ ହୋଇଯିବାରୁ ରଥ ଟାଣି ପାରିନଥିଲେ । ଆଜି ଦ୍ୱିତୀୟ ଦିନରେ କେନ୍ଦ୍ରାପଡା ବିଧାୟକ ଶ୍ରୀ ବେହେରାଙ୍କ ସମେତ ବହୁ ସରକାରୀ ଅଧିକାରୀ ଓ ଜନସାଧାରଣ ରଥ ଟାଣିଥିଲେ ।











