ଶାନ୍ତି ଅହିଂସା ମାନବ ଧର୍ମ :ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ(ଶ୍ରୀମା)


 

କେନ୍ଦ୍ରାପଡ଼ା,୧୨ା୮: ଆଜିକାଲି ସାରା ବିଶ୍ୱରେ ମାନବାଧିକାର ଲୋପ ପାଇବାକୁ ଲାଗିଲାଣି। ହିଂସା ଦ୍ୱେଷର ଲେଲିହାନ ଶିଖାରେ ବିଶ୍ୱର ଅନେକ ରାଷ୍ଟ୍ର ଆଜି ଜର୍ଜରିତ। ଋଷ୍ ଓ ୟୁକ୍ରେନ ଏବଂ ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ଚାଲିଥିବା ଯୁଦ୍ଧରେ ହଜାର ହଜାର ନିରୀହ ନାଗରିକ ମୃତ୍ୟୁ ବରଣ କଲେଣି। ଅନେକ ବାସହରା ହୋଇ ଶରଣାର୍ଥୀ ଭାବରେ ଜୀବନ କାଟୁଛନ୍ତି। ଦେଶରୁ ସ୍ଥାନ ସଂରକ୍ଷଣ ହଟାଇବା ଆନ୍ଦୋଳନରେ ବାଙ୍ଗଲାଦେଶରେ ନିର୍ବାଚିତ ସରକାରର ପତନ ହୋଇଛି ସତ,କିନ୍ତୁ ନରସଂହାର, ସଂଖ୍ୟା ଲଘୁ ହିନ୍ଦୁ ମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର ଓ ଶୋଷଣ ବଢିଚାଲିଛି। ଏ ସବୁ ଦାରୁଣ ଖବର ମାନବତା ବିରୋଧୀ ଘଟଣା ମୋ ମନରେ ଗଭୀର ଦୁଃଖ ସୃଷ୍ଟି କରିଛି। ଏଭଳି କୁକାର୍ଯ୍ୟ ଏ ମାନବଜାତି ପାଇଁ ଶୁଭଙ୍କର ନୁହେଁ। ଏ ଜାତି ଶାନ୍ତି ମୈତ୍ରୀରେ ବିଶ୍ୱାସ ରଖି ବଞ୍ଚିବା ଶିଖିବା ଉଚିତ। ବିଶ୍ୱର ପ୍ରତ୍ୟେକ ମଣିଷ ଆଧ୍ୟାତ୍ମିକ ଜ୍ଞାନ ଆହରଣ କରିବା ଉଚିତ। ବସୁଧୈବ କୁଟୁମ୍ବକମ୍‌ର ଅର୍ଥ ବୁଝିବା ଉଚିତ୍‌। ଏକ ଈଶ୍ୱରଙ୍କ ସନ୍ତାନ ମଣିଷ ମଣିଷ ଭାଇ ଭାଇ ଏକଥାକୁ ବୁଝିବା ଉଚିତ। ନହେଲେ ଏ ପୃଥିବୀ ବକ୍ଷରୁ ବିଶାଳକାୟ ପ୍ରାଣୀ ଡାଇନୋସର ଲୋପ ପାଇବା ଭଳି ଏ ମାନବ ଜାତି ମଧ୍ୟ ଲୋପ ପାଇଯିବ। ମୁଁ ସମଗ୍ର ମାନବ ସମାଜକୁ ନିବେଦନ କରୁଛି, ହିଂସା, ଦ୍ୱେଷ, ଯୁଦ୍ଧ ଛାଡି଼ ମହାତ୍ମା ଓ ଆଧ୍ୟାତ୍ମିକ ଗୁରୁମାନଙ୍କ ଉପଦେଶ ଅନୁସାରେ ସତ୍ୟ, ଅହିଂସା ଓ ଅନ୍ୟକୁ ଭଲପାଇବା ଉଦାରନୀତିକୁ ଆପଣାଇ ପରସ୍ପର ମଧ୍ୟରେ ଭାଇଚାରାର ମଞ୍ଜି ବପନ କର। ତେବେ ସମଗ୍ର ମାନବ ଜାତି ଏକ ମହାପ୍ରଳୟରୁ ରକ୍ଷା ପାଇପାରିବ। ଏଥିପାଇଁ ସମସ୍ତ ରାଷ୍ଟ୍ର ମୁଖ୍ୟମାନେ ଚିନ୍ତା କରନ୍ତୁ। ନାରୀ ନିର୍ଯାତନା ବନ୍ଦ କରନ୍ତୁ। ମାଆକୁ ସମ୍ମାନ ଦିଅନ୍ତୁ ତେବେ ଯାଇ ଏ ମାନବ ଶ୍ରେଷ୍ଠ ଜୀବରେ ଗଣନା ହେବ। ଏହି ପରିସ୍ଥିତିରେ ମୃତ ଲୋକମାନଙ୍କର ଆତ୍ମାର ସଦଗତି ଓ ଆହତମାନଙ୍କ ଆଶୁ ଆରୋଗ୍ୟ ନିମନ୍ତେ ଏକ ସମବେତ ପ୍ରାର୍ଥନା ସଭା ଆସନ୍ତା ୨୨ତାରିଖରେ ଗରାପୁରସ୍ଥିତ ଦିବ୍ୟ ଜୀବନ ସଂଘ ଶିବାନନ୍ଦ ଆଶ୍ରମରେ ଅନୁଷ୍ଠିତ ହେବ। କାରଣ ପ୍ରାର୍ଥନା ଶାନ୍ତି ଓ ସଦଭାବନା ସ୍ଥାପନର ଏକ ବଳିଷ୍ଠ ମାଧ୍ୟମ ଅଟେ। ଆମ ଅଞ୍ଚଳର ସମସ୍ତ ଈଶ୍ୱରାନୁରାଗୀ ବ୍ୟକ୍ତି ବିଶେଷଙ୍କୁ ଏହି ସଭାରେ ଉପସ୍ଥିତ ରହିବାକୁ ନିବେଦନ କରୁଛି। ଏ ମାନବ ସମାଜର କଲ୍ୟାଣ ହେଉ। ଶାନ୍ତି ଶାନ୍ତି ଶାନ୍ତି।


Next Post

ଆକ୍ସନ ମୋଡ଼ରେ ପଟ୍ଟାମୁଣ୍ଡାଇ ପୋଲିସ, ୩୦ ୱାରେଂଟି କୋର୍ଟ ଚାଲାଣ

Tue Aug 13 , 2024
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ କଡାକଡା ଆଇନଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ପାଇଁ ଆଦର୍ଶ ଥାନା ପୋଲିସ ଆକ୍ସନ ମୋଡ଼କୁ ଆସିଯାଇଛି । ବିଶେଷ କରି ବରିଷ୍ଠ ଅଭିଜ୍ଞ ପୋଲିସ ଇନ୍ସପେକ୍ଟର ସୁଶାନ୍ତ କୁମାର ସାହୁ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇ ଆଇ ସି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଅପରାଧୀଙ୍କୁ ଦମନ କରି ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ପାଇଁ କଠୋର ନିଷ୍ପତି ନେଇଛନ୍ତି । […]

You May Like