ପଞ୍ଚାୟତବାସୀଙ୍କ ପକ୍ଷରୁ ବାବର ବିଦେଶୀ ମଦ ଦୋକାନ ସ୍ଥାନାନ୍ତର ଦାବି କାର୍ଯ୍ୟାନୁଷ୍ଠାନ ନହେଲେ ଅନଶନ ଚେତାବନୀ



କେନ୍ଦ୍ରାପଡ଼ା, ୨୧ା୮: ଶିକ୍ଷାନୁଷ୍ଠାନ, ମନ୍ଦିର ଏବଂ ଗ୍ରାମାଞ୍ଚଳ ବ୍ୟବସାୟୀ କେନ୍ଦ୍ର ନିକଟରେ ଚାଲୁଥିବା ବାବର ବିଦେଶୀ ମଦ ଦୋକାନକୁ ତୁରନ୍ତ ସେଠାରୁ ସ୍ଥାନାନ୍ତର କରାଯିବାକୁ ପଞ୍ଚାୟତବାସୀଙ୍କ ପକ୍ଷରୁ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କ ନିକଟରେ ଦାବି କରାଯାଇଛି । କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ବାବର ଗ୍ରାମ ପଞ୍ଚାୟତର ବାବର ବଜାରରେ ଠିପିବନ୍ଦ ମଦ ଦୋକାନ ଓ ଠିପି ଖୋଲା ମଦ ଦୋକାନ ଖୋଲାଯାଇ ବ୍ୟବସାୟ କରିଆସୁଛନ୍ତି । ଏହା ଏକ ଗ୍ରାମାଞ୍ଚଳ ଜନଗହଳି ପୂର୍ଣ୍ଣ ବଜାର ହୋଇଥିବା ବେଳେ ମଦ ଦୋକାନର ୨ଶହରୁ ୩ଶହ ମିଟର ମଧ୍ୟରେ ସରକାରୀ ବିଦ୍ୟାଳୟ, ମହାବିଦ୍ୟାଳୟ, ଡାକ୍ତରଖାନା ସମେତ ଏକାଧିକ ମନ୍ଦିର ରହିଛି । ଏହି ମଦ ଦୋକାନ ରାସ୍ତାରେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଯାତାୟତ କରିଥାନ୍ତି । ବାଳିକା ଓ ମହିଳାମାନେ ମଧ୍ୟ ବିଦ୍ୟାଳୟ, ମହାବିଦ୍ୟାଳୟ, ମନ୍ଦିର ଓ ଡାକ୍ତରଖାନାକୁ ଯାଇଥାନ୍ତି । ନିଶାଡିମାନେ ମଦ୍ୟପାନ କରି ହଙ୍ଗାମା କରିଥାନ୍ତି। ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସଦାସର୍ବଦା ଭୟର ବାତାବରଣ ସୃଷ୍ଟି ହୋଇଥାଏ । ଏହି ପଞ୍ଚାୟତର ଲୋକାମାନେ ସଉଦାପତ୍ର କିଣିବା ପାଇଁ ବାବର ବଜାର ଉପରେ ନିର୍ଭର କରିଥାନ୍ତି । ଗ୍ରାମାଞ୍ଚଳ ବଜାରରେ ଦୁଇଟି ମଦ ଦୋକାନ ଖୋଲି ବ୍ୟବସାୟ କରିବା ସ୍ଥାନୀୟ ଲୋକମାନଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି । ଦାରିଦ୍ର‌୍ୟର ସୀମାରେଖା ତଳେ ୮୦ପ୍ରତିଶତରୁ ଅଧିକ ଲୋକ ଏହି ପଞ୍ଚାୟତରେ ବସବାସ କରୁଛନ୍ତି । ସେମାନଙ୍କ ପାରିବାରିକ ଗୁଜୁରାଣ ମେଣ୍ଟାଇବାକୁ ଅର୍ଥ ନଥିବା ବେଳେ ବାବର ମଦ ଦୋକାନ ଏହି ଶ୍ରେଣୀର ଲୋକମାନଙ୍କୁ ଅବାଟକୁ ଯିବା ପାଇଁ ସୁଯୋଗ ଦେଇ ପାରିବାରିକ ଅଶାନ୍ତି ସୃଷ୍ଟି କରୁଛି । ଏଠାରେ ମଦ ଦୋକାନ ଆବଶ୍ୟକ ନଥିବା ବେଳେ ଦୁଇଟି ମଦ ଦୋକାନ ଖୋଲିବାକୁ କିପରି ଅନୁମତି ମିଳିଛି ସେନେଇ ବୁଦ୍ଧିଜୀବୀମାନେ ପ୍ରଶ୍ନ କରିଛନ୍ତି । ତେବେ ସ୍ଥାନୀୟ ଲୋକଙ୍କ ସମସ୍ୟାକୁ ଅନୁଭବ କରି ଉପରୋକ୍ତ ଦୁଇଟି ମଦ ଦୋକାନକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ମହାକାଳପଡା ପଞ୍ଚାୟତ ସମିତି ଅଧ୍ୟକ୍ଷା କଳ୍ପନା ରାଉତ, ବାବର ସମିତି ସଭ୍ୟ ଆଇନଜୀବୀ ପ୍ରତାପ ଚନ୍ଦ୍ର ଦାସ, ସରପଞ୍ଚ ପ୍ରମୋଦ କୁମାର ଦାସ, କେତକୀ ସ୍ୱାଇଁ, ନନ୍ଦିନୀ ଜେନା, ସ୍ୱର୍ଣ୍ଣଲତା ଜେନା, ସବିତା ଜେନା, ସୁଶାନ୍ତି ଜେନା, ସଞ୍ଜୁକ୍ତା ନାୟକ, ଛାୟାବତି ଧଳ, ରଶ୍ମିତା ମଳିକଙ୍କ ସମେତ ଶତାଧିକ ମହିଳା ଓ ପୁରୁଷ ଏକ ଦାବିପତ୍ର କେନ୍ଦ୍ରାପଡା ଅବକାରୀ ଅଧିକ୍ଷକଙ୍କ ଜରିଆରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ନିକଟକୁ ପଠାଇଛନ୍ତି । ସେମାନଙ୍କ ଦାବି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଅନଶନ କରାଯିବ ବୋଲି ବାବର ପଞ୍ଚାତରବାସୀ ପ୍ରଶାସନକୁ ଚେତାବନୀ ଦେଇଛନ୍ତି ।


Next Post

ବଜ୍ରପାତରେ କୃଷକଙ୍କ ମୃତ୍ୟୁ

Wed Aug 21 , 2024
କେନ୍ଦ୍ରାପଡ଼ା, ୨୧ା୮: କେନ୍ଦ୍ରାପଡା ସଦରଥାନା ଅନ୍ତର୍ଗତ ଆୟବା ଗ୍ରାମର ଭ୍ରମରବର ନାୟକଙ୍କ ପୁତ୍ର ଜଟିଆ ଓରଫ୍ ବଳରାମ ନାୟକ(୫୩)ଙ୍କ ବଜ୍ରାଘାତରେ ଆଜି ମୃତ୍ୟୁ ହୋଇଯାଇଛି । ସେ ବିଲରେ ଧାନ ରୋଉଥିବା ବେଳେ ଆଜି ଅପରାହ୍ନରେ ପ୍ରଚଣ୍ଡ ଶବ୍ଦ ହୋଇ ବଜ୍ରପାତ ହୋଇଥିଲା । ସେହି ବଜ୍ରପାତରେ ଜଟିଆ ବିଲରେ ଅଚେତ ହୋଇ ପଡିଯାଇଥିଲେ । ନିକଟରେ ବିଲ ରୋଉଥିବା ଅନ୍ୟ ବ୍ୟକ୍ତିମାନେ ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇଯାଇଥିଲେ […]

KANIKA